Unknown

 

 

 

 

 

 

 

 

ଉପନିଷଦ କଥା

(ପ୍ରଥମ ଖଣ୍ଡ)

ଶ୍ରୀ କୃଷ୍ଣଚନ୍ଦ୍ର କର

 

ସୂଚୀପତ୍ର

 

୧.

ତିନୋଟି ଶ୍ରେଷ୍ଠ ଉପଦେଶ

୨.

ଶିକ୍ଷାର ପରୀକ୍ଷା

୩.

ଗୁରୁ ମାଗେ ଶିଷ୍ୟତ୍ୱର ଭିକ୍ଷା

୪.

ଅମୃତସ୍ରାବୀ କୁଣ୍ଡଳ

୫.

ଅନାଥା ମାତାର ଅମର ପୁତ୍ର

୬.

ଦେବତାଙ୍କ ଗର୍ବ

୭.

ଯଜ୍ଞସଭାରେ ଜ୍ଞାନପରୀକ୍ଷା

୮.

ପ୍ରାଣ ହିଁ ଶ୍ରେଷ୍ଠ

୯.

ଋଷି–ପଦେ ନତ ଇନ୍ଦ୍ର-ଶିର

୧୦.

ତପସ୍ୟାରୁ ସତ୍ୟଲାଭ

Image

 

ତିନୋଟି ଶ୍ରେଷ୍ଠ ଉପଦେଶ

 

–୧–

 

ଦେବ–ମାନବ–ଦାନବ…

 

ସରଳ କଥାରେ କହିଲେ ଦେବତା, ମଣିଷ ଆଉ ଅସୁର । ବ୍ରହ୍ମା ଯେତେବେଳେ ବ୍ରହ୍ମାଣ୍ଡ ସର୍ଜନା କଲେ, ଏଇ ତିନି ଜାତି ଥିଲେ ସମସ୍ତଙ୍କଠାରୁ ଶ୍ରେଷ୍ଠ । ବୁଦ୍ଧି, ବଳ, କୌଶଳ, ସାହାସ ଊଣାଅଧିକେ ସମସ୍ତଙ୍କଠାରେ ଯଥେଷ୍ଟ ଥିଲା ।

 

ଉପନିଷଦର ଭାଷାରେ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କର ନାମ ‘ପ୍ରଜାପତି’ । ‘ପ୍ରଜା’ ଶବ୍ଦର ଅର୍ଥ ସନ୍ତାନସନ୍ତତି । ଦେବ, ଦୈତ୍ୟ ମନୁଷ୍ୟ, ସମସ୍ତେ ବ୍ରହ୍ମାଙ୍କର ସନ୍ତାନ ବୋଲି ତାଙ୍କୁ ଏହି ‘ପ୍ରଜାପତି’ ନାମ ଦିଆହୋଇଲା ।

 

ସୃଷ୍ଟିର ପ୍ରଥମ ସମୟ...

 

ପ୍ରଜାପତି ବ୍ରହ୍ମା ଦେବ, ମାନବ ଓ ଦାନବଙ୍କୁ କେବଳ ଜନ୍ମ ଦେଇ ସନ୍ତୁଷ୍ଟ ରହିଲେ ନାହିଁ, ସେମାନଙ୍କର ଶିକ୍ଷାଦୀକ୍ଷାର ସମସ୍ତ ଦାୟିତ୍ୱ ମଧ୍ୟ ନିଜେ ବହନ କଲେ । ସେମାନେ କିପରି ସାଧୁ ମାର୍ଗରେ ଚାଳିତ ହୋଇ ସଦାଚାର ଆଦି ସଦ୍‍ଗୁଣରେ ଭୂଷିତ ହେବେ, ଏଥିପାଇଁ ସେ ସର୍ବଦା ତତ୍ପର ହେଲେ ।

 

ପରମ ରମଣୀୟ ପ୍ରକାଣ୍ଡ ଆଶ୍ରମ...

 

ପ୍ରଜାପତିଙ୍କର ସେହି ନିର୍ଜନ ଆଶ୍ରମଟିରେ ପବିତ୍ରତା ସତେ ଯେପରି ମୂର୍ତ୍ତି ଧରି ଲୀଳା କରୁଥାଏ । ଚାରିଆଡ଼ ନୀରବ ନିସ୍ତବ୍‌ଧ । ପ୍ରକୃତି ନିଜର ସକଳ ସମ୍ପଦ ବିତରଣ କରି ସବୁରି ମନରେ ଶୁଦ୍ଧତା ସଞ୍ଚାର କରୁଥାଏ । ମାୟାମୋହ, ପାପତାପ , ହିଂସାଦ୍ୱେଷ, ଏ ସବୁର ତିଳେହେଲେ ସେଠାରେ ସ୍ଥାନ ନଥାଏ ।

 

ସବୁ ଶିକ୍ଷାର ମୂଳ ହେଉଛି ବ୍ରହ୍ମଚର୍ଯ୍ୟ । ନିୟମ ଓ ଶୃଙ୍ଖଳାର ବଶବର୍ତ୍ତୀ ହୋଇ ବ୍ରହ୍ମଚର୍ଯ୍ୟ ପାଳନ କଲେ ଦେହ ଓ ମନରେ ତେଜ ଆସେ । ଏହି ତେଜ ନ ଥିଲେ ବିଦ୍ୟାଲାଭ ସମ୍ଭବ ହୁଏନାହିଁ । ତେଣୁ ପ୍ରଜାପତି ନିଜ ସନ୍ତାନମାନଙ୍କୁ ସର୍ବପ୍ରଥମେ ବ୍ରହ୍ମଚର୍ଯ୍ୟ ପାଳନ କରିବାକୁ ଆଦେଶ ଦେଇଥାନ୍ତି ।

 

ପ୍ରଜାପତିଙ୍କ ଆଦେଶକୁ ଶିରୋଧାର୍ଯ୍ୟ କରି ଦେବତା, ମନୁଷ୍ୟ ଓ ଅସୁରମାନେ ତାଙ୍କର ସେହି ପରମପବିତ୍ର ଆଶ୍ରମରେ ରହି ବ୍ରହ୍ମଚାରୀ ଜୀବନ କଟାଉଥାନ୍ତି ।

 

ବହୁ କାଳ ଅତୀତ ହେଲା । ଏଥି ମଧ୍ୟରେ ସମସ୍ତେ ନିଜନିଜର ସାଧନାରେ ଅଗ୍ରସର ହେଲେ । ପ୍ରତ୍ୟେକ ଭାବିଲେ, ନିଜ ନିଜର କର୍ତ୍ତବ୍ୟ ଠିକ୍ ଭାବରେ ସମ୍ପାଦନ କରି ସେମାନେ ବିଦ୍ୟାଲାଭ ପାଇଁ ନିଜକୁ ଉପଯୁକ୍ତ କରୁଛନ୍ତି ।

 

ଦେବତାମାନଙ୍କର ହୃଦୟ ଅତ୍ୟନ୍ତ ନିର୍ମଳ – ସେମାନଙ୍କ ଚରିତ୍ର ଅତି ଶୁଦ୍ଧ । ତେଣୁ ମାନବ ଓ ଦାନବଙ୍କ ଅପେକ୍ଷା ସେମାନେ ଶୀଘ୍ର ବ୍ରହ୍ମଚର୍ଯ୍ୟ ଗୁଣ ଆୟତ୍ତ କରିପାରିଲେ । ତଦ୍ଦ୍ୱାରା ସେମାନେ ତେଜ ଲାଭ କରି ବିଦ୍ୟାଶିକ୍ଷା ପାଇଁ ପ୍ରସ୍ତୁତ ହୋଇଗଲେ । ଫଳରେ ସେହିମାନେ ହିଁ ପ୍ରଥମେ ପ୍ରଜାପତିଙ୍କ ନିକଟକୁ ଯିବାପାଇଁ ସାହାସୀ ହେଲେ ।

 

ସାଧନା ପରେ ସିଦ୍ଧି ପାଇଁ ବ୍ୟଗ୍ରତା…

 

ଦେବତାଦଳ ବ୍ରହ୍ମାଙ୍କ ନିକଟରେ ଯାଇ ଉପସ୍ଥିତ ହେଲେ ଏବଂ ତାଙ୍କର ଚରଣ ବନ୍ଦନ କରି ଆଶୀର୍ବାଦ ଭିକ୍ଷା କଲେ । ତା’ପରେ ଯୋଡ଼ହସ୍ତରେ ପ୍ରାର୍ଥନା କଲେ ।

 

“ଭଗବାନ୍ ! ଆମେମାନେ ଦୀର୍ଘକାଳ ଆଶ୍ରମରେ ରହି ବ୍ରହ୍ମଚର୍ଯ୍ୟ ପାଳନଦ୍ୱାରା ତେଜ ଲାଭ କରିଛୁଁ । ଏବେ ଦୟା କରି ଆମ୍ଭମାନଙ୍କୁ ବିଦ୍ୟା ଦାନ କରନ୍ତୁ ।”

 

ପ୍ରଜାପତି କିଛି କ୍ଷଣ ଗମ୍ଭୀର ରହି କହିଲେ;

 

“ପ୍ରକୃତ ବିଦ୍ୟା ମୋଠାରୁ ଗ୍ରହଣ କରିବା ପୂର୍ବରୁ ତୁମମାନଙ୍କୁ ଗୋଟିଏ ଉପଦେଶ ନବାକୁ ପଡ଼ିବ ।”

 

ଦେବତା ମାନେ କହଲେ :

 

“ଭଗବାନ୍ ! ଦିଅନ୍ତୁ ସେହି ଉପଦେଶଟି । ଆମେମାନେ ନତମସ୍ତକରେ ତାହା ଅକ୍ଷରେ ଅକ୍ଷରେ ପାଳନ କରିବୁଁ ।”

 

ତହୁଁ ପ୍ରଜାପତି ଅତି ସଂକ୍ଷେପରେ ଗୋଚିଏ ମାତ୍ର ଅକ୍ଷରରେ ଉପଦେଶ ଦେଲେ :

“ଦ...”

 

ସଙ୍ଗେ ସଙ୍ଗେ ତାଙ୍କ ମନରେ ସନ୍ଦେହ ଜନ୍ମିଲା–ଦେବତାମାନେ ଏହି ସଂକେତର ପ୍ରକୃତ ଅର୍ଥ ବୁଝିପାରିଲେ ତ ? ତେଣୁ ସେ ଦେବଗଣଙ୍କୁ ପ୍ରଶ୍ନ କଲେ :

 

“ମୋ ଉପଦେଶଟିକୁ ଠିକ୍ ବୁଝିପାରିଛ ତ ?”

ଦେବତାମାନେ ଉତ୍ତର ଦେଲେ :

“ହଁ ପ୍ରଭୁ ! ବୁଝିଛୁଁ ।’’

ପ୍ରଜାପତି ପୁଣି ଜିଜ୍ଞାସା କଲେ :

“କଣ ବୁଝିଛ ?”

ଦେବଗଣ କହିଲେ :

“ଦ...ର ଅର୍ଥ ‘ଦମ’ ଅର୍ଥାତ୍ ‘ଇନ୍ଦ୍ରିୟଦମନ’ । ଏହାଦ୍ୱାରା ହିଁ ପ୍ରକୃତ ବ୍ରହ୍ମଚର୍ଯ୍ୟର ଫଳ ମିଳେ ।”

ଉତ୍ତର ଶୁଣି ପ୍ରଜାପତି ସନ୍ତୁଷ୍ଟ ହେଲେ ।

 

ଦେବତାମାନେ ସ୍ୱର୍ଗର ଅଧିବାସୀ । ସ୍ୱର୍ଗ ହିଁ ସକଳ ପ୍ରକାର ଭୋଗ ଓ ସୁଖର ଭଣ୍ଡାର । ତେଣୁ ସ୍ୱର୍ଗବାସୀ ଦେବଗଣ ସର୍ବଦା ଭୋଗ ଓ ସୁଖରେ ଲିପ୍ତ ଥାନ୍ତି । ମାତ୍ର ଏହାଦ୍ୱାରା ଜୀବନର ଲକ୍ଷ୍ୟ ଭ୍ରଷ୍ଟ ହୁଏ; ପରିଣାମରେ ନିତ୍ୟସୁଖ ମିଳିବା ଅସମ୍ଭବ ହୋଇଉଠେ । ଏହି ସତ୍ୟଟିକି ସେମାନେ ପ୍ରଜାପତିଙ୍କର ‘ଦମ’ ଉପଦେଶରୁ ସ୍ପଷ୍ଟ ବୁଝିପାରିଲେ ।

 

ବ୍ରହ୍ମଚର୍ଯ୍ୟ ବ୍ରତଦ୍ୱାରା ଦେବତାମାନେ ଇତିପୂର୍ବରୁ ଚିତ୍ତଶୁଦ୍ଧି ଲାଭକରି ସାରିଥିଲେ, ତେଣୁ ଇନ୍ଦ୍ରିୟଦମନ ଅଭ୍ୟାସ କରି ସମସ୍ତ ପ୍ରଲୋଭନଠାରୁ ନିଜକୁ ଦୂରରେ ରଖିବା ପାଇଁ ସେହି ମୂହୁର୍ତ୍ତରୁ ସଂକଳ୍ପ କଲେ ।

 

ଦେବତାମାନଙ୍କର ଉପଦେଶ ଲାଭ ପରେ ମାନବମାନେ ଭାବିଲେ, ଏଥର ସେମାନେ ପ୍ରଜାପତିଙ୍କ ନିକଟକୁ ଆସିବେ । ତାହା ହିଁ ହେଲା । ସେମାନେ ବ୍ରହ୍ମାଙ୍କ ନିକଟରେ ପହଞ୍ଚି ତାଙ୍କର ପାଦଧୂଳି ନେଇ କହିଲେ :

 

“ଭଗବାନ୍ ! ଆମ୍ଭମାନଙ୍କର ବ୍ରଦ୍ମଚାରୀ ଜୀବନ ଶେଷ ହୋଇଛି । ଏବେ ପ୍ରୀତ ହୋଇ ଆମ୍ଭମାନଙ୍କୁ ବିଦ୍ୟାଦାନ କରନ୍ତୁ ।”

 

ପ୍ରଜାପତି ତାହା ଶୁଣି କହିଲେ;

 

“ବିଦ୍ୟାମାନ ପୂର୍ବରୁ ମୁଁ ଗୋଟିଏ ଉପଦେଶ ଦେବି, ଆଗେ ତାହାକୁ ଜୀବନରେ ପାଳନ କର ।”

 

ମନୁଷ୍ୟମାନେ ପଚାରିଲେ :

 

“କି ଉପଦେଶ ପ୍ରଭୁ ? କୃପା ବହି ଦିଅନ୍ତୁ । ଆମେମାନେ ତାହା ଏହିକ୍ଷଣି ପାଳିବାକୁ ପ୍ରସ୍ତୁତ ।”

 

ତହୁଁ ପ୍ରଜାପତି ଗୋଟିଏ ଅକ୍ଷରଦ୍ୱାରା ସେହି ଉପଦେଶଟି ପ୍ରକାଶ କଲେ :

“ଦା...”

ପୁଣି, ପୂର୍ବ ପରି ସଙ୍ଗେ ସଙ୍ଗେ ସେ ପଚାରିଲେ :

“ମୋର ଉପଦେଶର ତାତ୍ପର୍ଯ୍ୟ ବୁଝିଲ ତ ?”

ମାନବସନ୍ତାନମାନେ ଉତ୍ତର କଲେ :

“ଆଜ୍ଞା, ହଁ ।”

ପ୍ରଜାପତି ପଚାରିଲେ :

“ମୋ ଉପଦେଶଟିର କଣ ତାତ୍ପର୍ଯ୍ୟ କହ ତ ଦେଖି ?”

ମାନବଗଣ କହିଲେ :

 

“ଦା…’ର ଅର୍ଥ ‘ଦାନ’ । ଦାନ କରିବାଦ୍ୱାରା ମନୁଷ୍ୟ ପୁଣ୍ୟ ଅର୍ଜନ କରେ, ତା’ର ହୃଦୟରୁ ସଂକୀର୍ଣ୍ଣ ସ୍ୱାର୍ଥଭାବ ଦୂର ହୁଏ ।”

 

ଏ ଉତ୍ତର ପାଇ ପ୍ରଜାପତି ପ୍ରୀତ ହେଲେ ।

 

ମନୁଷ୍ୟମାନେ ସ୍ୱଭାବତଃ ଲୋଭୀ, କୃପଣ ଓ ସଞ୍ଚୟପରାୟଣ । ଏହି ସମସ୍ତ ପ୍ରବୃତ୍ତିଦ୍ୱାରା ମନୁଷ୍ୟର ଜୀବନ ଦୁଃଖପୂର୍ଣ୍ଣ ହୋଇଉଠେ । ସେ ମୁକ୍ତି ପାଇବାକୁ ସମର୍ଥ ହୋଇପାରେ ନାହିଁ । ନିଜ ପାଇଁ ଅଜସ୍ର ଧନ ନ ସଞ୍ଚି ଯେଉଁ ବ୍ୟକ୍ତି ତାହା ଅପରକୁ ଦାନ କରି ତା’ର ଅଭାବ ମେଣ୍ଟାଇବାଦ୍ୱାରା ଧନର ସଦ୍‍ବ୍ୟବହାର କରେ, ସେହି ବ୍ୟକ୍ତିର ଜୀବନ ହିଁ ପ୍ରକୃତରେ ସାର୍ଥକ ।

 

ମାନବସନ୍ତାନଗଣ ବ୍ରହ୍ମଚର୍ଯ୍ୟ ଅବଲମ୍ବନଦ୍ୱାରା ଚିତ୍ତନିର୍ମଳତା ଲାଭ କରିଥିଲେ ବୋଲି ପ୍ରଜାପତିଙ୍କର ଉପଦେଶଟିର ତାତ୍ପର୍ଯ୍ୟ ସହଜରେ ହୃଦୟଙ୍ଗମ କରିପାରିଲେ । ତହୁଁ ସେମାନେ ‘ଦାନ’ର ମହାତ୍ମ୍ୟ ନିଜ ନିଜ ଜୀବନରେ ପ୍ରକଟିତ କରିବା ପାଇଁ ଦୃଢ଼ପ୍ରତିଜ୍ଞ ହୋଇ ବ୍ରହ୍ମାଙ୍କ ନିକଟରୁ ବିଦାୟ ନେଲେ ।

 

ଏହାପରେ ଆସିଲେ ଦାନବଦଳ । ପ୍ରଜାପତିଙ୍କ ଚରଣରେ ପ୍ରଣାମ କରି ସୋନେ ନିବେଦନ କଲେ :

 

“ଭଗବାନ୍‍ ! ଦେବତା ଓ ମାନବମାନଙ୍କୁ ଉପଦେଶ ଦେଇ ଆପଣ ସେମାନଙ୍କ ମନସ୍କାମ ସିଦ୍ଧ କରିଛନ୍ତି । ଆମେମାନେ ଦୀର୍ଘକାଳ ଆଶ୍ରମରେ ରହି ବ୍ରହ୍ମଚର୍ଯ୍ୟ ଶିକ୍ଷା କରିପାରିଛୁଁ । ଏବେ ଆମମାନଙ୍କୁ ପ୍ରସନ୍ନଚିତ୍ତରେ ଉପଦେଶ ଦିଅନ୍ତୁ ।”

 

ପ୍ରଜାପତି ଏଥର ମଧ୍ୟ ପୂର୍ବ ସଂକ୍ଷିପ୍ତ ରୀତିରେ ଉପଦେଶ ଦେଲେ :

“ଦ...”

ଉପଦେଶଟି ଶୁଣି ଦାନବଙ୍କ ମୁଖ ପ୍ରଫୁଲ୍ଲ ହୋଇଉଠିଲା ।

ପ୍ରଜାପତି ପ୍ରଶ୍ନ କଲେ :

“ମୋ ଉପଦେଶଟିର ଉଦ୍ଦେଶ୍ୟ କଣ କହିଲ ?”

ଦାନବ ସନ୍ତାନମାନେ ଉତ୍ତର କଲେ :

 

“ଦ...” ର ଉଦ୍ଦେଶ୍ୟ ‘ଦୟା’ । ଏହି ଦୟା ଗୁଣହିଁ ଗୋଟିଏ ଶ୍ରେଷ୍ଠ ଭୂଷଣ । ଅପର ପ୍ରତି ଦୟାଭାବ ପ୍ରଦର୍ଶନ କଲେ ହୃଦୟ କ୍ରମଶଃ ଉଦାର ଓ ମହତ୍ ହୁଏ ।”

 

ଉତ୍ତର ଶୁଣି ପ୍ରଜାପତି ସନ୍ତୁଷ୍ଟ ହେଲେ ।

 

ଅସୁରମାନଙ୍କ ପ୍ରକୃତି ଅତି ନିର୍ଦ୍ଦୟ–ଦୟା କ’ଣ; ତାହା ସେମାନଙ୍କ ଜୀବନରେ ସ୍ୱପ୍ନ । ଅନ୍ୟର ଦୁଃଖଯନ୍ତ୍ରଣା ପ୍ରତି ତିଳେସୁଦ୍ଧା ଦୃଷ୍ଟି ନ ପକାଇ ସେମାନେ ଘୋର ଅତ୍ୟାଚାର କରିବାରେ ପରମ ଆନନ୍ଦ ଅନୁଭବ କରିଥାନ୍ତି ।

 

ସେମାନଙ୍କର ଏହି ପ୍ରକୃତିଗତ ନିର୍ଦ୍ଦୟତା ଯେ ଅତ୍ୟନ୍ତ ଘୃଣ୍ୟ, ଏବେ ଦାନବମାନେ ବେଶ୍ ବୁଝିପାରିଲେ । ବହୁକାଳ ବ୍ରହ୍ମଚର୍ଯ୍ୟ ଅଭ୍ୟାସଦ୍ୱାରା ସେମାନେ ନିଜ ନିଜ ମନରେ ପବିତ୍ରତା ଆଣିପାରିଥିଲେ ବୋଲି ଦୟାର ମହତ୍ତ୍ୱ ଏଡେ ସହଜରେ ଅନୁଭବ କରିପାରିଲେ । ଏବେ ସେମାନେ କୃତାଞ୍ଜଳିପୁଟରେ ପ୍ରଜାପତିଙ୍କୁ କହିଲେ :

 

“ଭଗବାନ୍ ! ଆପଣ ଆଜି ଯେଉଁ ଉପଦେଶଟି ଦେଲେ, ଆମେମାନେ ମନ ବଚନ କର୍ତ୍ତବ୍ୟରେ ତାହା ଆଜିଠାରୁ ପାଳନ କରିବାକୁ ଆପଣଙ୍କ ପାଦ ଛୁଇଁ ଶପଥ କରୁଛୁଁ ।”

 

ଏହି ପବିତ୍ର ପଣ ଘେନି ଦାନବମାନେ ସେଠାରୁ ଚାଲିଗଲେ ।

 

ପରବର୍ତ୍ତୀ ଆର୍ଯ୍ୟଋଷିମାନେ ସେମାନଙ୍କ ଛାତ୍ରମାନଙ୍କୁ ନାନା ଭାବରେ ଏହି ତିନୋଟି ଗୁଣର ଶିକ୍ଷା ଦେଇଛନ୍ତି । ପ୍ରତ୍ୟେକ ହିନ୍ଦୁ ପୁରାଣରେ ମଧ୍ୟ ଏହି ତିନି ଗୁଣର ଅସଂଖ୍ୟ ଦୃଷ୍ଟାନ୍ତ ଦେଖିବାକୁ ମିଳେ । କେବଳ ହିନ୍ଦୁଧର୍ମ କାହିଁକି ବୌଦ୍ଧ, ଜୈନ, ମୁସଲମାନ, ଖ୍ରୀଷ୍ଟାନ; ଏହିପରି ପୃଥିବୀରେ ଯେତେ ଧର୍ମ ଅଛି, ସେ ସବୁ ଧର୍ମର ସାର ଉପଦେଶ ହେଉଛି ଏଇ ତିନୋଟି–

 

ଦମ-ଦାନ-ଦୟା

Image

 

ଶିକ୍ଷାର ପରୀକ୍ଷା

 

–୧–

 

ପ୍ରଶାନ୍ତ ବନଭୂମି...

 

ତାହାର ଏକ କୋଣରେ ପୁଣ୍ୟ ତପୋବନ । ଯଜ୍ଞକୁଣ୍ଡରେ ଅଗ୍ନିଶିଖା ହୁତ୍‍ହୁତ୍‍ ହୋଇ ଜଳୁଛି । ଆଚାର୍ଯ୍ୟ ଧୌମ୍ୟ ବେଦମନ୍ତ୍ର ଗାନ କରି ଆହୁତି ପ୍ରଦାନ କରୁଛନ୍ତି । ଧୂପଦୀପଗନ୍ଧରେ ଯଜ୍ଞହବିର ସୁଗନ୍ଧ ମିଶି ଆଶ୍ରମ-ଅଙ୍ଗନରେ ଏକ ମୃଦୁ ସୌରଭ ଖେଳାଇ-ଦେଇଛି । ଶତ ଶତ ଶିଷ୍ୟ ଆଶ୍ରମବେଦୀ ଉପରେ ବସି ଗୁରୁଦେବଙ୍କ କଣ୍ଠର ସୁମଧୁର ଗାନ ଶୁଣି ଓ ପବିତ୍ର ଯଜ୍ଞକ୍ରିୟା ଦେଖି ମୁଗ୍‍ଧ ହୋଇଯାଉଛନ୍ତି ।

 

ଏହି ସମୟରେ ଉତ୍କଣ୍ଠିତ ମନରେ ଯଜ୍ଞବେଦୀମଣ୍ଡପର ସମ୍ମୁଖୀନ ହେଲା ସୁଶ୍ରୀ ବାଳକଟିଏ । ବହୁଦୂର ପଥ ଅତିକ୍ରମ କରି ସେ ଧାଇଁଆସିଛି ପୁଣ୍ୟାତ୍ମା ଆୟୋଦ ଧୌମ୍ୟଙ୍କ ଆଶ୍ରମକୁ-ଋଷିଙ୍କ ଚରଣରେ ନିଜକୁ ଶିଷ୍ୟ ରୂପେ ସମର୍ପଣ କରିବା ଉଦ୍ଦେଶ୍ୟରେ ।

 

ବାଳକଟିର ନାମ ‘ଆରୁଣି’ ।

 

ସହସା ବାଳକଟି ଉପରେ ଆୟୋଦ ଧୌମ୍ୟଙ୍କର ଦୃଷ୍ଟି ପଡ଼ିଲା । ସସ୍ନେହ ଚକ୍ଷୁରେ ସେ ଇଙ୍ଗିତ ଦେଲେ । ଆରୁଣି ତାହା ବୁଝିପାରି ବେଦୀଉପରକୁ ଉଠିଲା ଏବଂ ଶିଷ୍ୟମାନଙ୍କ ନିକଟରେ ଯାଇ ଉପବେଶନ କଲା ।

 

ପୁର୍ଣ୍ଣାହୁତି ପରେ ଯଜ୍ଞକର୍ମ ଶେଷ ହେଲା । ସମସ୍ତେ ନିଜ ନିଜ କୁଟୀରକୁ ଚାଲିଗଲେ । ଋଷି ଧୌମ୍ୟ ଆରୁଣିକୁ ଡାକି ସମସ୍ତ ପରିଚୟ ନେଲେ ଏବଂ ତା’ର ପ୍ରଗାଢ଼ ଜ୍ଞାନ-ପିପାସା କଥା ଜାଣିପାରି ମନେ ମନେ ପ୍ରୀତ ହେଲେ । ତାପରେ ତାହା ପାଇଁ ଆଶ୍ରମରେ ସ୍ଥାନ ନିର୍ଦ୍ଦେଶ କରିଦେଲେ । ଏହି ରୂପେ ଶିଷ୍ୟସଂଖ୍ୟା ସେଦିନ ଗୋଟିଏ ବଢ଼ିଲା ।

 

ଆଶ୍ରମର ଅନ୍ତେବାସୀ ରୂପେ ଆରୁଣି ଗୁରୁଙ୍କ ଆଦେଶମତେ କାର୍ଯ୍ୟ କରିବାକୁ ଲାଗିଲା-। ଗୁରୁ ହିଁ ଶିଷ୍ୟର ଏକମାତ୍ର ଉପାସ୍ୟ; ତାଙ୍କୁ ସେବା ଓ ଭକ୍ତିଦ୍ୱାରା ତୃପ୍ତି କରିପାରିଲେ ଶିଷ୍ୟର ଜୀବନ ଧନ୍ୟ ହୁଏ–ଏହି ଧାରଣା ଆରୁଣିର ହୃଦୟରେ ସର୍ବଦା ବଦ୍ଧମୂଳଥାଏ ।

 

ସେକାଳର ରୀତି ଅନୁସାରେ ଆଚାର୍ଯ୍ୟ ଧୌମ୍ୟ ଅସଂଖ୍ୟ ଶିଷ୍ୟଙ୍କର ଗ୍ରାସାଚ୍ଛାଦନ ଓ ବିଦ୍ୟାଶିକ୍ଷାର ଭାର ବହନ କରିଥିଲେ । ସେ ନିଜ ଶିଷ୍ୟମାନଙ୍କ ସାହାଯ୍ୟରେ ବହୁପରିମିତ କ୍ଷେତ୍ର କର୍ଷଣ କରି ତହିଁରୁ ଶସ୍ୟାଦି ଆବାଦ କରୁଥିଲେ । ତଦ୍ଦ୍ୱାରା ଆଶ୍ରମବାସୀମାନଙ୍କର ବର୍ଷକର ଖାଦ୍ୟ ବେଶ୍ ଚଳିଯାଉଥିଲା ।

 

ସେ ବର୍ଷ ପାଳକ ଭଲ ହୋଇ ନ ଥିବାରୁ ଆଶାନୁରୂପ ଫସଲ ଉତ୍ପନ୍ନ ହେବାରେ ସନ୍ଦେହ ରହିଥାଏ । ବର୍ଷାର ଟିକିଏ ଅଭାବ ମଧ୍ୟ ଥାଏ । ହଠାତ୍ ଦିନେ ରାତିରେ ଅଚାନକ ବୃଷ୍ଟି ହେଲା । ଧୌମ୍ୟ ଭାବିଲେ–ବୃଷ୍ଟିଜଳ କ୍ଷେତମାନଙ୍କରେ ଆବଦ୍ଧ ହୋଇ ରହିପାରିଲେ ଫସଲକୁ ବହୁତ ସାହାଯ୍ୟ କରନ୍ତା । ତେଣୁ ସେ ସଙ୍ଗେ ସଙ୍ଗେ ତା’ର ବ୍ୟବସ୍ଥା କରିବାକୁ ବାହାରିଲେ । ଋଷିମାନେ ସେ ଯୁଗରେ ପ୍ରଥମେ ଶିଷ୍ୟମାନଙ୍କୁ ପରୀକ୍ଷା କରୁଥିଲେ ଏବଂ ତତ୍ପରେ ଶିକ୍ଷା ଦେଉଥିଲେ । ଏବେ ଧୌମ୍ୟ ଆରୁଣିକୁ ଏହି କାର୍ଯ୍ୟରେ ନିଯୁକ୍ତ କରି ତାହାର କର୍ତ୍ତବ୍ୟନିଷ୍ଠା ପରୀକ୍ଷା କରିବାକୁ ସ୍ଥିର କଲେ । ସେ ତାକୁ ଡାକି କହିଲେ :

 

“ଆରୁଣି ! ମୁଁ ଆଜି ତୁମକୁ ଏ କାର୍ଯ୍ୟର ଦାୟିତ୍ୱ ଦେଉଛି । କାଲି ରାତିରେ କିପରି ପ୍ରବଳ ବର୍ଷା ହେଲା, ଜାଣିଛ । ଏ ବର୍ଷାପାଣିରେ ନିଶ୍ଚୟ ଆମ କ୍ଷେତସବୁ ପୂର୍ଣ୍ଣ ହୋଇଯାଇଥିବ । ତୁମେ ଅତି ଶୀଘ୍ର ସେଠାକୁ ଯାଅ । ଦେଖିବ, ଯଦି ବର୍ଷାମାଡ଼ରେ କୌଣସି କିଆରୀର ହିଡ଼ ଭାଙ୍ଗି ଯାଇ ପାଣି ବାହାରି ଯାଉଥିବ , ତାହାହେଲେ ସେହି ହିଡ଼କୁ ଦୃଢ଼ କରିଦେବ । ଯେପରି ସମସ୍ତ ପାଣି କିଆରୀ ମଧ୍ୟରେ ଜମି ରହିବ, ତା’ର ଉପାୟ କରି ତୁମେ ଫେରିଆସିବ । ଏଇ ବର୍ଷାଜଳ ଉପରେ କ୍ଷେତର ଫସଲ ନିର୍ଭର କରୁଛି । ପାଣିତକ ବୋହିଗଲେ ଆଉ କଦାପି ଫସଲ ହେବନାହିଁ-। ବିଳମ୍ବ ନ କରି ଏବେ ଶୀଘ୍ର ବାହାରିପଡ଼ । ତୁମ ଉପରେ ଆସ୍ଥା ରଖି ମୁଁ ନିଶ୍ଚିନ୍ତ ରହିଲି ।

 

ତା’ର କାର୍ଯ୍ୟ ଉପରେ ଗୁରୁଦେବଙ୍କର ଏପରି ବିଶ୍ୱାସ ଜାଣି ଆରୁଣି ମନେ ମନେ ଆପ୍ୟାୟିତ ହେଲା । କିପରି ତାଙ୍କର ଆଦେଶକୁ ଯଥାଯ ରୂପେ କାର୍ଯ୍ୟରେ ପରିଣତ କରିବ, ଏଥିପାଇଁ ସେ ବଡ଼ ଉଦବିଗ୍ନ ହୋଇଉଠିଲା । ଅନ୍ୟ କୌଣସି ଚିନ୍ତାକୁ ହୃଦରେ ସ୍ଥାନ ନ ଦେଇ ସେ ତତ୍‌କ୍ଷଣାତ୍ କ୍ଷେତକୁ ଧାଇଁଲା ।

 

ସେଠାରେ ପହଞ୍ଚି ଆରୁଣି ପ୍ରଥମେ ବିସ୍ତୃତ କିଆରୀମାନଙ୍କ ହିଡ଼ ଉପରେ ଦୃଷ୍ଟି ସଂଚାଳନ କରିଗଲା । ଦେଖିଲା, ଗୋଟିଏ ହିଡ଼ର ଏକ ଅଂଶ ଭାଙ୍ଗିଯାଇଛି ଏବଂ ତହିଁରେ ଗଳିଆଟିଏ ପଡ଼ିଛି । ବୃଷ୍ଟିଜଳ ସେହି ଗଳିଆମୁହଁ ଦେଇ କ୍ଷେତରୁ ଚାଲିଯାଉଛି ।

 

ତାହା ଦେଖି ଆରୁଣିର ବୁଦ୍ଧି ହଜିଗଲା । ସଙ୍ଗରେ ତ କୋଡ଼ି, କୋଦାଳ କିଛି ଆଣି ନାହିଁ, ଏବେ ଗଳିଆମୁହଁ ବନ୍ଦ କରିବ କିପରି ? କି ଉପାୟରେ ବା ହିଡ଼କୁ ବାନ୍ଧି ଉଚ୍ଚ କରିବ ? କୌଣସି ବୁଦ୍ଧିବାଟ ତାକୁ ସେତେବେଳେ ଦିଶିଲା ନାହିଁ । ନିରୁପାୟ ହୋଇ ଶେଷରେ ନିଜେ ସେହି ଗଳିଆମୁହଁରେ ଲମ୍ବ ହୋଇ ଶୋଇପଡ଼ିଲା । ଫଳରେ ପାଣି ଆଉ ତାକୁ ଡେଇଁ ବୋହିଯାଇ ପାରିଲା ନାହିଁ ।

 

ଆରୁଣି ମନରେ ମହା ଆନନ୍ଦ । ସେ ଆଜି ଗୁରୁଙ୍କ ଆଦେଶ ପାଳନ କରିପାରିଛି ।

 

ଦିନ ଯାଇ ସନ୍ଧ୍ୟା ହେଲା । ଆରୁଣି ସେହିପରି ଶୋଇ ରହି ସ୍ରୋତର ଗତିପଥ ରୁଦ୍ଧ କରିଥାଏ । ସମସ୍ତ ଦିନ ପାଣି ମଧ୍ୟରେ ନିର୍ଜୀବ ଭଳି ପଡ଼ିରହିବା ଯୋଗୁ ଥଣ୍ଡାରେ ତା’ର ଆପାଦମସ୍ତକ ଥରୁଥାଏ । ଦେହ ଶେତା ପଡ଼ିଯାଇଥାଏ ।

 

–୨–

 

ଆଶ୍ରମରେ ସନ୍ଧ୍ୟା...

 

ଶଙ୍ଖ ଘଣ୍ଟା ବାଜିଉଠିଲା । ତପୋବନ–ଲକ୍ଷ୍ମୀଙ୍କ ବନ୍ଦାପନାପାଇଁ କର୍ପୂର ଆଳତି ଜଳିଲା-। ଧୂପଦୀପର ଧୂମକୁଣ୍ଡଳୀ ମଣ୍ଡଳାକାରରେ ଊର୍ଦ୍ଧ୍ୱକୁ ଉଠି ତରୁଲତା-ଶୀର୍ଷରେ କ୍ରମେ ମିଳାଇ ଯିବାକୁ ଲାଗିଲା ।

 

ଶିଷ୍ୟମାନେ ବେଦଗାନପାଇଁ ଋଷିଙ୍କ ସମୀପରେ ଆସି ସମବେତ ହେଲେ । ଋଷି ସମସ୍ତଙ୍କ ଉପରେ ଥରେ ଦୃଷ୍ଚି ସଂଚାଳନ କରିସାରି କହିଲେ :

 

“ଆରୁଣି କାହିଁ ? ସେ କାହିଁକି ତୁମମାନଙ୍କ ସଙ୍ଗରେ ଆସିନାହିଁ?”

ଶିଷ୍ୟମାନେ ଉତ୍ତର ଦେଲେ :

 

“ଆପଣ ଯେ ତାକୁ ପ୍ରଭାତରୁ କ୍ଷେତକୁ ପଠାଇଥିଲେ, ସେ ଏ ପର୍ଯ୍ୟନ୍ତ ସେଠାରୁ ଫେରିନାହିଁ ।”

 

ଧୌମ୍ୟ ଏହା ଶୁଣି ବିଚଳିତ ହୋଇ କହିଲେ :

 

“ଏପର୍ଯ୍ୟନ୍ତ ଫେରି ନାହିଁ ! ତେବେ ତ ବଡ଼ ଆଶଙ୍କାର କଥା । କିଛିମାତ୍ର ତୁଣ୍ଡରେ ନ ଦେଇ ସକାଳପହରୁ କ୍ଷେତକୁ ଯାଇଛି । ଦିନଟିଯାକ ଉପବାସରେ କାଟିଥିବ । ଏବେ କାଳରାତ୍ର ଆସିଲା । ଏତେବେଳଯାଏ ତାହାହେଲେ କଣ ସେ ହିଡ଼ ବାନ୍ଧୁଛି ! ନା, ନା, ଏ ଅସମ୍ଭବ । ନିଶ୍ଚୟ ସେ କୌଣସି ବିପତ୍ତିର ସମ୍ମୁଖୀନ ହୋଇଛି । ସବୁ କାର୍ଯ୍ୟ ବନ୍ଦ କରି ଚାଲ ତାକୁ ଅନ୍ୱେଷଣ କରିବାକୁ ଯିବା ।”

 

ଅନେକ ଶିଷ୍ୟ ବାହାରିପଡ଼ିଲେ । ଋଷି ସେମାନଙ୍କ ଆଗେ ଆଗେ ଦ୍ରୁତପଦରେ ଚାଲିଥାନ୍ତି ‘ଆରୁଣି’, ‘ଆରୁଣି’ ବୋଲି ଚିତ୍କାର ଛାଡ଼ିଥାନ୍ତି । ସେହି ଉଚ୍ଚସ୍ୱର ଏ ନିଃଶବ୍ଦ ବନଭୂମିର ନିବିଡ଼ ଅନ୍ଧକାର ଭେଦି ବହୁ ଦୂର ଅଗ୍ରସର ହେଲେ ହେଁ ଋଷି ତା’ର କୌଣସି ପ୍ରତ୍ୟୁତ୍ତର ପାଇପାରିଲେ ନାହିଁ ।

 

ବେଳୁ ବେଳ ସନ୍ଦେହର ମାତ୍ରା ଅଧିକ ହେଲା । ମନର ଉଦ୍‍ବେଗ ଯେତେ ବଢ଼ିଲା, ଋଷିଙ୍କ ଗତି ସେତେ କ୍ଷିପ୍ରତର ହେଲା । ଶିଷ୍ୟଗଣ ତାଙ୍କର ଅନୁଧାବନ କଲେ । ସମସ୍ତଙ୍କ ତୁଣ୍ଡରୁ ପୂର୍ବପରି ‘ଆରୁଣି’, ‘ଆରୁଣି’ ଚିତ୍କାର ଛୁଟିଥାଏ, ତଥାପି କୌଣସି ଉତ୍ତର ନାହିଁ ।

 

ଚାହୁଁ ଚାହୁଁ କ୍ଷେତ ନିକଟତର ହୋଇଆସିଲା । ଏହି ସମୟରେ ଗୁରୁଙ୍କର ଉଚ୍ଚ ଚିତ୍କାର ଆରୁଣିର କର୍ଣ୍ଣପଟରେ ଆଘାତ କଲା । ସେ ଧୀର ଗଳାରେ ଉତ୍ତର ଦେଲା :

 

“ଗୁରୁଦେବ ! ମୁଁ ଏଇଠି ଶୋଇରହି ଗଳିଆମୁହଁ ବନ୍ଦ କରିଛି ।”

 

ଋଷି ଆଶ୍ଚର୍ଯ୍ୟ ହୋଇଗଲେ । ସେହି କଣ୍ଠସ୍ୱର ଦିଗକୁ ଲକ୍ଷ୍ୟ କରି ସେ ତା ନିକଟରେ ଯାଇ ଉପଗତ ହେଲେ । ଦେଖିଲେ, ସତକୁ ସତ ଆରୁଣି କାଦୁଅ-ପଙ୍କରେ ଲଟପଟ ହୋଇ ଗଳିଆ-ମୁହଁରେ ଶୋଇ ରହିଛି ।

 

ପ୍ରିୟ ଶିଷ୍ୟର ଏ ସଂକଟମୟ ଅବସ୍ଥା ଦେଖି ଧୌମ୍ୟ ଆଉ ସମ୍ଭାଳି ପାରିଲେ ନାହିଁ । ଆରୁଣିକୁ ଉଠାଇ ଆଣି ସ୍ୱହସ୍ତରେ ତା’ର ସର୍ବାଙ୍ଗ ପୋଛି କହିଲେ :

 

“କିଆରୀରୁ ସମସ୍ତ ଜଳ ପଛେ ବୋହି ଚାଲିଯାଉ, ତୁମେ ମୋ ସହିତ ଚାଲ । ଫସଲ ଏ ଖେପରେ ନଷ୍ଟ ହୋଇଗଲେ ଆର ଖେପକୁ ହେବ; ମାତ୍ର ତୁମପରି ଦୁର୍ଲ୍ଲଭ ରତ୍ନଟିଏ ନଷ୍ଟ ହୋଇଗଲେ ଆଉ ମିଳିବ କାହୁଁ ?”

 

ଆରୁଣି ଗଳିଆମୁହଁରୁ ଉଠିଆସି ଗୁରୁଙ୍କୁ ନମଷ୍କାର କଲା । ଗୁରୁ ଆର୍ଶୀବାଦ କରି ସ୍ନେହଭରା କଣ୍ଠରେ ପଚାରିଲେ :

 

“ଆରୁଣି ! ତୁମେ ଏ ଦୁର୍ବୁଦ୍ଧି କଲ କାହିଁକି? କୋଡ଼ି କୋଦାଳରେ ତ ହିଡ଼ଟି ବସାଇଦେଇ ନିଶ୍ଚିନ୍ତରେ ଫେରିଯାଇଥାନ୍ତ, ଏତେ ବେଳଯାକେ ଗଳିଆମୁହଁରେ ଶୋଇରହି ନିଜକୁ ଏପରି ସାଂଘାତିକ କଷ୍ଟ ଦେଲ କାହିଁକି?”

 

ଆରୁଣି ଯୁକ୍ତକରରେ ବୁଝାଇ କହିଲା :

 

“ଗୁରୁଦେବ ! କ୍ଷେତର ଅବସ୍ଥା ଏପରି ଭୟଙ୍କର ହୋଇଥିବ ବୋଲି ମୁଁ କଣ ଜାଣିଥିଲି? ଆପଣ ମଧ୍ୟ ମତେ କିଛି କହି ନ ଥିଲେ । ତେଣୁ ମୁଁ କୋଡ଼ି ବା କୋଦାଳ କିଛି ହାତରେ ଆଣି ନ ଥିଲି । ଏଠାରେ ପାଣି ଯେତେ ଜୋର୍‍ରେ ଗଡ଼ି ଚାଲିଯାଉଥିଲା, ମୁଁ ଯେବେ ଆଶ୍ରମକୁ କୋଡ଼ି କୋଦାଳ ଆଣିବାକୁ ଯାଇଥାନ୍ତି, ତାହାହେଲେ ଆସିଲାବେଳକୁ କ୍ଷେତରେ ଆଉ ମୋଟେ ପାଣି ନ ଥାନ୍ତା ।”

 

ଆରୁଣିର ଏ ବିଚକ୍ଷଣ ବୁଦ୍ଧି ଓ ପ୍ରତ୍ୟୁତ୍ପନ୍ନମତିତା, ପୁଣି ତା’ର ଏ କଳ୍ପନାତୀତ କଷ୍ଟସହିଷ୍ଣୁତା ଓ ଅପୂର୍ବ ଗୁରୁଭକ୍ତି ଦେଖି ଋଷି ଯେପରି ଆବାକ୍ ହେଲେ, ସେହିପରି ମଧ୍ୟ ମୁଗ୍‍ଧ ହେଲେ ? ସମସ୍ତ ଶିଷ୍ୟଙ୍କ ସମକ୍ଷରେ ତାକୁ ପ୍ରଶଂସା କରି କହିଲେ :

 

“ବତ୍ସ ଆରୁଣି ! ଆଜି ତୁମର ଏ ଗଭୀର କର୍ତ୍ତବ୍ୟନିଷ୍ଠାର ଦୃଷ୍ଟାନ୍ତ ଜଗତରେ ବିରଳ । ଆଜି ତୁମର ପରୀକ୍ଷା ଶେଷ ହେଲା । ଏବେ ଆଶ୍ରମକୁ ଚାଲ, ମୋଠାରୁ ଶିକ୍ଷା ଗ୍ରହଣ କରିବ । ଆଶୀର୍ବାଦ କରୁଛି, ତୁମେ ଅଳ୍ପ କାଳ ମଧ୍ୟରେ ଯାବତୀୟ ଦୂରୁହ ବିଦ୍ୟାର ଅଧିକାରୀ ହୋଇ ତୁମର ବଂଶ ଉଜ୍ଜ୍ୱଳ କରିବ ।”

 

ସମସ୍ତେ ଆଶ୍ରମକୁ ଫେରିଲେ । ବାସ୍ତବିକ ଖୁବ୍ ଅଳ୍ପ ସମୟ ମଧ୍ୟରେ ଆରୁଣି ବେଦ, ଶାସ୍ତ୍ର ଆଦି ବହୁ ବିଦ୍ୟା ଆୟତ୍ତ କରି ସୁପଣ୍ଡିତ ହେଲା । ଏହିରୂପେ ତା’ର ଶିକ୍ଷା ପୂର୍ଣ୍ଣାଙ୍ଗ ହୁଅନ୍ତେ ଗୁରୁ ଧୌମ୍ୟଙ୍କ ଆଦେଶାନୁଯାୟୀ ସେ ଆଶ୍ରମ ଛାଡ଼ି ନିଜ ଗୃହକୁ ଫେରିଗଲା ।

Image

 

ଗୁରୁମାଗେ ଶିଷ୍ୟତ୍ୱର ଭିକ୍ଷା

 

–୧–

ଗୁରୁ ଗୌତମ...

 

ଗୌରବମୟ ଗୌତମକୁଳର ଉଜ୍ଜ୍ୱଳ ମଣି । ଏହି ବ୍ରାହ୍ମଣ ବଂଶରେ ଯେତେ ଋଷି ଜନ୍ମଗ୍ରହଣ କରିଥିଲେ , ସମସ୍ତଙ୍କ ଅପେକ୍ଷା ଗୌତମ ଋଷି ଅଧିକ ବିଖ୍ୟାତ । ସମସାମୟିକ କୌଣସି ବ୍ୟକ୍ତି ବେଦବିଦ୍ୟାରେ ତାଙ୍କର ସମକକ୍ଷ ହେବାପାଇଁ ସାମର୍ଥ୍ୟ ଅର୍ଜନ କରି ପାରି ନ ଥିଲେ । କିନ୍ତୁ ଏଡ଼େ ବଡ଼ ଜ୍ଞାନୀ ହେଲେହେଁ ଗୌତମଙ୍କ ହୃଦୟ ଶିଶୁ ହୃଦୟଠାରୁ ସରଳ ଓ ନିର୍ମଳ ଥିଲା । ତାଙ୍କର ଜ୍ଞାନର ଭଣ୍ଡାର ଯେତିକି ବଢ଼ୁଥାଏ, ଅଧିକ ଜ୍ଞାନର ପିପାସା ସେତିକି ତାଙ୍କୁ ବ୍ୟାକୁଳ କରୁଥାଏ । ସାମାନ୍ୟ ବାଳକଠାରୁ ମଧ୍ୟ ସମୟ ସମୟରେ ନୂତନ ଜ୍ଞାନ ଆହରଣ କରାଯାଇଥାଏ–ଏହି ମତରେ ତାଙ୍କର ପ୍ରବଳ ବିଶ୍ୱାସ । ତେଣୁ ଯାହାଙ୍କଠାରେ ଜ୍ଞାନର ସନ୍ଧାନ ପାଆନ୍ତି, ସଙ୍ଗେ ସଙ୍ଗେ ତାଙ୍କ ନିକଟକୁ ଯାଇ ତାହା ଗ୍ରହଣ କରିବା ପାଇଁ ସେ ଅତ୍ୟନ୍ତ ଶ୍ରଦ୍ଧାଳୁ ହୋଇପଡ଼ନ୍ତି । ଏହି ଦୁର୍ଲ୍ଲଭ ଗୁଣ କ୍ୱଚିତ୍ ଲୋକଙ୍କଠାରେ ପରିଦୃଷ୍ଟ ହୁଏ । ମନୁଷ୍ୟତାର ଏହା ହିଁ ପ୍ରକୃତ ମହତ୍ତ୍ୱ–ଜ୍ଞାନବୃଦ୍ଧିର ଏହା ହିଁ ପ୍ରକୃତ ମାର୍ଗ ।

 

ଶ୍ୱେତକେତୁ ଏହି ବରେଣ୍ୟ ‘ଗୁରୁ’ ଗୌତମଙ୍କର ସୁଯୋଗ୍ୟ ପୁତ୍ର । ବେଦବିତ୍ ପିତାଙ୍କଠାରୁ ଯାବତୀୟ ବିଦ୍ୟା ଶିକ୍ଷାକରି ସେ ମଧ୍ୟ ଜଣେ ବେଦଜ୍ଞରୂପେ ପରିଚିତ ହେଲା । ମାତ୍ର ଦୁଃଖର କଥା, ବିନୟ ଗୁଣଟି ସେ ପିତାଙ୍କଠାରୁ ଉତ୍ତରାଧିକାରୀ ସୂତ୍ରରେ ଲାଭ କରିପାରିଲା ନାହିଁ । ବେଦଶାସ୍ତ୍ରରେ ପାରଦର୍ଶିତା ଅର୍ଜନ କରିବା ଫଳରେ ତା’ ମନରେ ଅହଂକାରର ମାତ୍ରା ଅତିରିକ୍ତ ବଢ଼ିଗଲା । ଦେଶବିଦେଶର ବଡ଼ ବଡ଼ ଜ୍ଞାନୀଙ୍କ ସହିତ ଜ୍ଞାନଚର୍ଚ୍ଚା କରି କିପରି ସେମାନଙ୍କୁ ତର୍କଯୁଦ୍ଧରେ ପରାସ୍ତ କରିବ ଏବଂ ଜୟଟୀକା ଘେନି ଗୃହକୁ ବୀରଦର୍ପରେ ଫେରିଆସିବ, ଏହା ହିଁ ହେଲା ତା’ର ଦିନରାତି ଚିନ୍ତା । ସେ ସମୟରେ ବିଦ୍ୟାଚର୍ଚ୍ଚା ପାଇଁ ପାଞ୍ଚାଳ ଦେଶର ପ୍ରଭୂତ ଖ୍ୟାତି ଥିଲା । ‘ପ୍ରବାହଣ’ ଥିଲେ ସେହି ଦେଶର ପ୍ରସିଦ୍ଧ ନରପତି । ତତ୍‌କାଳୀନ ରାଜାମାନଙ୍କ ମଧ୍ୟରେ ଶ୍ରେଷ୍ଠ ବ୍ରହ୍ମଜ୍ଞାନୀ ବୋଲି ସେ ଲୋକମୁଖରୁ ଅଜସ୍ର ପ୍ରଶଂସା ଲାଭ କରୁଥିଲେ ।

 

ପାଞ୍ଚାଳ ରାଜା ପ୍ରବାହଣଙ୍କ ରାଜସଭା ବହୁ ବିଦ୍ୱାନ୍ ଓ ପଣ୍ଡିତଙ୍କ ଦ୍ୱାରା ଅଳଂକୃତ ହୋଇଥିଲା । ଦୂରଦେଶାଗତ ଜ୍ଞାନୀ ତଥା ଗୁଣୀ ବ୍ୟକ୍ତିମାନେ ତହିଁରେ ସର୍ବଦା ଆଶ୍ରୟ ପାଉଥିଲେ-। ଫଳତଃ ବର୍ଷସାରା ତାଙ୍କ ରାଜସଭାରେ ଜ୍ଞାନାଲୋଚନା ଲାଗି ରହୁଥିଲା ।

 

ଦୈବଯୋଗେ ସେହି ସମୟରେ ପ୍ରବାହଣ ଏକ ବିରାଟ ସଭାର ଆୟୋଜନ କରିଥାନ୍ତି-। ଶତ ଶତ ଋଷି ଓ ବ୍ରାହ୍ମଣ ସେଠାରେ ସମବେତ ହୋଇଥାନ୍ତି । ନିଜ ବିଦ୍ୟାର ଶ୍ରେଷ୍ଠତ୍ୱ ପ୍ରତିପାଦନପାଇଁ ଏହା ହିଁ ପ୍ରକୃଷ୍ଟ ସୁଯୋଗ ଭାବି ଶ୍ୱେତକେତୁ ସେହି ସଭାରେ ଯୋଗ ଦେବାକୁ ବାହାରିଲା । ମନେ ମନେ ସ୍ଥିର କରିନେଲା–ସ୍ୱୟଂ ରାଜା ଓ ସଭାସ୍ଥ ପଣ୍ଡିତମଣ୍ଡଳୀଙ୍କୁ ଏକ ସ୍ଥାନରେ ପାଇ ସେ ସେମାନଙ୍କୁ ବିଦ୍ୟାଚର୍ଚ୍ଚାରେ ନିଶ୍ଚୟ ପରାଜିତ କରିଦେବ । ତାହାହେଲେ ଅତି ଅଳ୍ପ ସମୟ ମଧ୍ୟରେ ତା’ର ଜ୍ଞାନଯଶ ଦେଶବିଦେଶରେ ପ୍ରଚାରିତ ହୋଇପାରିବ ।

 

ଶ୍ୱେତକେତୁ ଯଥାକାଳରେ ଯାଇ ପାଞ୍ଚାଳ ରାଜସଭାରେ ଉପସ୍ଥିତ ହେଲା । ରାଜା ପ୍ରବାହଣ ଏଥି ପୂର୍ବରୁ ତା’ର ଅହମିକା କଥା ଶୁଣି ସାରିଥିଲେ । ଏବେ ତାକୁ ସମ୍ମୁଖରେ ଦେଖି ତା’ର ଯଥୋଚିତ ସମ୍ବର୍ଦ୍ଧନା କଲେ ଏବଂ ଜ୍ଞାନର ଗଭୀରତା କଳିବାପାଇଁ ଧୀର ସ୍ୱରରେ କହିଲେ :

 

“ଋଷିପୁତ୍ର ! ମୁଁ ଆଶା କରୁଛି, ତୁମେ ନିଶ୍ଚୟ ତୁମ ପିତାଙ୍କ ଠାରୁ ସମସ୍ତ ବିଦ୍ୟା ଶିକ୍ଷା କରିଥିବ–ନୁହେଁ କି ?”

 

ଅସଂଖ୍ୟ ବ୍ୟକ୍ତିଙ୍କ ସମକକ୍ଷରେ ଏଭଲି ପ୍ରଶ୍ନଟାଏ ଶୁଣି ଶ୍ୱେତକେତୁ ଟିକିଏ କ୍ଷୁବ୍‍ଧ ହେଲା; ମାତ୍ର ମନର ଭାବ ମନରେ ଚାପି ରଖି ବେଶ୍ ଦମ୍ଭରେ ଉତ୍ତର ଦେଲା :

 

“ହଁ, ମହାରାଜ ! ସକଳ ଶାସ୍ତ୍ର, ସକଳ ବେଦ ପିତାଙ୍କ ନିକଟରୁ ଶିକ୍ଷା କରିସାରିଛି, ବର୍ତ୍ତମାନ ମୁଁ ସର୍ବବିଦ୍ୟା-ବିଶାରଦ ।

 

ଏହି ଉତ୍ତରର ପ୍ରତ୍ୟେକ ଶବ୍ଦରେ ଯେ ଅହମିକା ପୂରିରହିଛି, ଏହା ରାଜା ସହଜରେ ଜାଣିନେଲେ । ତହୁଁ ସେ ଶ୍ୱେତକେତୁ ମନରୁ ଏହି ନିରର୍ଥକ ଗର୍ବକୁ ଦୂର କରିଦେବାପାଇଁ ତାକୁ ଜନ୍ମ-ମୃତ୍ୟୁ ସମ୍ବନ୍ଧରେ ପାଞ୍ଚୋଟି ପ୍ରଶ୍ନ ପଚାରିଲେ ।

 

ଦୁଃଖର କଥା, ଶ୍ୱେତକେତୁ ଗୋଚିଏ ହେଲେ ପ୍ରଶ୍ନର ଉତ୍ତର ଦେଇପାରିଲା ନାହିଁ–ସବୁଗୁଡ଼ିକ ତା ଜ୍ଞାନସୀମାର ବାହାରେ । ଲଜ୍ଜାରେ ମସ୍ତକ ତା’ର ଅବନତ ହୋଇଗଲା–ଚକ୍ଷୁରୁ ଦୀପ୍ତି ଉଭେଇଗଲା । ବିଷାଦ ମଳିନ ମୁଖରେ ତାକୁ ବାଧ୍ୟ ହୋଇ ସ୍ୱୀକାର କରିବାକୁ ହେଲା :

 

“ମହାରାଜ ! ମୁଁ ଏ କଠିନ ତତ୍ତ୍ୱର ଅନୁଶୀଳନ କରିନାହିଁ–ପିତା ମଧ୍ୟ ଏ ବିଷୟରେ ମତେ ଏ ପର୍ଯ୍ୟନ୍ତ ଉପଦେଶ ଦେଇନାହାନ୍ତି ।”

 

ଏହା ଶୁଣି ପ୍ରବାହଣ ମୃଦୁହାସ୍ୟ କରି କହିଲେ :

 

“ବ୍ରାହ୍ମଣକୁମାର ! ତୁମର ବୃଥା ଆସ୍ଫାଳନ ତେବେ କେଉଁଥିପାଇଁ ? ଯେ ଗୋଟିଏ ହେଲେ ପ୍ରଶ୍ନର ଉତ୍ତର ଦେବାକୁ ଅସମର୍ଥ, ସେ ପୁଣି କେଉଁ ସାହସରେ ଦିଗ୍‍ବିଜୟରେ ବାହାରିଥାଏ ? ବିଦ୍ୟାର ବିନ୍ଦୁବିସର୍ଗ ନ ଜାଣି ଯେ ନିଜକୁ ସର୍ବବିଦ୍ୟା-ବିଶାରଦ ବୋଲି ବଡ଼ାଇ କରେ, ଶେଷରେ ସେ ଏହିପରି ବିଦ୍ୱାନ୍‍ମଣ୍ଡଳୀରେ ହାସ୍ୟାସ୍ପଦ ହୁଏ ସିନା !”

 

ରାଜାଙ୍କର ଏହି ବ୍ୟଙ୍ଗପର୍ଣ୍ଣ କଟୁବାଣୀ ଶ୍ୱେତକେତୁ ମର୍ମେ ମର୍ମେ ଅନୁଭବ କଲା । ମନେ ହେଲା, ସତେ ଯେପରି ତା’ର ପାଦତଳେ ବସୁନ୍ଧରା ଘୂର୍ଣ୍ଣିବେଗରେ ଘୂରୁଛି–ବିରାଟ ଆକାଶ ତା’ର ମସ୍ତକ ଉପରେ ଖସି ପଡ଼ୁଛି । ମୁହୂର୍ତ୍ତେ ସୁଦ୍ଧା ସେଠାରେ ରହିବାକୁ ତାକୁ ତର ସହିଲା ନାହିଁ । ଘୋର ଦୁଃଖ, କ୍ଷୋଭ ଓ ଲଜ୍ଜାରେ ସେ ଅପମାନିତ ପ୍ରାଣ ଘେନି ସଙ୍ଗେ ସଙ୍ଗେ ସଭା ତ୍ୟାଗକରି ପଳାଇ ଆସିଲା ।

 

–୨–

 

ପରାଜୟର କଷାଘାତ…

 

ପିତାଙ୍କ ଆଶ୍ରମରେ ପହଞ୍ଚିଲାବେଳକୁ ଶ୍ୱେତକେତୁର କଣ୍ଠ ବାଷ୍ପରୁଦ୍ଧ ହୋଇଯାଇଥାଏ, ଚକ୍ଷୁ ଅଶ୍ରୁସଂକୁଳ ହୋଇ ଉଠିଥାଏ । କୌଣସିମତେ ସେ ହୃଦୟର କୋହ ସମ୍ଭାଳି ଗୌତମଙ୍କ ଆଗରେ ସମସ୍ତ ଘଟଣା ନିବେଦନ କଲା :

 

“ପିତା ! ସାମାନ୍ୟ କ୍ଷତ୍ରିୟ ରାଜା ପ୍ରବାହଣ, ତା ନିକଟରେ ପୁଣି ଗୌତମ–ପୁତ୍ର ଶ୍ୱେତକେତୁ ଆଜି ପରାଜିତ ହେଲା । ଏ ଘୋର ଅପମାନ ସହ୍ୟ କରି ରହିବା ଅପେକ୍ଷା ବରଂ ମୃତ୍ୟୁ ମୋ ପକ୍ଷରେ ଶ୍ରେୟସ୍କର । ଗୋଟାଏ ନୁହେଁ , ଦୁଇଟା ନୁହେଁ, ପାଞ୍ଚୋଟି ପ୍ରଶ୍ନ ପଚାରିଲା ସେ, ଅଥଚ ଆପଣଙ୍କ ପରି ମହାଜ୍ଞାନୀର ସନ୍ତାନ ହୋଇ ଗୋଟିକର ସୁଦ୍ଧା ମୁଁ ଉତ୍ତର ଦେଇପାରିଲି ନାହିଁ । ଏହାଠାରୁ ବଳି ଦୁର୍ଭାଗ୍ୟ ଆଉ କଣ ହୋଇପାରେ ?”

 

ପୁତ୍ରକୁ ଅଧିକ କୁହାଇ ନ ଦେଇ ଗୌତମ ଧୀର ସ୍ୱରରେ ସାନ୍ତ୍ୱନା ଦେବାକୁ ଲାଗିଲେ :

 

“ବତ୍ସ ! ଦେଖୁଛି, ତୁ ବଡ଼ ବ୍ୟଥିତ ଓ ବିବ୍ରତ ହୋଇ–ପଡ଼ିଛୁ । କ୍ରୋଧ ସଂବରଣ କରି ଧୈର୍ଯ୍ୟ ଧର । କହ ଦେଖି, ପ୍ରବାହଣ କି କି ପ୍ରଶ୍ନ ପଚାରିଲେ ?”

 

ଶ୍ୱେତକେତୁ ପଛକୁ ପଛ ପାଞ୍ଚୋଟିଯାକ ପ୍ରଶ୍ନ କହିଗଲା । ପିତା ଯେତେ ପ୍ରବୋଧ ଦେଲେ ହେଁ ତା’ର ମନ ଆଦୌ ବୁଝୁ ନ ଥାଏ । ସେ ଅଭିମାନଭରା କଣ୍ଠରେ ପଚାରିଲା :

 

“ପିତା ! ଆପଣ ତ ମୋତେ ସବୁ ବିଦ୍ୟା ଶିଖାଇ ସାରିଛନ୍ତି, ତେବେ ମୁଁ ଗୋଟାଏ ସୁଦ୍ଧା ପ୍ରଶ୍ନର ଉତ୍ତର ଦେଇପାରିଲି ନାହିଁ କାହିଁକି ? ତାହାହେଲେ କଣ ଏ ବିଦ୍ୟା ସମ୍ବନ୍ଧରେ ମତେ ଆପଣ ଜ୍ଞାନ ଦାନ କରିନାହାନ୍ତି? ପ୍ରକୃତ ରହସ୍ୟ କଣ ଫିଟାଇ କହନ୍ତୁ ପିତା?”

 

ସମସ୍ତ ଶୁଣିସାରି ଋଷି ସସ୍ନେହ ମଧୁର ଭାଷାରେ କହିବାକୁ ଲାଗିଲେ :

 

“ବତ୍ସ ! ଏ ଘଟନାରେ ମୋର ଆଶ୍ଚର୍ଯ୍ୟ ହେବାର କିଛି ନାହିଁ କି ତୋର ମଧ୍ୟ ଏପରି ଅଧୀର ହେବାର କୌଣସି କାରଣ ନାହିଁ । ରାଜା ତତେ ଯେଉଁ ପ୍ରଶ୍ନଗୁଡ଼ିକ ପଚାରିଲେ, ତା’ର ଉତ୍ତର ମତେ ମଧ୍ୟ ଏପର୍ଯ୍ୟନ୍ତ ଅଜ୍ଞାତ । ମୁଁ ଯେଉଁ ବିଦ୍ୟା ଜାଣି ନାହିଁ, ତତେ ବା କିପରି ତାହା ବତାଇଦେଇ ପାରିଥାନ୍ତି ? ସେ ଯାହା ହେଉ, ଏବେ ଜାଣି ରଖ, ଜ୍ଞାନର ପରିସର କେଡ଼େ ବିସ୍ତୃତ । ସର୍ବବିଧ ଜ୍ଞାନ ଆୟତ୍ତ କରିବା କାହାରି ପକ୍ଷରେ ସମ୍ଭବ ନୁହେଁ । ତେବେ ଅନ୍ତରର ପ୍ରକୃତ ଆଗ୍ରହ ଥିଲେ ମନୁଷ୍ୟ ଯେକୌଣସି ଜ୍ଞାନ ଆହରଣ କରିପାରେ । ମୁଁ ବେଶ୍ ବୁଝିପାରୁଛି, ଏହି ବିଦ୍ୟା ଜାଣିବା ପାଇଁ ତୁ ବଡ଼ ବ୍ୟାକୁଳ ହୋଇପଡ଼ିଛୁ । ତୋ ଅପେକ୍ଷା ବେଶୀ ବ୍ୟାକୁଳ ମୁଁ । ମୋର ଦୃଢ଼ ବିଶ୍ୱାସ, ଏହି ନୂତନ ଜ୍ଞାନକୁ କୌଣସିମତେ ଅର୍ଜନ କରି ମୁଁ ତତେ ଶିଖାଇଦେବି ।”

 

ଏବେ ଶ୍ୱେତକେତୁର ସନ୍ଦେହଭଞ୍ଜନ ହେଲା । ସେ ବୁଝି ପାରିଲା, ପିତା ତା ନିକଟରୁ ଏହି ବିଦ୍ୟାଟିକୁ ଗୋପନ ରଖି ନାହାନ୍ତି । ତେଣୁ ସେ ଆଶ୍ୱସ୍ତ ହେଲା ।

 

ଏଣେ ଗୌତମଙ୍କ ପ୍ରାଣରେ ପ୍ରବଳ ଉତ୍କଣ୍ଠା ଆସିଲା–କିପରି ସେହି ଅଜ୍ଞାତ ଜ୍ଞାନର ଅଧିକାରୀ ହେବେ । କିଛି ସମୟ ଚିନ୍ତା କରି ସେ ସ୍ଥିର କଲେ, ଏହି ଉଦ୍ଦେଶ୍ୟ ସାଧନପାଇଁ ରାଜା ପ୍ରବାହଣଙ୍କର ଶିଷ୍ୟତ୍ୱ ସ୍ୱୀକାର କରିବା ହିଁ ଏକମାତ୍ର ପନ୍ଥା । ଗୌତମଙ୍କ ଭଳି ଏଡ଼େ ବଡ଼ ଜ୍ଞାନୀଶ୍ରେଷ୍ଠ ବ୍ରାହ୍ମଣ ଯେ ଜ୍ଞାନାର୍ଜନ ପାଇଁ ପ୍ରୌଢ଼ ବୟସରେ ଜଣେ କ୍ଷତ୍ରିୟ ରାଜାଙ୍କର ଶିଷ୍ୟ ହେବାପାଇଁ ବ୍ୟାକୁଳ ହୋଇପାରନ୍ତି, ଏ କଥା ସାଧାରଣ ଲୋକେ ବିଶ୍ୱାସ କରିପାରିବେ ନାହିଁ । ମାତ୍ର ଏହିଠାରେ ହିଁ ପ୍ରକୃତ ଜ୍ଞାନୀର ମହତ୍ତ୍ୱ । ଗୌତମ ଋଷି ଆଜୀବନ ଜ୍ଞାନରଙ୍କ; ତେଣୁ ପ୍ରବୀଣ ଗୁରୁରୂପେ ଖ୍ୟାତି ଅର୍ଜନ କରିଥିଲେ ମଧ୍ୟ ଶିଷ୍ୟ ହେବାକୁ ଯିବା ତାଙ୍କ ପକ୍ଷରେ ଅତି ସ୍ୱାଭାବିକ ।

 

–୩–

 

ଫଳ ଭାରରେ ଅବନତ ତରୁ....

 

ଠିକ୍ ସେହିପରି ଗୁରୁ ଗୌତମ । ସେ ହୃଦୟରେ ଅସୀମ ଶ୍ରଦ୍ଧା ଓ ଆଗ୍ରହ ଘେନି ପ୍ରବାହଣଙ୍କ ରାଜସଭାରେ ଯାଇ ଉପଗତ ହେଲେ । ତାଙ୍କର ଏଭଳି ଅପ୍ରତ୍ୟାଶିତ ଆବିର୍ଭାବର କାରଣ ରାଜା କିଛି ଅନୁମାନ କରିପାରିଲେ ନାହିଁ; କିନ୍ତୁ ଋଷିଙ୍କ ପଦାର୍ପଣରେ ନିଜକୁ ଅଶେଷ ଭାଗ୍ୟବାନ୍ ମଣି ତାଙ୍କୁ ଯଥାଯୋଗ୍ୟ ଆଦର ସମ୍ବର୍ଦ୍ଧନା କଲେ ।

 

ପରଦିନ ପ୍ରତ୍ୟୁଷରେ ରାଜା ନିତ୍ୟକର୍ମ ସମାପନ କରି ଋଷିଙ୍କ ନିକଟରେ ପହଞ୍ଚିଲେ ଏବଂ ଭକ୍ତିସହ ନିବେଦନ କଲେ :

 

“ଦ୍ୱିଜଶ୍ରେଷ୍ଠ ! ଆପଣଙ୍କ ପାଇଁ ଏ ରାଜଭଣ୍ଡାର ଉନ୍ମୁକ୍ତ । କେଉଁ ବହୁମୂଲ୍ୟ ପାର୍ଥିବ ବସ୍ତୁରେ ଆପଣଙ୍କର ଇଚ୍ଛା, ଅକୁଣ୍ଠିତ ଚିତ୍ତରେ ପ୍ରକାଶ କରନ୍ତୁ । ତାହା ପ୍ରଦାନ କରି ମୁଁ ଧନ୍ୟ ହେବି-।”

 

ଗୌତମ କହିଲେ :

 

“ମହାରାଜ ! ମୁଁ ଋଷି–ବ୍ରାହ୍ମଣ, ଭଗବତ୍ ଚିନ୍ତାରେ କାଳଯାପନ କରେଁ; ସ୍ୱର୍ଣ୍ଣ, ହୀରକ, ଭୂମି ଆଦି ସାଂସାରିକ ଧନସମ୍ପଦରେ ମୋର କି ପ୍ରୟୋଜନ ? ସେସବୁ ଆପଣଙ୍କ ଭଳି ରାଜା ମହାରାଜାମାନଙ୍କର କାମ୍ୟ । ଏ ସକଳ ପାର୍ଥିବ ବସ୍ତୁରେ ମୋର ଲାଳସା ନାହିଁ । ମୁଁ ଯେଉଁ ଅପାର୍ଥିବ ବସ୍ତୁ ପାଇବାପାଇଁ ଏତେ ଦାର୍ଘପଥ ଅତିକ୍ରମ କରି ଆପଣଙ୍କ ନିକଟକୁ ଆସିଛି, ଦୟା କରି ସେତକ ଦେଲେ ମୁଁ ଧନ୍ୟ ହେବି ।”

 

ପ୍ରବାହଣ ଆଶ୍ଚର୍ଯ୍ୟ ହୋଇ ପଚାରିଲେ :

 

“କି ଅପାର୍ଥିବ ବସ୍ତୁରେ ଆପଣଙ୍କର ଲାଳସା ଋଷି ? କହନ୍ତୁ, ଯଦି ମୋ ନିକଟରେ ଥିବ ନିଶ୍ଚୟ ଦେବି ।”

 

“ମହାରାଜ ! ଅନଧିକାରୀ ବ୍ୟକ୍ତିଠାରେ ବ୍ରାହ୍ମଣ ଋଷି କେବେ ହେଲେ ଯାଚନା କରେ ନାହିଁ । ମହତ୍ ସ୍ଥଳ ହିଁ ସର୍ବଦା ତା’ର ଆଶ୍ରୟ । ତେଣୁ ମୋର ପ୍ରାର୍ଥନୀୟ ବସ୍ତୁ ଆପଣଙ୍କଭଳି ସଜ୍ଜନଠାରେ ନ ଥିବାର କୌଣସି କାରଣ ନାହିଁ ।”

 

“ଉତ୍ତମ । ତାହାହେଲେ ଋଷି ଏବେ ବର ଭିକ୍ଷା କରନ୍ତୁ ।”

“ବର ମୋର ଆଉ କିଛି ନୁହେଁ, ମହାରାଜ ! ସେହି ପାଞ୍ଚୋଟି ବିଷୟର ଜ୍ଞାନ ।”

“ପାଞ୍ଚୋଟି ବିଷୟ ! କଣ ସେ ପାଞ୍ଚୋଟି ଫିଟାଇ କହନ୍ତୁ ।

 

“ମହାରାଜ ! ମୋର ପୁତ୍ର ଶ୍ୱେତକେତୁକୁ ଆପଣ ପାଞ୍ଚୋଟି ପ୍ରଶ୍ନ ପଚାରିଥିଲେ, ଯହିଁରୁ ସେ ଗୋଟିକର ସୁଦ୍ଧା ଉତ୍ତର ଦେଇପାରି ନ ଥିଲା । ଦିଅନ୍ତା ବା କିପରି ? ପିତା ହୋଇ ମୁଁ ଯାହା ଆଜିଯାଏ ଜାଣି ନାହିଁ, ସେ ତାହାର ସନ୍ଧାନ ପାଆନ୍ତା କାହୁଁ ? ତା’ର ଯାହା କିଛି ଜ୍ଞାନ, ସେ ସମସ୍ତ ମୋରି ପ୍ରଦତ୍ତ ମାତ୍ର । ହେ ରାଜସତ୍ତମ ! ଆପଣ ପରମଜ୍ଞାନୀ । ତେଣୁ ଜ୍ଞାନଭିକ୍ଷା ଆଶାରେ ମୁଁ ଆଜି ଆପଣଙ୍କର ଦ୍ୱାରସ୍ଥ । ଦୟା କରି ମତେ ଶିଷ୍ୟରୂପେ ଗ୍ରହଣ କରନ୍ତୁ ଏବଂ ସେହି ପଞ୍ଚପ୍ରଶ୍ନର ବିଦ୍ୟାଦାନ କରି ମୋର ଜ୍ଞାନପିପାସା ନିବାରଣ କରନ୍ତୁ । ମହାରାଜ ! ମୋର ସେହି ଅପାର୍ଥିବ ବସ୍ତୁ ଛଡ଼ା ଅନ୍ୟ କୌଣସି ଦ୍ରବ୍ୟରେ କାମନା ନାହିଁ ।”

 

ଋଷିଙ୍କ ପ୍ରାର୍ଥନାବାଣୀ ଶୁଣି ରାଜା କ୍ଷଣକାଳ ଚିନ୍ତାକୁଳ ହୋଇପଡ଼ିଲେ । ଚିନ୍ତାର କାରଣ ହେଉଛି ଏହି ଯେ, ଗୌତମ ଯେଉଁ ବିଷୟରେ ଜ୍ଞାନ ମାଗିଲେ, ତାହା ବ୍ରହ୍ମବିଦ୍ୟାର ଅନ୍ତର୍ଗତ । ସେ ପର୍ଯ୍ୟନ୍ତ ବ୍ରାହ୍ମଣମାନେ କେବଳ ବେଦବିଦ୍ୟାର ଅଧିକାରୀ ଥିଲେ । ବ୍ରହ୍ମବିଦ୍ୟା କଣ, ତାହା ଆଦୌ ସେମାନେ ଜାଣି ନ ଥିଲେ । ବ୍ରହ୍ମବିଦ୍ୟା କ୍ଷତ୍ରିୟ ରାଜାମାନଙ୍କ ମଧ୍ୟରେ ହିଁ ଆବଦ୍ଧ ହୋଇ ରହିଥିଲା-। ସେମାନେ ପରମ୍ପରାକ୍ରମେ ଉକ୍ତ ଗୂଢ଼ ବିଦ୍ୟାଟିକୁ ରାଜନ୍ୟଗୋଷ୍ଠୀର ଏକଚାଟିଆ କରି ରଖିଥିଲେ । ତାହାର ସନ୍ଧାନ କୌଣସିମତେ ବ୍ରାହ୍ମଣଜାତିକୁ ଦେଇ ନ ଥିଲେ ।

 

ମାତ୍ର ରାଜା ପ୍ରବାହଣ ଏଥିପୂର୍ବରୁ ବାକ୍ୟ ଦେଇସାରିଛନ୍ତି–ଋଷିଙ୍କ ଅଭୀଷ୍ଟ ବସ୍ତୁ ତାଙ୍କଠାରେ ଯଦି ଥାଏ, ତେବେ ନିଶ୍ଚୟ ଅକାତରରେ ଦାନ କରିବେ । ଏବେ ସେ ବଡ଼ ସଂକଟରେ ପଡ଼ିଲେ । ଯଦି ଗୌତମକୁ ବ୍ରହ୍ମବିଦ୍ୟା ଦାନ ନ କରନ୍ତି, ସେ ସତ୍ୟଭ୍ରଷ୍ଟ ହେବେ । ପୁଣି ଯେବେ ଦାନ କରନ୍ତି, ତାହାହେଲେ ଉକ୍ତ ବିଦ୍ୟା ସେହି ଦିନଠାରୁ ବ୍ରାହ୍ମଣମାନଙ୍କର ବଂଶଗତ ହୋଇଯିବ; ଫଳରେ କ୍ଷତ୍ରିୟକୁଳର ବ୍ରହ୍ମଜ୍ଞାନଗତ ପ୍ରତିଷ୍ଠା ଚିରଦିନ ପାଇଁ ଲୋପ ପାଇଯିବ ।

 

ପ୍ରବାହଣ ଏହିରୂପେ ଘୋର ଦ୍ୱିଧାରେ ପଡ଼ି କଣ କରିବେ ହଠାତ୍ ସ୍ଥିର କରିପାରିଲେ ନାହିଁ ! ମାତ୍ର ସେ ଜଣେ ସତ୍ୟସନ୍ଧ ଆଦର୍ଶ ନରପତି; ସତ୍ୟରକ୍ଷାକୁ ନିଜର ଶ୍ରେଷ୍ଠ କର୍ତ୍ତବ୍ୟ ମନେ କରିବା ତାଙ୍କ ପକ୍ଷରେ ସ୍ୱାଭାବିକ । ମନେ ମନେ ଭାବିଲେ :

 

“ଋଷି ଗୌତମ ଲୋକପୂଜ୍ୟ ଜ୍ଞାନୀ ପୁରୁଷ । ତାଙ୍କ ଅନ୍ତରରେ ବ୍ରହ୍ମଜ୍ଞାନଲାଭର ସ୍ପୃହା ଅତି ପ୍ରବଳ ହୋଇଛି । ଏହି ଜ୍ଞାନ ଗ୍ରହଣ କରିବା ପାଇଁ ସେ ମଧ୍ୟ ଖୁବ୍ ସତ୍‌ପାତ୍ର । ପୁଣି ଜ୍ଞାନରାଜ୍ୟକୁ ଏକଚାଟିଆ କରି ରଖିବା ଅନ୍ୟାୟ–ସେଥିରେ ସମସ୍ତଙ୍କର ସମାନ ଅଧିକାର ରହିବା ଉଚିତ । ତେଣୁ ଗୌତମଙ୍କୁ ଏହି ଜ୍ଞାନଲାଭରୁ ବଞ୍ଚିତ କରିବା ବାଞ୍ଛନୀୟ ନୁହେଁ । ତଦ୍ଦ୍ୱାରା ସତ୍ୟଭ୍ରଷ୍ଟ ମହାପାପରେ ମଧ୍ୟ ମୋତେ ଜଡ଼ିତ ହେବାକୁ ପଡ଼ିବ ।”

 

ଏହିପରି ସିଦ୍ଧାନ୍ତ କରି ରାଜା ପ୍ରବାହଣ ଗୌତମଙ୍କୁ କହିଲେ :

 

“ଋଷି ! ଆପଣଙ୍କର ସାଧୁ ଇଚ୍ଛା ନିଶ୍ଚୟ ପୂର୍ଣ୍ଣ ହେବ । ମୁଁ ଆଜି ଆପଣଙ୍କୁ ଶିଷ୍ୟରୂପେ ସ୍ୱୀକାର କରି ନିଜକୁ କୃତାର୍ଥ ମନେକରୁଛି । ଆପଣଙ୍କ ପରି ପବିତ୍ରାତ୍ମା ପୃଥିବୀରେ ବିରଳ । ମନେ ରଖନ୍ତୁ, ଏ ପର୍ଯ୍ୟନ୍ତ ଏହି ବ୍ରହ୍ମଜ୍ଞାନ ଆମ କ୍ଷତ୍ରିୟକୁଳର ସମ୍ବଳ ହୋଇ ରହିଥିଲା; ଆଜି ତାହା ବ୍ରାହ୍ମଣକୁଳର ମଧ୍ୟ ସମ୍ପଦ ହେବାକୁ ଯାଉଛି । ଯେଉଁ ବ୍ରାହ୍ମଣ ଓ କ୍ଷତ୍ରିୟର ସାଧୁ ସହଯୋଗରେ ଦେଶ ଶାନ୍ତି ଓ ଅହିଂସାର ପୁଣ୍ୟ ଆଲୋକରେ ଉଦ୍ଭାସିତ, ସେହି ଦୁଇ ଶ୍ରେଷ୍ଠ ଜାତି ଆଜିଠାରୁ ବ୍ରହ୍ମବିଦ୍ୟାର ଅଧିକାରୀ ହେବେ, ଏହା କମ୍ ସୌଭାଗ୍ୟର କଥା ନୁହେଁ ।”

 

ଋଷି ଗୌତମ ରାଜାଙ୍କ ମହନୀୟ ଚରିତ୍ରର ପରିଚୟ ପାଇ ଅତୀବ ମୁଗ୍‌ଧ ହୋଇ କହିଲେ :

 

“ଗୁରୁଦେବ ! ଏବେ ଶିଷ୍ୟପ୍ରତି କି ଆଦେଶ, କହନ୍ତୁ ।”

ପ୍ରବାହଣ ଉପଯୁକ୍ତ ଶିଷ୍ୟ ପାଇ ପରମ ଆନନ୍ଦରେ କହିଲେ :

 

“ଋଷିଶ୍ରେଷ୍ଠ ! କିଛିକାଳ ଆପଣଙ୍କୁ ଏଠାରେ ରହିବାକୁ ପଡ଼ିବ । ଶୁଭ ମୁହୂର୍ତ୍ତ ଆସିଲେ ମୁଁ ଏହି ବ୍ରହ୍ମବିଦ୍ୟା ଦାନ କରିବି ।”

 

ଗୌତମଙ୍କ ଜୀବନ ସାର୍ଥକ ହେଲା । ସେ ରାଜ-ଗୁରୁଙ୍କୁ ସାଧନା ବଳରେ ପରିତୃପ୍ତ କରି ଶେଷରେ ବ୍ରହ୍ମବିଦ୍ୟା ଲାଭ କଲେ ଏବଂ କିଛି କାଳ ପରେ ନିଜ ଆଶ୍ରମକୁ ଫେରିଆସିଲେ ।

 

ଶ୍ୱେତକେତୁ ପିତାଙ୍କଠାରୁ ଉକ୍ତ ବିଦ୍ୟା ଶିକ୍ଷା କରି ସ୍ୱୀୟ ଜ୍ଞାନଭଣ୍ଡାର ବଢ଼ାଇଲା । ସେହି ଦିନଠାରୁ ବ୍ରାହ୍ମଣମାନଙ୍କ ମଧ୍ୟରେ ମଧ୍ୟ ବ୍ରହ୍ମଜ୍ଞାନର ଅନୁଶୀଳନ ହେଲା । ସେମାନେ ଆଶ୍ରମର ଶିକ୍ଷାର୍ଥିଗଣଙ୍କୁ ବେଦ ଓ ବ୍ରହ୍ମ ଉଭୟ ବିଷୟରେ ଜ୍ଞାନଦାନ କରିବାକୁ ସମର୍ଥ ହେଲେ ।

Image

 

ଅମୃତସ୍ରାବୀ କୁଣ୍ଡଳ

 

–୧–

ମହର୍ଷି ବେଦଙ୍କ ଶିକ୍ଷାକୁଟୀର....

 

ବାଲ୍ୟକାଳରେ ‘ବେଦ’ ଯେତେବେଳେ ଗୁରୁ–ଆଶ୍ରମରେ ବିଦ୍ୟା ଅଧ୍ୟୟନ କରୁଥିଲେ, ତାଙ୍କୁ ବହୁ ଦୁଃଖ ଯାତନା ସହ୍ୟ କରିବାକୁ ପଡ଼ିଥିଲା । କେତେ କଠିନ ପରୀକ୍ଷା, କେତେ ଦୁର୍ଲ୍ଲଘ୍ୟ ବିପଦରୁ ଉତ୍ତୀର୍ଣ୍ଣ ହୋଇ ସେ ସର୍ବଶେଷରେ ଗୁରୁଙ୍କ ସ୍ନେହସିକ୍ତ ଅନୁଗ୍ରହ ଲାଭ କରିଥିଲେ ଏବଂ ତାହାରି ଫଳରୁ ଯାବତୀୟ ଦୁରୂହ ବିଦ୍ୟା ଆୟତ୍ତ କରିବା ପାଇଁ ସମର୍ଥ ହୋଇଥିଲେ ।

 

ନିଜ ଶିକ୍ଷାଜୀବନର ଏହି ଅନୁଭୁତି ତାଙ୍କ ପ୍ରାଣରେ ତରୁଣ ଶିକ୍ଷାର୍ଥୀମାନଙ୍କ ପ୍ରତି ଗଭୀର ଶ୍ରଦ୍ଧା ଜନ୍ମାଇଲା । ଅଗାଧ ପାଣ୍ଡିତ୍ୟ ସଙ୍ଗେ ତାଙ୍କର ଏହି ସ୍ୱଭାବସୁଲଭ ଦୟାମନୋବୃତ୍ତିର ସମ୍ବାଦ ଚାରିଆଡ଼େ ପ୍ରଚାରିତ ହୋଇଗଲା । ତେଣୁ ସେ ଯେତେବେଳେ ନିବିଡ଼ ଅରଣ୍ୟ ମଧ୍ୟରେ ନିଜର ଆଶ୍ରମ ପ୍ରତିଷ୍ଠା କଲେ, ଦେଶ–ବିଦେଶର ସଂଖ୍ୟାତୀତ ଛାତ୍ର ତାଙ୍କ ପରି ସଦ୍‌ଗୁରୁଙ୍କ ଆଶ୍ରୟରେ ଶିକ୍ଷା ପାଇବା ପାଇଁ ସେହି ଆଶ୍ରମ ପ୍ରତି ଆକୃଷ୍ଟ ହେଲେ । ଫଳରେ ନବପ୍ରତିଷ୍ଠିତ ଶିକ୍ଷାକୁଟୀରଟି ଅତି ଅଳ୍ପ କାଳ ମଧ୍ୟରେ ଆଶାତୀତ ଭାବରେ ଉନ୍ନତି କରିପାରିଲା ।

 

ଏହି ବିଶାଳ ଆଶ୍ରମରେ ଆଚାର୍ଯ୍ୟ ବେଦ ଏକ ଉଦାର ନୀତି ପ୍ରବର୍ତ୍ତନ କଲେ । ପ୍ରଚଳିତ ପ୍ରଥାନୁଯାୟୀ ସେକାଳରେ ପ୍ରତ୍ୟେକ ଶିଷ୍ୟ ନିଜର ଶିକ୍ଷା ସମାପ୍ତ ହେଲେ ଗୁରୁଙ୍କୁ ଦକ୍ଷିଣା ଦେଇ ପ୍ରୀତ କରୁଥିଲା ଏବଂ ତାହାପରେ ଆଶ୍ରମରୁ ବିଦାୟ ନେଇ ସ୍ୱଗୃହକୁ ଫେରୁଥିଲା । ବେଦ ଏହି ଦକ୍ଷିଣାଦାନ ରୀତିକୁ ଉଚିତ ମନେ ନ କରି ନିଜ ଆଶ୍ରମରେ ତା’ର ପ୍ରଚଳନ ବନ୍ଦ କରିଦେଲେ-। ତାଙ୍କ ହୃଦୟର ଏହି ଗଭୀର ଶିଷ୍ୟାନୁରାଗ ଦେଶର ସର୍ବତ୍ର ଉଚ୍ଚ ପ୍ରଶଂସା ଲାଭ କଲା ।

 

ମହର୍ଷି ବେଦଙ୍କର ପ୍ରିୟତମ ଶିଷ୍ୟ ଥିଲା ଉତଙ୍କ । ସମସ୍ତ ଶିଷ୍ୟଙ୍କର ସେ ଥିଲା ଆଦର୍ଶ-। ଆଶ୍ରମର କେତେକ ଗୁରୁଦାୟିତ୍ୱ ତାହାରି ଉପରେ ଅର୍ପଣ କରି ବେଦ ନିଶ୍ଚିନ୍ତ ଥିଲେ । ଉତଙ୍କ ଅତ୍ୟନ୍ତ ଦକ୍ଷତାର ସହିତ ସେହି ଦାୟିତ୍ୱ ସବୁ ସୁଚାରୁରୂପେ ନିର୍ବାହ କରି ନିଜ କର୍ମକୁଶଳତାର ପରିଚୟ ଦେଲା । ଆଚାର୍ଯ୍ୟ ବେଦ ଏଥିରେ ଅତ୍ୟନ୍ତ ଆପ୍ୟାୟିତ ହେଲେ ।

 

ଥରେ କୌଣସି ରାଜାଙ୍କର ନିମନ୍ତ୍ରଣ ରକ୍ଷା କରିବାପାଇଁ ବେଦଙ୍କୁ ଦୂର ଦେଶ ଯିବାକୁ ପଡ଼ିଲା । ତେଣୁ ସେ ସମସ୍ତ ଆଶ୍ରମବାସୀଙ୍କୁ ଡାକି ବିଦେଶଯାତ୍ରାର ସମ୍ବାଦ ଜଣାଇଦେଲେ ଏବଂ ତାଙ୍କ ଅନୁପସ୍ଥିତିକାଳରେ ଉତଙ୍କ ଆଶ୍ରମର ସକଳ କାର୍ଯ୍ୟ ପରିଚାଳନ କରିବ ବୋଲି ବ୍ୟବସ୍ଥା କରିଦେଲେ । ପୁଣି ଯାତ୍ରା କରିବା ପୂର୍ବରୁ ଋଷି ସମବେତ ଶିଷ୍ୟମଣ୍ଡଳୀକୁ କହିଗଲେ, ଯେପରି ତପୋବନରେ ସମ୍ମାନ, ଶୃଙ୍ଖଳା ଓ ନୀତି ତାଙ୍କ ଆସିବାପର୍ଯ୍ୟନ୍ତ ଅକ୍ଷୁଣ୍ଣ ରହେ ଏବଂ ଏହି କାଳ ମଧ୍ୟରେ ଯଦି କୌଣସି ଆଗନ୍ତୁକ ବା ରାଜଅତିଥି ଆସନ୍ତି, ତାଙ୍କର ଯଥୋଚିତ ଅଭ୍ୟର୍ଥନା ଓ ସତ୍କାର ହୁଏ ।

 

ଗୁରୁଙ୍କ ଆଦେଶ ଶିରୋଧାର୍ଯ୍ୟ କରି ଶିଷ୍ୟୋତ୍ତମ ଉତଙ୍କ ସେହିଦିନୁଁ ଅତି କର୍ତ୍ତବ୍ୟନିଷ୍ଠ ଭାବରେ ନିଜର ଦାୟିତ୍ୱ ସମ୍ପାଦନ କଲା । ତା’ର ତତ୍ତ୍ୱାବଧାନରେ ଯାଗଯଜ୍ଞ, ଶିକ୍ଷାଦାନ, ଅଗ୍ନିପୂଜାଦି ଯାବତୀୟ କର୍ମ ଗୁରୁପ୍ରଦର୍ଶିତ ରୀତିରେ ଠିକ୍ ପୂର୍ବ ପରି ଚାଳିତ ହେବାକୁ ଲାଗିଲା ।

 

କିଛି ସମୟ ଅତିବାହିତ ହେଲା । ଦିନେ ଗୁରୁପତ୍ନୀ ଉତଙ୍କକୁ ପରୀକ୍ଷା କରିବାପାଇଁ ମନେ ମନେ ସ୍ଥିର କରି ତାକୁ ସମାଦରରେ ନିଜ କୁଟୀର ମଧ୍ୟକୁ ଡାକି କହିଲେ :

 

“ଉତଙ୍କ ! ତୁମର ମଧୁର ବ୍ୟବହାର ମତେ ମୁଗ୍‍ଧ କରିଛି । ସେଥିପାଇଁ ମୁଁ ଗୋଟିଏ କଥା ତୁମକୁ ପଚାରିବାକୁ ଡାକିଛି । ମୋର ସ୍ୱାମୀ ହେଉଛନ୍ତି ଏହି ପୀଠର ସ୍ୱାମୀ । ତାଙ୍କ ଅନୁପସ୍ଥିତି କାଳରେ ତୁମେ ଆଶ୍ରମର ଅସ୍ଥାୟୀ ସ୍ୱାମୀରୂପେ ନିର୍ବାଚିତ ହୋଇଥିବାରୁ ମୋର ମଧ୍ୟ ତୁମକୁ ସମସ୍ତଙ୍କ ପରି ସମ୍ମାନ ଦେବା କର୍ତ୍ତବ୍ୟ । ତେଣୁ ମୋର ଅନୁରୋଧ ରକ୍ଷା କରି ତୁମେ ଆଜି ମୋ କୁଟୀରରେ କିଛି ସମୟ ଅବସ୍ଥାନ କଲେ ମୁଁ ତୁମକୁ ଯଥାବିଧି ଅର୍ଘ୍ୟ ଦେଇ ପୂଜା କରିବି ।”

 

ଏହା ଶୁଣି ବ୍ରହ୍ମଚାରୀ ଉତଙ୍କ ଗୁରୁପତ୍ନୀଙ୍କ ଚରଣ ସ୍ପର୍ଶକରି ବିନୀତ କଣ୍ଠରେ କହିଲା :

 

“ମାତା ! ଗୁରୁଦେବଙ୍କ ଆଦେଶକୁ ହିଁ ମୁଁ ପାଳନ କରୁଛି । ଆଶ୍ରମର ଯେଉଁ କାର୍ଯ୍ୟକୁ ଯେପରି ଭାବରେ ସଂପନ୍ନ କରିବାକୁ ସେ ମତେ ନିର୍ଦ୍ଦେଶ ଦେଇଛନ୍ତି, ମୁଁ ତାଙ୍କ ଅନୁପସ୍ଥିତିରେ ନିମିତ୍ତମାତ୍ର ହୋଇ ତାହା ସେହିପରି ଭାବରେ ଚଳାଇନେଉଛି । ପ୍ରତ୍ୟେକ ମୁହୂର୍ତ୍ତରେ ମୁଁ ତାଙ୍କର ନାମ, ତାଙ୍କରି ଦୟା ସ୍ମରଣ କରି କର୍ମରେ ଅଗ୍ରସର ହେଉଛି । ମୁଁ ଜଣେ ଅତି ନଗଣ୍ୟ ସେବକ । ମୋର ସେବାଧର୍ମରେ ପ୍ରୀତ ହୋଇ ଗୁରୁ ମତେ ସର୍ବଦା ପୁତ୍ରଦୃଷ୍ଟିରେ ସ୍ନେହ କରିଥାନ୍ତି । ଆପଣ ଗୁରୁପତ୍ନୀ–ଏହି ସେବକ ପକ୍ଷରେ ସାକ୍ଷାତ୍ ମାତୃରୂପିଣୀ । ଆପଣଙ୍କ ପାଦସେବା ହିଁ ମୋର ଧର୍ମ । ତହିଁରେ ତ୍ରୁଟି କଲେ ମୋର ନରକବାସ ସୁନିଶ୍ଚିତ । ତେଣୁ ମତେ ଆଶ୍ରମର ସ୍ୱାମୀଭାବରେ ପାଦ୍ୟଅର୍ଘ୍ୟଦ୍ୱାରା ପୂଜା କରିବା ଆପଣଙ୍କ ପକ୍ଷରେ ଯେପରି ଅନୁଚିତ, ତହିଁରେ ସମ୍ମତ ହେବା ମୋ ପକ୍ଷରେ ମଧ୍ୟ ସେହିପରି ପାପଜନକ । ମାତା, ମତେ ଆଶୀର୍ବାଦ କରନ୍ତୁ, ମୁଁ ଯେପରି ଚିରଦିନ ମୋର ଗୁରୁ ଓ ଗୁରୁପତ୍ନୀଙ୍କର ସେବକ ରହି ଜୀବନ ସାର୍ଥକ କରିବି ।”

 

ଉତଙ୍କର ଏହି ସଦୁତ୍ତର ଶୁଣି ଋଷିପତ୍ନୀ ପ୍ରୀତ ହୋଇଗଲେ ଏବଂ ତାକୁ ଆଶୀର୍ବାଦ କରି ‘ଅଷ୍ଟମାତୃକା’ ବିଦ୍ୟା ନାମକ ଗୋଚିଏ ଗୋପନୀୟ ବିଦ୍ୟା ଶିକ୍ଷା ଦେଲେ ।

 

ମହର୍ଷି ବେଦ ତପୋବନକୁ ଫେରନ୍ତେ ଋଷିପତ୍ନୀ ତାଙ୍କ ଆଗରେ ଉକ୍ତ ଘଟଣା ବର୍ଣ୍ଣନା କଲେ । ମହର୍ଷିଙ୍କ ହୃଦୟ ଶିଷ୍ୟ ଗର୍ବରେ ଫୁଲିଉଠିଲା ।

 

–୨–

 

ମହାଜ୍ଞାନୀ ଉତଙ୍କ...

 

ଯଥାକାଳରେ ତା’ର ବିଦ୍ୟାଶିକ୍ଷା ସମାପ୍ତ ଲାଭ କଲା । ବେଦ ତାହାକୁ ସଫଳତାର ମୁକୁଟ ପିନ୍ଧାଇ ଆନନ୍ଦରେ ଆଶ୍ରମରୁ ବିଦାୟ ଦେବାକୁ ବସିଲେ, କିନ୍ତୁ ସେ ସମୟରେ ଗୁରୁପତ୍ନୀ ଉତଙ୍କକୁ ଆଉ ଥରେ ପରୀକ୍ଷା କରିବାପାଇଁ କହିଲେ :

 

“ବତ୍ସ ! ତୁମ ଗୁରୁ ଏ ଆଶ୍ରମର କୌଣସି ଶିଷ୍ୟଠାରୁ ଦକ୍ଷିଣା ନିଅନ୍ତି ନାହିଁ ସତ; ମାତ୍ର ମୁଁ ଯାହାକୁ ବିଦ୍ୟାଦାନ କରେ, ଇଚ୍ଛାକଲେ ତା’ଠାରୁ ଦକ୍ଷିକ୍ଷା ନିଏ । ତୁମକୁ ମୁଁ ଅଷ୍ଟମାତୃକା ବିଦ୍ୟା ଶିକ୍ଷା ଦେଇଛି; ତେଣୁ ମୁଁ ତୁମଠାରୁ କିଛି ଗୁରୁଦକ୍ଷିଣା ଆଶା କରେ–ଦେଇପାରିବ ତ ?”

 

ଉତଙ୍କ ସଙ୍ଗେ ସଙ୍ଗେ କହିଉଠିଲା :

“କହନ୍ତୁ ମାତା ! କେଉଁ ଦକ୍ଷିଣାରେ ଆପଣଙ୍କର ବାଞ୍ଛା ?” ଋଷିପତ୍ନୀ କହିଲେ :

“ବଡ଼ ଦୁର୍ଲ୍ଲଭ ସେ ଦକ୍ଷିଣାର ବସ୍ତୁ । ତୁମେ କଣ ତାହା ସଂଗ୍ରହ କରିପାରିବ ଉତଙ୍କ ?”

ଉତଙ୍କର ମନୋବଳ ଅତି ପ୍ରବଳ । ସେ ପ୍ରତିଜ୍ଞା କରି କହିଲା :

 

“ମାତା ! ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ଯେଉଁଠାରେ ଥିଲେ ମଧ୍ୟ ମୁଁ ସେହି ଦୁଷ୍ପ୍ରାପ୍ୟ ଦ୍ରବ୍ୟକୁ କରଗତ କରିବି ଏବଂ ଆପଣଙ୍କୁ ତାହା ଆଣି ସମର୍ପଣ କରି ଦକ୍ଷିଣାଦାନରୁ ମୁକ୍ତି ପାଇବି ।”

 

ଗୁରୁପତ୍ନୀ ଏହା ଶୁଣି କହିଲେ :

 

“ମୁଁ ଗୋଟିଏ କଠିନ ବ୍ରତ ମନାସ କରିଛି । ଅମୃତସ୍ରାବୀ କୁଣ୍ଡଳ ନ ପିନ୍ଧିଲେ ଉକ୍ତ ବ୍ରତ ପାଳନ କରିବାର ବିଧି ନାହିଁ ।”

 

ଉତଙ୍କ ଜିଜ୍ଞାସୁ ନୟନରେ ପଚାରିଲା :

“ମାତା ! ସେହି ଅମୃତସ୍ରାବୀ କୁଣ୍ଡଳର ସନ୍ଧାନ ଆପଣ ଜାଣନ୍ତି କି? “

ଗୁରୁପତ୍ନୀ କହିଲେ :

 

“ହଁ ଜାଣେ । ରାଜା ପୌଷ୍ୟଙ୍କ ମହିଷୀ ‘ମଦୟନ୍ତୀ’ ବର୍ତ୍ତମାନ ସେହି କୁଣ୍ଡଳର ଅଧିକାରିଣୀ । ପାଟରାଣୀଙ୍କର ତହିଁରେ ଗଭୀର ଶ୍ରଦ୍ଧା । ସେ ତାହାକୁ ନିଜ ଅଙ୍ଗରୁ କେବେହେଲେ ବାହାର କରନ୍ତି ନାହିଁ, କାରଣ ସ୍ୱର୍ଗର ଇନ୍ଦ୍ର ଓ ପାତାଳର ତକ୍ଷକ ଉଭୟେ ସେହି ଅମୃତସ୍ରାବୀ କୁଣ୍ଡଳକୁ ଲାଭ କରିବାଲାଗି ବହୁ କାଳୁ ସଚେଷ୍ଟ ଅଛନ୍ତି ।”

 

ଉତଙ୍କ ଏବେ କୁଣ୍ଡଳର ସନ୍ଧାନ ପାଇ ମଦୟନ୍ତୀଙ୍କ ନିକଟକୁ ଗଲା । ଯାଉ ଯାଉ ପଥ ମଧ୍ୟରେ ଇନ୍ଦ୍ର ତା ସମ୍ମୁଖରେ ଆବିର୍ଭୂତ ହୋଇ କହିଲେ :

 

“ଉତଙ୍କ ! ମୁଁ ତୁମର ଅପୂର୍ବ ଗୁରୁଭକ୍ତି କଥା ଜାଣେ । ଅମୃତପାୟୀ ଦେବତାମାନଙ୍କର ରାଜା ବୋଲି ମୋର ଲୋଭନୀୟ ଦୃଷ୍ଟି ଅମୃତସ୍ରାବୀ କୁଣ୍ଡଳପ୍ରତି ଏପର୍ଯ୍ୟନ୍ତ ରହିଆସିଥିଲା; ମାତ୍ର ତୁମେ ଗୁରୁଦକ୍ଷିଣା ଦେଇ ନିଜର ଶିଷ୍ୟତ୍ୱ ସାର୍ଥକ କରିବାକୁ ଯାଉଥିବାରୁ ଏଇ ମୁହୂର୍ତ୍ତରୁ ମୁଁ କୁଣ୍ଡଳର ଲୋଭ ସମ୍ବରଣ କଲି । ଆର୍ଶୀବାଦ କରୁଛି, ତୁମର ଅଭିଯାନ ସଫଳ ହେଉ ।”

 

ଯଥା ସମୟରେ ଉତଙ୍କ ଯାଇ ରାଣୀ ମଦୟନ୍ତୀଙ୍କ ନିକଟରେ ପହଞ୍ଚି ନିଜର ମହତ୍‍ ଅଭିଳାଷ ପ୍ରକାଶ କଲା । ବାଳକଟିର ନିର୍ଲୋଭ ଯାଚନରେ ରାଣୀ ସନ୍ତୁଷ୍ଟ ହେଲେ ଏବଂ ସେହି ଦେବଦୁର୍ଲ୍ଲଭ ଅଳଙ୍କାରର ମାୟା ତ୍ୟାଗ କରି ହସି ହସି କର୍ଣ୍ଣରୁ କାଢ଼ି ତାହାକୁ ପ୍ରଦାନ କଲେ ।

 

ଉତଙ୍କ ସାନନ୍ଦମନରେ କୁଣ୍ଡଳ ଧରି ଆଶ୍ରମକୁ ଫେରିଲା । ସେତେବେଳେ ପ୍ରଚଣ୍ଡ ଗ୍ରୀଷ୍ମକାଳ । ପ୍ରଖର ରୌଦ୍ରରେ ଦେହ ତା’ର ସ୍ୱେଦାକ୍ତ ହୋଇଉଠିଲା । ସେ ଘୋର ପରିଶ୍ରାନ୍ତ ହୋଇ ଗୋଟିଏ ଅଶ୍ୱତ୍‍ଥ ବୃକ୍ଷମୂଳରେ ବିଶ୍ରାମ ନେଲା ।

 

ଦୁର୍ଭାଗ୍ୟବଶତଃ କିଛିକ୍ଷଣ ପରେ ମୃଦୁ ପବନ–ସଂଚାରରେ ତା’ର ଚକ୍ଷୁକୁ ନିଦ୍ରା ଆସିଗଲା । ସେ ନିଜ ଅଜ୍ଞାତରେ ଭୂତଳରେ ଢଳିପଡ଼ିଲା । ତକ୍ଷକ ଏ ପର୍ଯ୍ୟନ୍ତ ଅନ୍ତରାଳରେ ରହି ଉତଙ୍କକୁ ଅନୁସରଣ କରି କରି ଆସୁଥିଲା । ଏବେ ତାକୁ ନିଦ୍ରାଗତ ଦେଖି ସେ ଧୀରେ ଧୀରେ ଆସି ତା’ଠାରୁ କୁଣ୍ଡଳ ହରଣ କରିନେଇ କ୍ଷିପ୍ରଗତିରେ ପାତାଳକୁ ପଳାୟନ କଲା ।

 

ନିଦ୍ରାଭଙ୍ଗମାତ୍ରେ ଉତଙ୍କ କୁଣ୍ଡଳ ଖୋଜିବସିଲା; ମାତ୍ର ହାୟ, ତାହା ଯେ ଆଉ ନାହିଁ ! କୁଣ୍ଡଳ ନ ପାଇ ସେ ଅତ୍ୟନ୍ତ ଅଧୀର ହୋଇଉଠିଲା ।

 

ଏହି ସମୟରେ ଦେବରାଜ ଇନ୍ଦ୍ର କୁଣ୍ଡଳହସ୍ତରେ ଉତଙ୍କ ନିକଟରେ ଉପସ୍ଥିତ ହେଲେ ଏବଂ ହସି ହସି ସେହି ଦୃଷ୍ପ୍ରାପ୍ୟ ଭୂଷଣକୁ ତା ହାତକୁ ବଢ଼ାଇଦେଇ କହିଲେ :

 

“ବିଜୟୀ ବାଳକ ! ତୁମର କାମ୍ୟ ବସ୍ତୁ ଏବେ ଗ୍ରହଣ କର । ଦୁଷ୍ଟ ତକ୍ଷକ ତୁମର ନିଦ୍ରାବସ୍ଥାରେ ଏହାକୁ ତୁମଠାରୁ ହରି ନେଇଥିଲା । ମୁଁ ତାହା ଜାଣି ସଙ୍ଗେ ସଙ୍ଗେ ପାତାଳପୁରୀକୁ ଯାଇ ତକ୍ଷକଠାରୁ ଏହା ଛଡ଼ାଇ ଆଣିଛି । ଏଥର ଅତି ସାବଧାନରେ ଏହାକୁ ଧରି ଆଶ୍ରମକୁ ଯାଅ-।”

 

ଉତଙ୍କର ଅନ୍ତର ଦେବରାଜଙ୍କ ପ୍ରତି ଅପରିଶୋଧ୍ୟ କୃତଜ୍ଞତାରେ ଭରି ଉଠିଲା । ସେ ଅମୃତସ୍ରାବୀ କୁଣ୍ଡଳ ଘେନି ଗୁରୁପତ୍ନୀଙ୍କ ନିକଟରେ ଯାଇ ପହଞ୍ଚିଲା ଏବଂ ତାହାକୁ ସଭକ୍ତିରେ ଦକ୍ଷିଣାରୂପେ ଅର୍ପଣ କଲା ।

 

ତାହାର ଏହି ଆସାଧ୍ୟ ସାଧନ ଓ ଅଟଳ ଗୁରୁଭକ୍ତି ଦେଖି ତପୋବନର ସମସ୍ତେ ବିସ୍ମିତ ହୋଇଗଲେ । ଗୁରୁ ଓ ଗୁରୁପତ୍ନୀ ଉଭୟେ ତାହା ଉପରେ ଅଜସ୍ର ଆଶୀର୍ବାଦ ବର୍ଷଣ କଲେ । ସେହି ଅମୂଲ୍ୟ ଆଶିଷଧନକୁ ସମ୍ବଳ କରି ଉତଙ୍କ ନିଜ ଗୃହକୁ ଫେରିଗଲେ ।

Image

 

ଅନାଥା ମାତାର ଅମର ପୁତ୍ର

 

–୧–

 

ଭଙ୍ଗା ପତ୍ରକୁଡ଼ିଆଟିଏ...

 

ଜନବସତିଠାରୁ ବହୁ ଦୂରରେ । ଦିନର ସୂର୍ଯ୍ୟ, ରାତ୍ରିର ଚନ୍ଦ୍ର ତାରା, ସଦାସଂଚାରୀ ବାୟୁ, ଶୂନ୍ୟବିହାରୀ ପକ୍ଷୀ–ଏହି କେତୋଟି ଛଡ଼ା କୁଡ଼ିଆ ପ୍ରତି ଆଉ କାହାରି ଦୟାମାୟା ଥିବାର ଜଣାଯାଏ ନାହିଁ ।

 

ଦୁଃଖୀର ଜୀବନ ଘେନି ତାହାରି ଭିତରେ ରହନ୍ତି ଦୁଇଟି ପ୍ରାଣୀ–ମାତା ଜବାଳା ଓ ପୁତ୍ର ସତ୍ୟକାମ । ଜବାଳା ଆଜନ୍ମ– ଦୁଃଖିନୀ, ବଡ଼ ଅଭାଗୀ । ଯୌବନର ପ୍ରାରମ୍ଭରେ ସ୍ୱାମୀଙ୍କୁ ହରାଇ ସେ ଅନାଥା । ଭଗବାନ୍‍ଙ୍କ କୃପାରୁ ଯେଉଁ ଶିଶୁଟି ତାଙ୍କର କୋଳ ମଣ୍ଡନ କରିଛି, କେବଳ ତାହାରି ମୁହଁକୁ ଚାହିଁ ସେ ତାଙ୍କର ଦୀର୍ଘ ଜୀବନ–ପଥ ଅତିକ୍ରମ କରିବାକୁ ସାହସ ବାନ୍ଧିଛନ୍ତି ।

 

ଜବାଳା ସତ୍ୟବତୀ । ସତ୍ୟପ୍ରତି ତାଙ୍କର ଅନୁରାଗ ନିଷ୍ଠା ସାଧାରଣରେ ଦୁର୍ଲ୍ଲଭ । ସେଥିପାଇଁ ସେ ଶିଶୁଟିର ନାମ ରଖିଛନ୍ତି ‘ସତ୍ୟକାମ’ ।

 

ମାତୃହୃଦୟର ଅସୀମ ବାତ୍ସଲ୍ୟମମତା ପାଇ ସତ୍ୟକାମ ଅତି ଆନନ୍ଦରେ ଦିନ କାଟୁଥାଏ । ସେ ଯେ ଦୁଃଖିନୀର ସନ୍ତାନ, ପିତୃହୀନ, ଏ ଧାରଣା ତା ମନରେ କ୍ଷଣକପାଇଁ ସୁଦ୍ଧା ସ୍ଥାନ ପାଇ ନ ଥାଏ । ଜବାଳା ଗିରିନିର୍ଝରିଣୀର ଜଳ ସେଚନ କରି ସୁନ୍ଦର ଫୁଲଫଳର ବଗିଚାଟିଏ କରିଥାନ୍ତି; ତାହାରି ଜଳ ମଡ଼ାଇ ‘ନୀବାର’ ଧାନ୍ୟ ମଧ୍ୟ ଉତ୍ପାଦନ କରନ୍ତି । ତେଣୁ ମାତା, ପୁତ୍ର ଦୁହିଁଙ୍କ ପାଇଁ ଖାଦ୍ୟର ଆଦୌ ଅଭାବ ଘଟେ ନାହିଁ ।

 

ସତ୍ୟକାମ ଶୈଶବ ଅତିକ୍ରମ କରି କ୍ରମେ ବାଲ୍ୟରେ ପଦାର୍ପଣ କଲା । ଜନନୀ ତାକୁ ଶିକ୍ଷା ଦେବାର ଦାୟିତ୍ୱ ସ୍ୱହସ୍ତରେ ଗ୍ରହଣ କରିବା ଛଡ଼ା ଅନ୍ୟ ଉପାୟ ନ ଥିଲା । ସେ ସତ୍ୟକାମକୁ ପିଲାଟିଦିନୁଁ ନିୟମିତ ଭାବରେ ପୌରାଣିକ ଆଖ୍ୟାନମାନ ଶୁଣାଇ ତା ମନକୁ ସତ୍ୟ ପ୍ରତି ଆକୃଷ୍ଟ କରିବାକୁ ଲାଗିଲେ । ତାହାରି ଫଳରେ ବାଳକ ସତ୍ୟକାମର ପ୍ରାଥମିକ ଶିକ୍ଷାର ଭିତ୍ତି ବଳିଷ୍ଠ ଉପାଦାନରେ ଗଠିତ ହେଲା ।

 

ଦିନେ ସତ୍ୟକାମ ଅତି ଅନୁନୟ ସହ ଅଳିକଲା :

 

“ମା ! ତୋର ନୀତି ଶିକ୍ଷା ପାଇ ଅନେକ ପରିମାଣରେ ମୋର ଆଖି ଖୋଲିଯାଇଛି । ପୁତ୍ରସ୍ନେହରେ ଅନ୍ଧ ହୋଇ ମତେ ତୁ ଆଉ କାନିପଣତରେ ଅଧିକ କାଳ ବାନ୍ଧି ରଖ ନା । ବିଶାଳ ଜଗତରେ ଜୀବନର ମାର୍ଗ ଅତି ଦୀର୍ଘ । ତହିଁରେ ଗତି କରିବାକୁ ହେଲେ ଯେଉଁ ସମ୍ବଳ ଦରକାର, ତାହା ତ ମୋର ନାହିଁ; ତେଣୁ ମତେ ଅନୁମତି ଦେ, ମୁଁ ଗୁରୁଗୃହକୁ ଯାଇ ବିଦ୍ୟାର୍ଜନ କରିବି । ତୋର ଆଶୀର୍ବାଦରୁ ଅଳ୍ପ କାଳ ମଧ୍ୟରେ ସମସ୍ତ ଜ୍ଞାନ ଆହରଣ କରି ପୁଣି ହସି ହସି ତୋରି କୋଳକୁ ଲେଉଟି ଆସିବି । ସେତେବେଳେ ନିଶ୍ଚୟ ତୋର ସୁଖ ଶତଗୁଣ ବଢ଼ିଯିବ । ନୁହେଁ କି ମା-?”

 

ପୁତ୍ରର ଏହି କଥାରେ ଜବାଳାଙ୍କ ବୁକୁ କୁଣ୍ଢେମୋଟ ହୋଇଗଲା । ସେ ପରମ ସ୍ନେହରେ ତା’ର ମୁଖ ଚମ୍ବନ କରି କହିଲେ :

“ବାପ ! ତୋର ଏହି ସଂକଳ୍ପ ଉପରେ ଠାକୁରେ ଫୁଲଚନ୍ଦନ ବୃଷ୍ଟି କରନ୍ତୁ । କେଉଁ ଗର୍ଭଧାରିଣୀ ତା’ର ସନ୍ତାନ ଶିକ୍ଷିତ ହେବାକୁ ଇଚ୍ଛା ନ କରେ ? ମୋ ଭଳି ହତଭାଗୀର ପେଟରୁ ଜନ୍ମି ତୁ ଯଦି ଦିନେ ଜ୍ଞାନୀ ହୋଇପାରୁ, ତାହା ହେଲେ ମୁଁ ସ୍ୱର୍ଗସୁଖଠାରୁ ଅଧିକ ସୁଖ ପାଇବି । ତେଣୁ ମୁଁ କେବେହେଲେ କି ଜ୍ଞାନଲାଭ ପଥରେ ବାଧା ଦେଇପାରେ ?”

ଆନନ୍ଦରେ ଉତ୍‌ଫୁଲ୍ଲ ହୋଇ ସତ୍ୟକାମ କହିଲା :

“ତେବେ ମତେ ବିଦାୟ ଦେ, ମା !”

ମାତା ଶୁଭଦିନ ଶୁଭମୁହୂର୍ତ୍ତ ଦେଖି ପୁତ୍ରକୁ ଗୁରୁ-ଆଶ୍ରମକୁ ପଠାଇଲେ । ବିଦାୟ ଦେଲାବେଳେ ଆଶୀର୍ବାଦ କରି କହିଲେ :

“ବାପ ରେ ! ଯୁଗେ ଯୁଗେ ସତ୍ୟର ଜୟ ହୋଇଆସିଛି । ତୁ ଚିରଦିନ ସେହି ସତ୍ୟର ଆଶ୍ରୟ ନେବୁ ବୋଲି ତୋର ନାଁ ଦେଇଛି ‘ସତ୍ୟକାମ’ । ଏହି ନାଁଟିକି ତୁ ସାର୍ଥକ କଲେ ମୋର ମାତୃଜନ୍ମ ସାର୍ଥକ ହେବ । ସତ୍ୟଠାରୁ ବଳି ଅଭୟକବଚ ଦୁନିଆରେ ଆଉ କିଛି ନାହିଁ । ଯେତେ ଦୁଃଖ, ବିପଦ ଆସିଲେ ହେଁ ତୁ ସତ୍ୟପଥରୁ କଦାପି ଟଳିବୁ ନାହିଁ; ସତ୍ୟକଥନରୁ କଦାପି ବିମୁଖ ହେବୁ ନାହିଁ । ତାହାହେଲେ ଦେଖିବୁ, ସବୁ ଦୁଃଖ ବିପଦ ଅଦିନ ମେଘ ଭଲି କୁଆଡ଼େ ଉଭେଇଯିବ, ସବୁ କ୍ଷେତ୍ରରେ ତୋର ଜୟ ହେବ ।”

ଗୃହସୁଖ, ମାତୃସ୍ନେହ ମନରୁ ପାସୋରିଦେଇ ସତ୍ୟକାମ ଆଗକୁ ଗୋଡ଼ ଚାଳିଲା । ଦୃଷ୍ଟି ସୀମାରେ ଥିବାଯାଏ ମାତା ତାହାକୁ କରୁଣ ନୟନରେ ଅନାଇ ରହିଥାନ୍ତି ଏବଂ ମନେ ମନେ ଭଗବାନଙ୍କୁ ପ୍ରାର୍ଥନା କରୁଥାନ୍ତି :

“ହେ ଅରକ୍ଷରକ୍ଷଣ, ଅନାଥର ନାଥ, ଦୀନଦୁଃଖୀତାରଣ, ପତିତପାବନ ! ତୁମେ ମୋ ଧନକୁ ଘଣ୍ଟ ଘୋଡ଼ାଇ ରଖ । ‘ସତ୍ୟ’ ମୋର ସତ୍ୟର ମହତ୍ତ୍ୱ ଅକ୍ଷୁଣ୍ଣ ରଖୁ ଓ ତୁମ ଆଶୀର୍ବାଦରୁ ନିର୍ବିଘ୍ନରେ ଶିକ୍ଷା ସାଙ୍ଗକରି ଫେରିଆସୁ ।”

 

କିଛିଦିନ ପରେ ସତ୍ୟକାମ ଯାଇ ହରିଦ୍ରୁମାନ ଗୁରୁଙ୍କ ଆଶ୍ରମରେ ଉପସ୍ଥିତ ହୋଇ ତାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କଲା । ଗୁରୁ ମଧୁର ସ୍ୱରରେ ପଚାରିଲେ :

 

“କହ ବତ୍ସ ! କି ଉଦ୍ଦେଶ୍ୟରେ ଏଠାକୁ ଆସିଛୁ ?”

ସତ୍ୟକାମ ଯୁକ୍ତକରରେ ନିବେଦନ କଲା :

 

“ମହାଭାଗ ! ଆପଣଙ୍କ ଆଶ୍ରମରେ ରହି ଶିକ୍ଷାଲାଭ କରିବି ବୋଲି ଅଖଣ୍ଡ ଆଶା ଧରି ଆସିଛି । ଏବେ କୃପା କରି ମତେ ଶିଷ୍ୟରୂପେ ଗ୍ରହଣ କରିବାର ଆଦେଶ ଦିଅନ୍ତୁ ।”

 

ଗୁରୁ ତହୁଁ ପଚାରିଲେ :

 

“ଆଶ୍ରମର ନିୟମାନୁଯାୟୀ ପ୍ରଥମେ ତୁମର ପରିଚୟ ଆବଶ୍ୟକ । ତେଣୁ କହ, ତୁମେ କିଏ ? ତୁମର ଗୋତ୍ର କଣ ?”

 

ସେକାଳରେ ବ୍ରାହ୍ମଣ ସନ୍ତାନମାନଙ୍କୁ ସାଧାରଣତଃ ଶିଷ୍ୟ ରୂପେ ଗ୍ରହଣ କରାଯାଉଥିଲା-। ଶୂଦ୍ର ବା ଇତର ବର୍ଣ୍ଣର ବାଳକମାନଙ୍କ ପାଇଁ ବେଦାଧ୍ୟୟନ ନିଷିଦ୍ଧ ଥିଲା । ଏହି କାରଣରୁ ଗୁରୁମାନେ ଶିକ୍ଷାର୍ଥୀଙ୍କର କୁଳଗୋତ୍ରଦି ନ ଜାଣି କେବେହେଁ ସେମାନଙ୍କୁ ଆଶ୍ରମରେ ସ୍ଥାନ ଦେଉ ନ ଥିଲେ । ଏଠାରେ ହରିଦ୍ରୁମାନଙ୍କ ପ୍ରଶ୍ନର ଏହି ଉଦ୍ଦେଶ୍ୟ ଥିଲା ।

 

ଗୁରୁଙ୍କ ପ୍ରଶ୍ନ ଶୁଣିଲାମାତ୍ରେ ମାତାଙ୍କ ବିଦାୟକାଳୀନ ଉପଦେଶ ବାଣୀ ସତ୍ୟକାମର ମନେ ପଡ଼ିଗଲା–‘ସତ୍ୟକଥନରୁ କଦାପି ବିମୁଖ ହେବୁ ନାହିଁ ।’ ତହୁଁ ସେ ସଙ୍ଗେ ସଙ୍ଗେ ଉତ୍ତର ଦେଲା :

 

“ଗୁରୁଶ୍ରେଷ୍ଠ ! ମୋର ନାମ ସତ୍ୟକାମ–ମାତା ମୋର ଜବାଳା । ଏତିକି ଛଡ଼ା ଅଧିକ ପରିଚୟ ଦେବାକୁ ମୁଁ ଅକ୍ଷମ ।”

 

“ତୁମର ପିତା କିଏ ?”

 

“ପିତାଙ୍କ ନାମ ମୁଁ ଜାଣିନାହିଁ; ତାଙ୍କୁ ଦେଖିବାର ସୌଭାଗ୍ୟରୁ ମୁଁ ଏ ଜୀବନରେ ବଞ୍ଚିତ-।”

 

ହରିଦ୍ରୁମାନ ଏ ଉତ୍ତରରେ ଟିକିଏ ବିସ୍ମିତ ହୋଇ ପୁଣି ପଚାରିଲେ :

“ଆଚ୍ଛା, ଗୋତ୍ର ବିଷୟ ତ କିଛି କହିଲ ନାହିଁ ?”

“ସେ କଥା ମଧ୍ୟ ଜଣାନାହିଁ ।”

 

ଗୁରୁଙ୍କ ମନରେ ସନ୍ଦେହ ଉଦୟ ହେଲା–ବୋଧହୁଏ ପିଲାଟିର ଜନ୍ମ ନୀଚ ଜାତିରେ, ତା ନୋହିଲେ ନିଜ ପିତା ଓ ଗୋତ୍ରର ନାମ ଜାଣି ନ ଥାନ୍ତା କିପରି ?

 

ଯାହାହେଉ, ସେ ଏହି ବାଳକଟିଠାରେ ଯୋଡ଼ିଏ ଉଚ୍ଚ ଗୁଣର ଲକ୍ଷଣ ଦେଖିବାକୁ ପାଇଲେ । ତାହା ହେଉଛି ସରଳତା ଓ ସତ୍ୟପ୍ରିୟତା । ଏଭଳି ଗୁଣ ସେ କୌଣସି ଶିକ୍ଷାର୍ଥୀଠାରେ ଏପର୍ଯ୍ୟନ୍ତ ଏକାଧାରରେ ଦେଖି ନ ଥିଲେ; ତେଣୁ ଭାବିଲେ;

 

“ଇତର କୁଳରେ ଜନ୍ମିଥିଲେ ମଧ୍ୟ ଶିଷ୍ୟ ହେବାପାଇଁ ଏ ବାଳକଟିର ଯୋଗ୍ୟତା ପ୍ରଶଂସନୀୟ । ଜାତି ଗୋତ୍ରର ପରିଚୟଠାରୁ ଏହାର ନିଷ୍କପଟ ସତ୍ୟବାଦିତା ନିଶ୍ଚୟ ଶ୍ରେଷ୍ଠତର । ଯେଉଁ କୁଳରେ ଜନ୍ମିଥିଲେ ମଧ୍ୟ ଏହାର ଗୁଣ ଓ ଆଚରଣ ଯେ ବ୍ରାହ୍ମଣସୁଲଭ, ଏହା ନିଃସନ୍ଦେହ । ‘ସତ୍ୟ’ ବ୍ରାହ୍ମଣର ଭୂଷଣ; ସେହି ପବିତ୍ର ଭୂଷଣରେ ଏ ବାଳକଟିର ପ୍ରାଣ ମହୀୟାନ୍ । ତେଣୁ ଆଶ୍ରମ–ନୀତିରେ ବ୍ୟତିକ୍ରମ ଘଟିଲେହେଁ ଏହାକୁ ଶିଷ୍ୟରୂପେ ଗ୍ରହଣ କରିବା ବାଞ୍ଛନୀୟ ।”

 

ଏହିପରି ବିଚାର ହରିଦ୍ରୁମାନ ଋଷି ସତ୍ୟକାମକୁ କହିଲେ :

 

“ବତ୍ସ ! ତୁମେ ତୁମର ବଂଶ, ପିତା ଓ ଗୋତ୍ରର ନାମ ଜାଣି ନ ଥିଲେହେଁ ସରଳ ସତ୍ୟବାଦିତାର ଯେଉଁ ନିର୍ମଳ ପରିଚୟ ଦେଲ, ସେଥିରୁ ମୁଁ ଜାଣୁଛି ଯେ ତୁମେ ଯଥାର୍ଥରେ ବ୍ରାହ୍ମଣପଦବାଚ୍ୟ । ଜବାଳାଙ୍କ ପୁତ୍ର ହେତୁ ଆଜିଠାରୁ ତୁମ ଗୋତ୍ର ହେଲା ‘ଜାବାଳ’ ଏବଂ ଆଜିଠାରୁ ତୁମେ ‘ଜାବାଳ–ସତ୍ୟକାମ’ ନାମରେ ପରିଚିତ ହେବ । ତୁମର ଉପନୟନ କାର୍ଯ୍ୟ ମୁଁ ପ୍ରଥମେ ସମାପନ କରାଇବି ଏବଂ ତୁମକୁ ବ୍ରାହ୍ମଣକୁମାର ବୋଲି ଘୋଷଣା କରି ଶିଷ୍ୟରୂପେ ଗ୍ରହଣ କରିବି । ଏବେ ଯାଅ, ବନ ମଧ୍ୟରୁ ସମିଧ ସଂଗ୍ରହ କରି ଆଣ ।”

 

ସତ୍ୟକାମର ହୃଦୟ ଗୁରୁଙ୍କ ସ୍ନେହାଶିଷ ପାଇ ପରମ ଉତ୍ସାହିତ ହେଲା । ସେ ସଙ୍ଗେ ସଙ୍ଗେ ଅରଣ୍ୟଗର୍ଭକୁ ପ୍ରବେଶ କଲା । ଶାନ୍ତ ନିଶ୍ଚଳ ବନଭୂମି ତା ପ୍ରାଣରେ ଅସୀମ ଆନନ୍ଦର ସଂଚାର କରାଇଲା । ଫଳଭାରାନତ ତରୁଶ୍ରେଣୀ, ପୁଷ୍ପସ୍ତବକିତ ଲତାକୁଞ୍ଜ, କଳନାଦିନୀ ନିଝରିଣୀ, ସୁମଧୁର ଗାନରତ ବିହଙ୍ଗବୃନ୍ଦ, ଇତସ୍ତତଃ ଧାବମାନ ଚଞ୍ଚଳ ମୃଗଶିଶୁଦଳ, ଆଶ୍ରମଧେନୁସକଳ ତା ଅନ୍ତରରେ ଏକ ନୂତନ ମାୟା ସୃଷ୍ଟି କରିବାକୁ ଲାଗିଲେ ।

 

ବନ ପ୍ରକୃତିର ବିମୋହନ ପୁରୀରେ ସଂଚରଣ କରି ସତ୍ୟକାମ ଯଜ୍ଞକାଷ୍ଠ ଆହରଣ କଲା ଏବଂ ସେଗୁଡ଼ିକୁ ମସ୍ତକରେ ବହନ କରି କିଛି ସମୟପରେ ଗୁରୁଙ୍କୁ ନିକଟରେ ଆସି ଉପସ୍ଥିତ ହେଲା ।

 

ଆଚାର୍ଯ୍ୟ ହରିଦ୍ରୁମାନ ଯଜ୍ଞମଣ୍ଡପରେ ବସି ଯଜ୍ଞକାର୍ଯ୍ୟ ଆରମ୍ଭ କଲେ । ସତ୍ୟକାମ ଆଣିଥିବା ସମିଧରେ ହୋମାଗ୍ନି ପ୍ରଜ୍ଜ୍ୱଳିତ ହେଲା । ଋଷି ବେଦମନ୍ତ୍ର ଉଚ୍ଚାରଣ କରି ସତ୍ୟକାମକୁ ଉପବୀତ ପ୍ରଦାନ କଲେ । ଏହିରୂପେ ତା’ର ଉପନୟନ କର୍ମ ସମ୍ପାଦିତ ହେଲା । ଗୁରୁ ତାକୁ ଆଶୀର୍ବାଦ କରି ଆଶ୍ରମକୁ ପଠାଇଦେଲେ ।

 

–୨–

 

ଜୀବନର ନୂତନ ଅଧ୍ୟାୟ...

 

ସେହି ଦିନଠାରୁ ସତ୍ୟକାମ ବ୍ରହ୍ମଚାରୀରୂପେ ଶିଷ୍ୟର ଜୀବନ ଆରମ୍ଭ କଲା । ଆଶ୍ରମର ନିତ୍ୟନୈମିତ୍ତିକ କାଯ୍ୟ ଓ ଗୁରୁସେବାହିଁ ତା’ର ଏକମାତ୍ର ବ୍ରତ ହେଲା ।

 

ଦିନେ ହରିଦ୍ରୁମାନ ସତ୍ୟକାମକୁ ଡାକି କହିଲେ :

 

“ବତ୍ସ ! ଏହି ଚାରି ଶହ କ୍ଷୀଣ ଓ ଦୁର୍ବଳ ଗୋରୁଙ୍କୁ ମୁଁ ଆଶ୍ରମରେ ଗୋଶାଳାରୁ ଅଲଗା କରି ରଖାଇଛି । ଆଜିଠାରୁ ଏଗୁଡ଼ିକର ରକ୍ଷାଣାବେକ୍ଷଣ ଦାୟିତ୍ୱ ତୁମର । ମୋର ବିଶ୍ୱାସ, ଯଥୋଚିତ ଯତ୍ନଦ୍ୱାରା ତୁମେ ଏହି କୃଶକାୟ ଗୋରୁଙ୍କୁ ଅଳ୍ପ କାଳ ମଧ୍ୟରେ ସୁସ୍ଥ ଓ ସୁଶ୍ରୀ କରିପାରିବ । ଏବେ ଏହି ଗୋଧନ ଘେନିଯାଅ । ଯେ କୌଣସି ସ୍ଥାନରେ ରଖି ତୁମେ ଏମାନଙ୍କ ସ୍ୱାସ୍ଥ୍ୟର ଉନ୍ନତି କରାଇପାର ।”

 

ଗୁରୁଙ୍କ ଆଦେଶ ଅନୁସାରେ ସତ୍ୟକାମ ସେହି ଚାରିଶହ ଗୋରୁଙ୍କୁ ନେଇ ଦୂର ବନପଥ ଆଡ଼କୁ ଯାତ୍ରା କଲା । ଗଲାବେଳେ ଋଷିଙ୍ଗ ପଦବନ୍ଦନା କରି ପ୍ରତିଜ୍ଞା କଲା :

 

“ଏହି ଚାରି ଶହ ଦୁର୍ବଳ ଗୋରୁଙ୍କୁ ହଜାରେ ସବଳ ଧେନୁରେ ପରିଣତ ନ କରିବା ପଯ୍ୟନ୍ତ ମୁଁ ଆଶ୍ରମକୁ ଫେରିବି ନାହିଁ ।”

 

ଯେଉଁଠାରେ ନବତୃଣାଚ୍ଛାଦିତ ଶ୍ୟାମଳ ପ୍ରାନ୍ତର, ତା ପାର୍ଶ୍ୱରେ ନଦୀ ବା ନିର୍ଝରିଣୀ, ସେହିପରି ସ୍ଥାନମାନଙ୍କରେ ଗୋରୁପାଲ ରଖି ସତ୍ୟକାମ ସେମାନଙ୍କର ସେବା କରିବାକୁ ଲାଗିଲା । କ୍ରମେ ଗାଭୀମାନେ ହୃଷ୍ଟପୁଷ୍ଟ ହେଲେ । ଦେହରେ ତାଙ୍କର ନବ ଲାବଣ୍ୟର ଆଭା ଫୁଟିଉଠିଲା । ସେମାନେ ଅନେକ ଶାବକ ପ୍ରସବ କଲେ ।

ଚାହୁଁ ଚାହୁଁ ଧେନୁସଂଖ୍ୟା କ୍ରମଶଃ ବର୍ଦ୍ଧିତ ହେଲା । ଏହା ଦେଖି ସତ୍ୟକାମର ମନ ବିମଳ ଆନନ୍ଦରେ ପରିପୂର୍ଣ୍ଣ ହୋଇଉଠିଲା । ଏଣିକି ସେ ଗଭୀର ଶ୍ରଦ୍ଧା ଓ ମନୋନିନେଶ ସହକାରେ ଗୁରୁମନ୍ତ୍ର ଧ୍ୟାନ କରି ତପସ୍ୟା ସାଧିବାକୁ ଲାଗିଲା ।

ବନରୁ ବନାନ୍ତର ଯାତ୍ରା କରି ସତ୍ୟକାମ ଗୋଧନର ପରିଚର୍ଯ୍ୟାରେ ଆତ୍ମତୃପ୍ତି ଲାଭ କରୁଥାଏ । ଦିନକର କଥା । ରାତ୍ରିପ୍ରାୟ ଦ୍ୱିପହର ଆରମ୍ଭ । ହଠାତ୍ ଗୋଟିଏ ବୃଷଭକଣ୍ଠରୁ ସ୍ୱର ଶୁଭିଲା :

“ସତ୍ୟକାମ ! ଅନେକ ଦିନୁଁ ଆମର ସଂଖ୍ୟା ହଜାରେ ହୋଇଗଲାଣି, ତୁମର ମଧ୍ୟ ସଂକଳ୍ପ ପୂରିଗଲା : ତେଣୁ ଏଥର ଆମକୁ ଆଶ୍ରମକୁ ନେଇଚାଲ ।

ସତ୍ୟକାମ ବିସ୍ମିତ ହୋଇଗଲା । ଜାଣିଲା, ନିଶ୍ଚୟ କୌଣସି ଦେବତା ବୃଷଭ ମଧ୍ୟରେ ଥାଇ ତାକୁ ଏହି ବାଣୀ ଶୁଣାଉଛନ୍ତି ।

ତହୁଁ ସତ୍ୟକାମ ଭକ୍ତିନମ୍ର ସ୍ୱରରେ କହିଲା :

“ହେ ଦେବତା ! ଆପଣ କିଏ ମୋ ପ୍ରତି ଏପରି ପ୍ରସନ୍ନ ହେଲେ, ଦୟା କରି କହନ୍ତୁ ।”

ବୃଷଭମୁଖରୁ ଉତ୍ତର ଆସିଲା :

“ବତ୍ସ ! ମୁଁ ବାୟୁଦେବତା । ତୁମର ଧର୍ମଜ୍ଞାନ, ଗୁରୁଭକ୍ତି ଓ ଗୋସେବାରେ ପରିତୁଷ୍ଟ ହୋଇ ମୁଁ ତୁମକୁ ବ୍ରହ୍ମଜ୍ଞାନ ବିଷୟରେ କିଛି ଉପଦେଶ ଦେବାକୁ ଆସିଛି ।”

ସତ୍ୟକାମ କୃତକୃତ୍ୟ ହୋଇ ନିବେଦନ କଲା !

“ଭଗବାନ୍‍ ! ଆପଣଙ୍କର ଅନୁଗ୍ରହ ଲାଭ କରି ଜୀବନ ଧନ୍ୟ ହେଲା । ଏବେ ଉପଦେଶ ଦିଅନ୍ତୁ ।”

ବୃଷରୂପୀ ବାୟୁଦେବତା କହିଲେ :

“ବତ୍ସ ! ଜାଣିରଖ–ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଏହି ଚାରି ଦିଗ ହେଉଛି ବ୍ରହ୍ମଙ୍କର ଚାରୋଟି ଅଂଶ । ଯେଉଁ ବ୍ୟକ୍ତି ବ୍ରହ୍ମଙ୍କୁ ଏହିଭାବରେ ଉପାସନା କରନ୍ତି, ତାଙ୍କ ପକ୍ଷରେ ଦେବଲୋକ ଲାଭ କରିବା ସହଜ ହୁଏ । ଅଗ୍ନି ଦେବତା ମଧ୍ୟ ତୁମକୁ ଏ ବିଷୟରେ ଉପଦେଶ ଦେବେ ।”

ଏତିକି କହି ବାୟୁ ଦେବତା ନୀରବ ରହିଲେ ।

ସତ୍ୟକାମ ଏହାପରେ ଗୋଟି ଗୋଟି କରି ଗୋରୁମାନଙ୍କୁ ଗଣିଲା । ଦେଖିଲା, ପ୍ରକୃତରେ ସେମାନଙ୍କର ସଂଖ୍ୟା ଏକ ସହସ୍ର ହୋଇଯାଇଛି । ତେଣୁ ତତ୍ପରଦିନ ଅତି ପ୍ରତ୍ୟୁଷରେ ଧେନୁଗୋଷ୍ଠ ଘେନି ସେ ଗୁରୁଗୃହକୁ ଫେରିବାକୁ ଆରମ୍ଭ କଲା ।

କିଛି ଦୂର ଗଲା ପରେ ସନ୍ଧ୍ୟା ସମାଗତ ହେଲା । ଜଳ, ସ୍ଥଳ, ଆକାଶ, ସବୁ ନିଶ୍ଚଳ ହୋଇ ଆସିଲା । ରାତ୍ରି ଏଣିକି ନିବିଡ଼ କୃଷ୍ଣ ବାସରେ ଧରଣୀ–ମୁଖ ଅବଗୁଣ୍ଠିତ କରି ପ୍ରକୃତିରାଣୀର ଶୋଭାଗମ୍ଭୀର୍ଯ୍ୟ ବଢ଼ାଇବ । ପଶୁପକ୍ଷୀ, ଜୀବଜନ୍ତୁ, ନରନାରୀ ସମସ୍ତେ ଦିବସର ଶ୍ରାନ୍ତି ଅପନୋଦନ କରିବା ପାଇଁ ଶାନ୍ତିରେ ନିଜ ନିଜ ଗୃହରେ ଶଯ୍ୟାଗତ ହେବେ । ଲକ୍ଷ ଲକ୍ଷ ତାରା ପୃଥିବୀବକ୍ଷର ଏହି ଶାନ୍ତ ମାଧୁରୀ ଊର୍ଦ୍ଧ୍ୱରୁ ଉପଭୋଗ କରିବେ ।

 

ସତ୍ୟକାମ ଗୋଗୋଷ୍ଠକୁ ଗୋଟିଏ ସ୍ଥାନରେ ଏକତ୍ର ବାନ୍ଧିରଖିଲା ଏବଂ ଯଜ୍ଞକାଷ୍ଠ ପକାଇ ହୋମାନଳ ଜଳାଇଲା । ତତ୍ପରେ ପୂର୍ବମୁଖ ହୋଇ ବସି ସେ ସନ୍ଧ୍ୟାବନ୍ଦନା ଆରମ୍ଭ କଲା । ଏହି ସମୟରେ ଅଗ୍ନି ଦେବ ତାହାକୁ ସମ୍ବୋଧନ କରି କହିଲେ :

 

“ସତ୍ୟକାମ ! ମୁଁ ତୁମକୁ ବ୍ରହ୍ମ ସମ୍ବନ୍ଧରେ ଗୋଟିଏ ଉପଦେଶ ଦେବି ।”

ସତ୍ୟକାମ ଉଦ୍‌ଗ୍ରୀବ ହୋଇ ଅନୁନୟ କଲା :

“ଭଗବାନ୍‍ ! ଦୟା କରି ଅଧମକୁ ଅନୁଗୃହୀତ କରନ୍ତୁ ।”

ଅଗ୍ନି ଦେବତା କହିଲେ :

 

“ବତ୍ସ ! ପୃଥିବୀ, ଆକାଶ, ସ୍ପର୍ଶ, ସମୁଦ୍ର,–ଏହି ଚାରୋଟି ବ୍ରହ୍ମଙ୍କର ଚାରି ଅଂଶ । ଏଗୁଡ଼ିକ ସମସ୍ତେ ଅନ୍ତହୀନ; ତେଣୁ ଏ ଜ୍ଞାନରେ ବ୍ରହ୍ମକୁ ଉପାସନା କଲେ ମନୁଷ୍ୟ ମୃତ୍ୟୁପରେ ଅନ୍ତଲୋକ ପ୍ରାପ୍ତ ହୁଏ । ହେ ସତ୍ୟକାମ ! ହଂସରୂପୀ ସୂର୍ଯ୍ୟଦେବ ଏ ବିଷୟରେ ତୁମକୁ ଅଧିକ ଉପଦେଶ ଦେବେ ।”

 

ଏହା କହି ଅଗ୍ନିଦେବ ସେଠାରୁ ଅନ୍ତର୍ହିତ ହୋଇଗଲେ ।

 

ସତ୍ୟକାମ ନିଜ ସସୀମ ଜୀବନରେ ଏବେ ପରମେଶ୍ୱରଙ୍କର ଅସୀମ ସତ୍ତା ଅନୁଭବ କରିପାରିଲା । ବାୟୁ ଓ ଅଗ୍ନି ଦେବତାଙ୍କ କଥା ଭାବି ଭାବି ସେ ରାତ୍ରିଟି କଟାଇଦେଲା ଏବଂ ପ୍ରଭାତ ହୁଅନ୍ତେ ଗୋରୁପଲ ଘେନି ଆଶ୍ରମ ଅଭିମୁଖରେ ଅଗ୍ରସର ହେଲା ।

 

ଦିନଯାକ ଚାଲି ଚାଲି ସନ୍ଧ୍ୟା ସମୟରେ ଏକ ନିର୍ଜନ ସ୍ଥଳରେ ଗୋରୁଦଳକୁ ବାନ୍ଧି ସେ ପୂର୍ବଦିନ ପରି ଅଗ୍ନି ଜାଳି ସନ୍ଧ୍ୟାବନ୍ଦନାରେ ପ୍ରବୃତ୍ତ ହେଲା । ସୂର୍ଯ୍ୟଦେବ ସେତିକିବେଳେ ଦୁଗ୍‌ଧଫେନପ୍ରଭ ଏକ ଶୁଭ୍ର ହଂସରୂପ ଧାରଣ କରି ପକ୍ଷ ଝାଡ଼ି ଝାଡ଼ି ସେଠାକୁ ଉଡ଼ିଆସିଲେ । ସେ କହିଲେ :

 

“ସତ୍ୟକାମ ! ବ୍ରହ୍ମ ବିଷୟ ପରେ ମୋର ଉପଦେଶ ଶୁଣ । ଚନ୍ଦ୍ର, ସୂର୍ଯ୍ୟ, ଅଗ୍ନି, ବିଦ୍ୟୁତ୍‍–ଏ ଚାରୋଟି ଜ୍ୟୋତିର୍ମୟ ବ୍ରହ୍ମଙ୍କର ଚାରି ଅଂଶ । ଯେଉଁମାନେ ଏହି ଭାବରେ ବ୍ରହ୍ମଙ୍କୁ ଧ୍ୟାନ କରନ୍ତି, ସେମାନେ ପରଲୋକରେ ଚନ୍ଦ୍ରଧାମ ଓ ସୂର୍ଯ୍ୟଧାମର ଅଧିକାରୀ ହୁଅନ୍ତି । ‘ମଦ୍‌ଗୁ’ ପକ୍ଷୀରୂପୀ ଜଳଦେବତା ତୁମକୁ ବ୍ରହ୍ମଜ୍ଞାନର ଶେଷ ଉପଦେଶ ଦେବେ ।”

 

କହୁ କହୁ ହଂସବେଶୀ ଆଦିତ୍ୟ ଧବଳ ପକ୍ଷ ବିସ୍ତାର କରି ଶୂନ୍ୟ ବକ୍ଷକୁ ଉଡ଼ିଗଲା ।

 

ସତ୍ୟକାମର ଅନ୍ତର ଅପୂର୍ବ ଭାବାବେଶରେ ତନ୍ମୟ ହୋଇଗଲା । ସତ୍ୟଶିବସୁନ୍ଦର ପରଂବ୍ରହ୍ମଙ୍କ ଚିନ୍ତାରେ ନିଶାକାଳଟି ଯାପନ କରି ସେ ତତ୍ପରଦିନ ଉଷାକାଳରେ ଗୋଧନ ଫିଟାଇ ଆଶ୍ରମମୁଖୀ ହେଲା । ସନ୍ଧ୍ୟା ହୁଅନ୍ତେ ସବୁଦିନ ଭଳି ସେ ସମୀଧ ଦେଇ ଅଗ୍ନି ଜାଳିଲା ଏବଂ ପୂର୍ବମୁଖରେ ବସି ସନ୍ଧ୍ୟାସ୍ତୁତି ଆରମ୍ଭ କଲା ।

 

ଜଳଦେବ ଠିକ୍ ସେହି ସମୟରେ ‘ମଦ୍‌ଗୁ’ ନାମକ ଏକ ଜଳଚର ପକ୍ଷୀରୂପରେ ଉଡ଼ି ଉଡ଼ି ଆସି ସେଠାରେ ପହଞ୍ଚିଲେ ଏବଂ ସତ୍ୟକାମକୁ ଡାକି କହିଲେ :

 

“ବତ୍ସ ! ବ୍ରହ୍ମ ସମ୍ବନ୍ଧରେ ମୋର ଉପଦେଶ ଶୁଣ । ପ୍ରାଣ, ମନ, ଚକ୍ଷୁ ଓ କର୍ଣ୍ଣ–ଏହି ଚାରୋଟି ହେଉଛନ୍ତି ବ୍ରହ୍ମଙ୍କର ଚାରି ଅଂଶ । ଯେଉଁ ବ୍ୟକ୍ତି ଏହି ଜ୍ଞାନରେ ବ୍ରହ୍ମଙ୍କୁ ଭଜନ୍ତି, ସେ ଇହଲୋକରେ ମୁକ୍ତିର ସନ୍ଧାନ ଲାଭ କରନ୍ତି ଏବଂ ପରଲୋକରେ ମଧ୍ୟ ଜୟୀ ହୁଅନ୍ତି ।”

 

ଏତକ କହି ମଦ୍‌ଗୁରୂପୀ ଜଳଦେବତା ଉଡ଼ିଯାଇ ଦୂର ଆକାଶ ଦେହରେ ଅଦୃଶ୍ୟ ହୋଇଗଲେ ।

 

ଏହିରୂପେ ବାୟୁ, ଅଗ୍ନି, ସୂର୍ଯ୍ୟ ଓ ଜଳ ଚାରି ଦେବତାଙ୍କଠାରୁ ବ୍ରହ୍ମଜ୍ଞାନ ସମ୍ବନ୍ଧରେ ଶ୍ରେଷ୍ଠ ଉପଦେଶ ଲାଭକରି ସତ୍ୟକାମ ଅପାର ଆନନ୍ଦରେ ଅଭିଭୂତ ହେଲା । ତା’ର ସର୍ବାଙ୍ଗରେ ଏକ ଦିବ୍ୟଜ୍ୟୋତି ଖେଳିଗଲା । ଦେହ କଣ୍ଟକିତ ହୋଇଉଠିଲା ।

 

ସେହି ବିଜନ ଭୂମିରେ ରାତ୍ରି ପୁହାଇ ପରଦିନ ପ୍ର୍ୟତ୍ୟୁଷରେ ସତ୍ୟକାମ ସମସ୍ତ ଗୋରୁଙ୍କୁ ନେଇ ଗୁରୁଙ୍କ ନିକଟକୁ ପ୍ରଧାବିତ ହେଲା । ସେଠାରୁ ଆଶ୍ରମ ଅଳ୍ପ ଦୂର । ଅପରାହ୍ନପୂର୍ବରୁ ସତ୍ୟକାମ ଆଶ୍ରମରେ ଯାଇ ଉପଗତ ହେଲା ଏବଂ ଭକ୍ତିନମ୍ର ଅନ୍ତରରେ ଗୁରୁଙ୍କୁ ଚରଣ ବନ୍ଦନା କଲା ।

 

ଆଚାର୍ଯ୍ୟ ହରିଦ୍ରୁମାନ ପ୍ରିୟତମ ଶିଷ୍ୟକୁ ଫେରିପାଇ ଆନନ୍ଦରେ ଆଶୀର୍ବାଦ କଲେ । ସତ୍ୟକାମ ଯେ ନିଜର ପ୍ରତିଜ୍ଞା ପୂର୍ଣ୍ଣ କରି ଶତ ଦୁର୍ବଳ ଗୋରୁଙ୍କୁ ବଢ଼ାଇ ଏକ ସହସ୍ର ସବଳ ଗୋରୁରେ ପରିଣତ କରିପାରିଛି, ଏଥିପାଇଁ ସେ ସମସ୍ତ ଶିଷ୍ୟଙ୍କ ସମକ୍ଷରେ ତା’ର ଭୂୟସୀ ପ୍ରଶଂସା କଲେ ।

 

ଗୁରୁ ତାହାଠାରେ ଏକ ମହାନ୍ ପରିବର୍ତ୍ତନ ଲକ୍ଷ୍ୟ କଲେ । ସେ ଆଉ ପୂର୍ବର ସତ୍ୟକାମ ନୁହେଁ–ଏବେ ବ୍ରହ୍ମଜ୍ଞ ସତ୍ୟକାମ । ଦେହରେ ତା’ର ଅପୂର୍ବ ବ୍ରହ୍ମଜ୍ୟୋତି । ପ୍ରାଣରେ ତା’ର ବ୍ରହ୍ମଜ୍ଞାନର ଅପୂର୍ବ ଅନୁଭୂତି । ଋଷି ପଚାରିଲେ :

 

“ବତ୍ସ ! କେଉଁ ଗୁରୁର ଉପଦେଶରେ ତୁମର ଏହି ଜ୍ଞାନୋଦୟ ହୋଇପାରିଛି, ସତ କରି କୁହ ।”

 

କୃତାଞ୍ଜଳିପୁଟରେ ସତ୍ୟକାମ ଉତ୍ତର ଦେଲା :

 

“ଗୁରୁଦେବ ! ଆପଣଙ୍କ ବ୍ୟତୀତ ମୋର ଅନ୍ୟ ଗୁରୁ କେହି ନାହାନ୍ତି । ବାୟୁ, ଅଗ୍ନି, ସୂର୍ଯ୍ୟ ଓ ଜଳ ଏହି ଚାରି ଦେବତା ସ୍ୱତଃ ଆସି ମତେ ଉପଦେଶ ଦେଇଛନ୍ତି । ସେହି ଉପଦେଶ ଫଳରେ ମୁଁ ଜୀବନରେ ବ୍ରହ୍ମଙ୍କ ବିଷୟରେ ସତ୍ୟ ଲାଭ କରିଛି । ଏବେ ଆପଣ ଅଧିକ ଜ୍ଞାନ ଦେଇ ମୋର ଲବ୍‌ଧ ସତ୍ୟକୁ ପୂର୍ଣ୍ଣାଙ୍ଗ କରନ୍ତୁ ।

 

ଗୁରୁ ହରିଦ୍ରୁମାନଙ୍କ ପ୍ରାଣ ଶିଷ୍ୟ ଗର୍ବରେ ଫୁଲିଉଠିଲା । ସେହି ଦିନୁ ସେ ସତ୍ୟକାମକୁ ପ୍ରତ୍ୟକ୍ଷ ବ୍ରହ୍ମଜ୍ଞାନ ଦେବାକୁ ଲାଗିଲେ । ଗୁରୁ କୃପାରୁ ଓ ନିଜର ଅଦ୍ଭୁତ ସାଧନାବଳରୁ ଜାବାଳ–ସତ୍ୟକାମ ଅଚିରେ ପରମଜ୍ଞାନୀ ହେଲା ଅବଂ ତା ପରେ ଆଶ୍ରମରୁ ବିଦାୟ ଘେନି ମାତାଙ୍କ ଜୀର୍ଣ୍ଣ କୁଟୀରକୁ ପ୍ରତ୍ୟାବର୍ତ୍ତନ କଲା । କୋଳର ମଣିକୁ ପୁଣି କୋଳରେ ପାଇ ଜବାଳା ମର ଜୀବନରେ ଅପାର ସଂପଦ ଲାଭକଲେ ।

Image

 

ଦେବତାଙ୍କ ଗର୍ବ

 

–୧–

 

ସ୍ୱର୍ଗରେ ଦେବତା–ମର୍ତ୍ତ୍ୟରେ ଅସୁର...

 

ଏ ଦୁଇ ଦଳଙ୍କ ମଧ୍ୟରେ ଚିରଦିନ ଶତ୍ରୁତା ଓ ଅହନ୍ତା ଲାଗିରହିଥିଲା । ଦେବତାମାନେ ଭାବୁଥିଲେ, ସେମାନେ ସବୁଠାରୁ ବଳବାନ୍–ବିଶ୍ୱସୃଷ୍ଟିରେ ତାଙ୍କଠାରୁ ଆଉ କେହି ଶ୍ରେଷ୍ଠ ନାହିଁ ।

 

ଅସୁରମାନେ ଭାବୁଥିଲେ, ତାଙ୍କ ପରାକ୍ରମ ଆଗରେ ଦେବତାଙ୍କ ଶକ୍ତି କିଛି ନୁହେଁ । ସେମାନେ ଇଚ୍ଛା କଲେ ଦେବତାମାନଙ୍କୁ ମାରି ହାଣି ଶେଷ କରିଦେବେ–ସାରା ସ୍ୱର୍ଗମଣ୍ଡଳକୁ ଖଣ୍ଡ ଖଣ୍ଡ କରି ସମୁଦ୍ରଗର୍ଭକୁ ଫିଙ୍ଗିଦେବେ ।

 

ମୋଟ ଉପରେ ଦେବତା ଓ ଅସୁର ଉଭୟେ ଉଭୟଙ୍କୁ ବିଷଦୃଷ୍ଟିରେ ଦେଖୁଥିଲେ । ସେଥିପାଇଁ ସୁବିଧା ଓ ସୁଯୋଗ ପାଇଲେ ଏକ ଦଳ ଅନ୍ୟ ଦଳକୁ ବିପଦ୍‍ଗ୍ରସ୍ତ କରିବାକୁ ଛାଡ଼ୁ ନ ଥିଲେ ।

 

ସାଧାରଣତଃ ଅସୁରମାନେ ବଡ଼ ଦୁର୍ଦ୍ଦାନ୍ତ ଓ ନିର୍ମ୍ମମ । ଅନେକ ସମୟରେ ସେମାନେ ନିଜର ଅଖଣ୍ଡ ଶାରୀରିକ ଶକ୍ତି ଯୋଗୁ ନାନା ବିପ୍ଳବ ସୃଷ୍ଟି କରି ଅଯଥା ଅଶାନ୍ତି ଓ ବିଭୀଷିକାର ବାତ୍ୟା ବୁହାଇ ଦିଅନ୍ତି । ବିଶ୍ୱର ମଙ୍ଗଳପ୍ରତି ସେମାନଙ୍କର ଆଦୌ ଦୃଷ୍ଟି ନ ଥାଏ କହିଲେ ଚଳେ । ସର୍ବଦା ଯଥେଚ୍ଛାଚାରୀ ହୋଇ ନିଜର ଖିଆଲ ଅନୁସାରେ କାର୍ଯ୍ୟ କରି ଆତ୍ମପ୍ରସାଦ ଅନୁଭବ କରିବା ହିଁ ସେମାନଙ୍କର ଜନ୍ମଗତ ସ୍ୱଭାବ ।

 

ଦେବତାମାନଙ୍କ ପ୍ରକୃତି ଭିନ୍ନ ପ୍ରକାର । ସେମାନେ କାହାରି ଅତ୍ୟାଚାର ବା ଅନ୍ୟାୟ ସହ୍ୟ କରିପାରନ୍ତି ନାହିଁ । ଅତ୍ୟାଚାରୀ ବା ଅନ୍ୟାୟକାରୀକୁ ପରାଭବ ଦେଇ ସୃଷ୍ଟିରେ ଶାନ୍ତି ଓ ମଙ୍ଗଳ ପ୍ରତିଷ୍ଠା କରିବା ହିଁ ସେମାନଙ୍କ ଜୀବନର ଲକ୍ଷ୍ୟ ।

 

ଏହି ବିପରୀତ ମନୋବୃତ୍ତି ହିଁ ଅସୁର ଓ ଦେବତାଙ୍କ ମଧ୍ୟରେ ଯୁଦ୍ଧ, ବିବାଦ, ଈର୍ଷା, ଅହଙ୍କାରର ଏକମାତ୍ର କାରଣ । ଫଳରେ ଦୁର୍ଦ୍ଧର୍ଷ ଅସୁରମାନେ ମଧ୍ୟେ ମଧ୍ୟେ ଦେବପୁରୀକୁ ଯାଇ ଆକ୍ରମଣ କଲେ । କେତେବେଳେ ନନ୍ଦନକାନନ ମଧ୍ୟରେ ପଶି ତା’ର କୌଣସି କୌଣସି ଅଂଶ ଧ୍ୱଂସ କରିଦେଲେ, କେତେବେଳେ ବା ଆକସ୍ମିକ ଭାବରେ ଦେବସଭା ଭିତରକୁ ଯାଇ ତାକୁ ବିକଳାଙ୍ଗ କରିବାକୁ ଚେଷ୍ଟା କଲେ ।

 

ଦେବତାମାନେ ଅବଶ୍ୟ ଏହି ଉତ୍ପୀଡ଼ନ, ଆକ୍ରମଣର ଘୋର ପ୍ରତିରୋଧ କରନ୍ତି; ମାତ୍ର ପୂର୍ବରୁ ପ୍ରସ୍ତୁତ ନୋହିଥିବା ଫଳରେ ଅଧିକାଂଶ ସମୟରେ ପ୍ରମାଦ ଗଣନ୍ତି । ଦେବତାମାନଙ୍କୁ ପରାସ୍ତ କରିବା ଅସୁରଙ୍କ ପକ୍ଷରେ ସହଜ ବା ସମ୍ଭବ ନ ଥିଲେହେଁ ସେମାନଙ୍କ ଅପ୍ରତ୍ୟାଶିତ ଦୌରାତ୍ମ୍ୟର ଆଶଙ୍କାରେ ଦେବରାଜ୍ୟ ସବୁବେଳେ ଭୟରେ ଭରି ରହିଲା । ଶାନ୍ତିମୟ ସ୍ୱର୍ଗଧାମରେ ଅବିରତ ଅଶାନ୍ତିର ଢକ୍‌କା ବାଜିଉଠିଲା ।

 

ବେଳୁବେଳ ଅସୁରଙ୍କ ଉତ୍ପାତ ପ୍ରବଳ ହେବାକୁ ଲାଗିଲା । ଦେବତାମାନେ ବଡ଼ କାତର ହୋଇ ଉଠିଲେ । ଦୁର୍ଯୋଗ ପଡ଼ିଲେ ସେହି ଦୁର୍ବୃତ୍ତମାନେ ଯେ ଝଡ଼ ଭଳି ହଠାତ୍ ମାଡ଼ିଆସି ଦିନେ ସ୍ୱର୍ଗରାଜ୍ୟକୁ ଦଖଲ ନ କରିବେ, ଏହା କିଏ କହିବ ? ଏହି ଆଶଙ୍କା ଯୋଗୁ ଦେବରାଜ ଇନ୍ଦ୍ରଙ୍କ ବଜ୍ରଦୃଢ଼ ହୃଦୟ ମଧ୍ୟ କ୍ଷଣିକ ଦୁର୍ବଳତାରେ ନଇଁପଡ଼ିଲା ।

 

ଦେବତାମାନଙ୍କର ଏହି ଦୁଃଖଦୁର୍ଦ୍ଦଶା କଥା ଜାଣି ଭଗବାନ ତା’ର ପ୍ରତିକାର କଲେ । ସେ ସେମାନଙ୍କ ଦେହରେ ଅପରିମିତ ଶକ୍ତି ପ୍ରବେଶ କରାଇଦେଲେ । ସେହିଦିନୁଁ ଦେବଗଣ ନିଜଠାରେ ନବ ବଳ ଓ ନବ ତେଜ ଅନୁଭବ କରିବାକୁ ଲାଗିଲେ । ସେମାନଙ୍କ ମନରୁ ସହସା ଭୟଭ୍ରାନ୍ତି ବିଦୂରିତ ହୋଇଗଲା । ଅସୁରମାନଙ୍କ ଦାଉ ଏଣିକି ଆଉ ଆଗପରି ବାଧିଲା ନାହିଁ ।

 

ଭଗବାନଙ୍କର ଏହି ଅଯାଚିତ ଦୟା କିନ୍ତୁ ଦେବତାମାନଙ୍କୁ ଅତ୍ୟନ୍ତ, ଉଦ୍ଧତ କରିପକାଇଲା । ସେମାନେ ନିର୍ଭୀକ ହୋଇଯିବା ଫଳରେ ଓଲଟି ଅସୁରମାନଙ୍କ ସହିତ ଯୁଦ୍ଧ କଲେ ଏବଂ ପ୍ରଭୁଦତ୍ତ ଶକ୍ତିବଳରେ ଅସଂଖ୍ୟ ଅସୁର ମାରି ସେମାନଙ୍କ ରକ୍ତରେ ଭୂପୃଷ୍ଠ ରଞ୍ଜିତ କରିଦେଲେ ।

 

ଏଥିରେ ଦେବତାମାନଙ୍କ ଆନନ୍ଦ ଓ ଉତ୍ସାହର ସୀମା ରହିଲା ନାହିଁ । ଚାହୁଁ ଚାହୁଁ ସେମାନେ ମଦାନ୍ଧ ହୋଇଉଠିଲେ : ଅହଙ୍କାର ଓ ଗର୍ବରେ ସେମାନଙ୍କ ବକ୍ଷ ସ୍ଫୀତ ହୋଇଗଲା ।

 

ଏକତା ଯେଉଁ ଦେବକୁଳର ଦିନେ ପ୍ରଧାନ ଅସ୍ତ୍ର ଥିଲା, ଏବେ ତାହା ସମୂଳେ ଧ୍ୱଂସ ପାଇଲା । ପ୍ରତ୍ୟେକ ନିଜକୁ ଅନ୍ୟଠାରୁ ବଡ଼ ଓ ବଳୀ ବୋଲି ମନେ କରିବାକୁ ଲାଗିଲେ । କାହାରି ସହିତ କାହାରି ବନ୍ଧୁତା ବା ସଦ୍‌ଭାବ ଆଉ ରହିଲା ନାହିଁ । ଇନ୍ଦ୍ରଙ୍କଠାରୁ ଆରମ୍ଭ କରି ଅଗ୍ନି, ବାୟୁ, ବରୁଣ, କୁବେରଙ୍କ ପର୍ଯ୍ୟନ୍ତ ସମସ୍ତେ ଆତ୍ମବଡ଼ିମାରେ ଫୁଲିଉଠି ଆପଣା ଆପଣାକୁ ସର୍ବଶ୍ରେଷ୍ଠ ଓ ସର୍ବଶକ୍ତିର ଆଧାର ବୋଲି ମନେ ମନେ ବିଚାର କଲେ ।

 

ସ୍ୱର୍ଗରାଜ୍ୟରେ ଘୋର ଅରାଜକତା ଓ ଗୃହବିବାଦ ବ୍ୟାପିଗଲା । ଏହାଦ୍ୱାରା ସ୍ୱର୍ଗର ଅଧଃପତନ ଅବଶ୍ୟମ୍ଭାବୀ ଜାଣି ଭଗବାନ ତା’ର ପ୍ରତିବିଧାନ କଲେ । ଦେବତାମାନଙ୍କ ମନର ଅହମିକାହିଁ ସ୍ୱର୍ଗପୁରୀର ଆସନ୍ନ ଧ୍ୱଂସର ମୂଳ କାରଣ; ତେଣୁ ଭଗବାନ ସେହି ଅହମିକାର ବିନାଶପାଇଁ ଏକ କୌଶଳ କଲେ । ଦିନେ ସେ ଏକ ଜ୍ୟୋତିର୍ମୟ ରୂପ ଧରି ଦେବସଭାସମୀପରେ ଆବିର୍ଭୂତ ହେଲେ । ସେହି ଉଜ୍ଜ୍ୱଳ ବିରାଟ ପୁରୁଷଙ୍କ ଦେହରୁ ଅପୂର୍ବ ଜ୍ୟୋତିର ଝଲକ ଚାରିଆଡ଼କୁ ବିକ୍ଷିପ୍ତ ହୋଇପଡ଼ିଲା । ସମଗ୍ର ସ୍ୱର୍ଗରାଜ୍ୟ ତାହାରି ଝଟକରେ ଉଦ୍ଭାସିତ ହୋଇଗଲା ।

 

ଦେବତାମାନେ ସ୍ତମ୍ଭୀଭୂତ ହୋଇ ବିସ୍ମୟବିସ୍ଫାରିତ ନେତ୍ରରେ ସେହି ଦିବ୍ୟପୁରୁଷଙ୍କ ଆଡ଼କୁ କେବଳ ଅନାଇ ରହିଲେ । ଏଭଳି ଅପରୂପ ତେଜସ୍କର ମୂର୍ତ୍ତି କାହୁଁ କିପରି ଆସିଲେ, ଏହା ଜାଣିବାକୁ ପ୍ରତ୍ୟେକେ ଜିଜ୍ଞାସୁ ହୋଇ ଉଠିଲେ ।

 

ମାତ୍ର ଏହାର ଉତ୍ତର ଦେବ କିଏ ?

 

–୨–

 

ବିରାଟ ଦେବସଭା...

 

ଦେବତାମାନେ ଏକତ୍ର ଠୁଳ ହୋଇ ବିଚାରିଲେ, କି ଉପାୟ କଲେ ଦିବ୍ୟପୁରୁଷଙ୍କର ସମସ୍ତ ରହସ୍ୟ ଜଣାପଡ଼ିବ । ବହୁ ତର୍କଣାପରେ ସ୍ଥିର ହେଲା ଯେ, ସେମାନଙ୍କ ମଧ୍ୟରୁ ଜଣେ କେହି ଉକ୍ତ ଜ୍ୟୋତିର୍ମୟ ମୂର୍ତ୍ତିଙ୍କ ନିକଟକୁ ଯିବେ ଏବଂ ତାଙ୍କ ସହିତ କଥୋପକଥନ କରି ସବୁ ତଥ୍ୟ ବୁଝି ଆସିବେ । କିନ୍ତୁ କେହି ହେଲେ ତାଙ୍କ ପାଖକୁ ଯିବାକୁ ସାହସ କଲେ ନାହିଁ–ଯିବା କଥା ଭାବିଲାମାତ୍ରେ ଭୟରେ ପ୍ରତ୍ୟେକଙ୍କ ଛାତି ଥରିବାକୁ ଆରମ୍ଭ କଲା ।

 

ଅଗ୍ନି ସବୁ ଦେବତାଙ୍କ ମଧ୍ୟରେ ଅଧିକ ତେଜସ୍ୱୀ; ତେଣୁ ତାଙ୍କୁ ଯିବା ପାଇଁ ସମସ୍ତେ ଅନୁରୋଧ କଲେ । ଏତେ ଦେବତାଙ୍କ ସନିର୍ବନ୍ଧ ଅନୁରୋଧ ପ୍ରତ୍ୟାଖ୍ୟାନ କରିବାକୁ ଅଗ୍ନିଦେବଙ୍କ ଇଚ୍ଛା ହେଲା ନାହିଁ । ଶେଷକୁ ବିରାଟପୁରୁଷଙ୍କର ସମ୍ମୁଖୀନ ହେବାକୁ ସେ ଅଗ୍ରସର ହେଲେ ।

 

ତାହାଙ୍କୁ ଦେଖିବାମାତ୍ରେ ଜ୍ୟୋତିଃପୁରୁଷ ଧୀର ସ୍ୱରରେ ପଚାରିଲେ :

“କିଏ ତୁମେ ଏଠାକୁ ଆସିଲ ?”

 

ଦିବ୍ୟପୁରୁଷଙ୍କ ମୁଖରୁ ଏହି ପ୍ରଶ୍ନ ଶୁଣିବାରୁ ଅଗ୍ନିଙ୍କର ଭୟ ଭାଙ୍ଗିଗଲା । ଦେବତାମାନଙ୍କର ପ୍ରତିନିଧି ରୂପେ ନିର୍ବାଚିତ ହୋଇଥିବାରୁ ତାଙ୍କର ଗର୍ବ ବହୁ ଗୁଣରେ ବଢ଼ିଯାଇଥିଲା; ତେଣୁ ସେ ଦର୍ପିତ କଣ୍ଠରେ ସଙ୍ଗେ ସଙ୍ଗେ ଉତ୍ତର ଦେଲେ :

 

“ମୁଁ ଅଗ୍ନିଦେବ–ଅସୀମ ଶକ୍ତିର ଅଧିକାରୀ । ମୋର ଅନ୍ୟ ନାମ ‘ଜାତବେଦ’ ! ମୁଁ ‘ସର୍ବଭୂତ’ ବୋଲି ମତେ ସମସ୍ତେ ଭୟ କରନ୍ତି । ଇଚ୍ଛା କଲେ ମୁଁ ସମଗ୍ର ବ୍ରହ୍ମାଣ୍ଡକୁ ଏକ ମୁହୂର୍ତ୍ତରେ ପୋଡ଼ି ଭସ୍ମ କରିଦେଇ ପାରେଁ ।”

 

ଏହା ଶୁଣି ବିରାଟପୁରୁଷ କ୍ଷୀଣ ହାସ୍ୟ ପ୍ରକାଶ କରି କହିଲେ :

 

“ବାସ୍ତବିକ ତାହାହେଲେ ତୁମର ଅକଳନ୍ତି ଶକ୍ତି ! ଆଚ୍ଛା ଅଗ୍ନି ଦେବ ! ତୁମେ ତୁମ ଶକ୍ତିର କିଛି ପରିଚୟ ଦେଇପାରିବ ?”

 

ଉଦ୍ଧତ ଓ ଉତ୍ତେଜିତ ସ୍ୱରରେ ଅଗ୍ନି କହିଉଠିଲେ :

“ନିଶ୍ଟୟ ଦେବି ।”

 

ତହୁଁ ଜ୍ୟୋତିର୍ମୟ ମୂତ୍ତି ପାଖରେ ପଡ଼ିଥିବା ଏକ ଶୁଷ୍କ ତୃଣଗୁଚ୍ଛ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରି କହିଲେ :

 

“ଏହାକୁ ତୁମେ ପୋଡ଼ିଦେଇ ପାରିବ ?”

 

ସାମାନ୍ୟ ଶୁଖିଲା ତୃଣକେରାଏ ପୋଡ଼ି ସେ ନିଜ ଶକ୍ତିର ପରୀକ୍ଷା ଦେବେ, ଏହା ଭାବି ଅଗ୍ନିଙ୍କ ମନରେ ବଡ଼ କ୍ଷୋଭ ଜାତ ହେଲା; ତେଣୁ ସେ ଅବଜ୍ଞାପୂର୍ଣ୍ଣ କଣ୍ଠରେ ଉକ୍ତ ପୁରୁଷଙ୍କୁ କହିଲେ :

 

“ମୋର ପରାକ୍ରମ ସମ୍ବନ୍ଧରେ ତୁମେ ନିତାନ୍ତ ଅଜ୍ଞ ଥିବାରୁ ଏଭଳି ଗୋଟାଏ ତୁଚ୍ଛ ପରୀକ୍ଷାର ପ୍ରସ୍ତାବ କରୁଛ । ଏହାଦ୍ୱାରା ମୋର ବିରାଟ ଶକ୍ତିକୁ ତୁମେ ଅପମାନ କରୁ ନାହଁ କି ?

 

ଦିବ୍ୟ ମୂର୍ତ୍ତି ଏଥର ତାଚ୍ଛଲ୍ୟବ୍ୟଞ୍ଜକ ସ୍ୱରରେ କହିଲେ :

 

“ଆଚ୍ଛା ହେଉ, ଏଇ ଶୁଖିଲା ତୃଣତକ ଆଗ ପୋଡ଼ି ସାର, ତା’ପରେ ବଡ଼ ପରୀକ୍ଷାର ପ୍ରଶ୍ନ ଉଠିବ ।”

 

ଏ ରୁଢ଼ କଥା ଶୁଣି ଅଗ୍ନି ମନେ ମନେ କ୍ରୋଧରେ କଡ଼କଡ଼ ହୋଇଉଠିଲା । ଆଉ ଦଣ୍ଡେ ବିଳମ୍ବ ନ କରି ଉକ୍ତ ତୃଣଗୁଚ୍ଛଟିକୁ ପୋଡ଼ି ଭସ୍ମ କରିଦେବାକୁ ଉଦ୍ୟତ ହେଲେ; ମାତ୍ର ବଡ଼ ବିସ୍ମୟର କଥା ଯେତେ ଚେଷ୍ଟା କଲେ ମଧ୍ୟ ତହିଁମଧ୍ୟରୁ ଗୋଟିଏ ହେଲେ ତୃଣ ପୋଡ଼ିପାରିଲେ ନାହିଁ ।

 

ଲଜ୍ଜା ଓ କ୍ଷୋଭରେ ଅଗ୍ନିଙ୍କ ମୁଖ ଅଧୋଗତ ହେଲା । ତାଙ୍କର ସମସ୍ତ ବଡ଼ିମା, ସମସ୍ତ ଗର୍ବ, ଅହଙ୍କାର ସେଇଠି ଚୂନା ହୋଇଗଲା । ପଦେ ମାତ୍ର ଆଉ କଥା ନ କହି ସେ ଆହତ ବ୍ୟାଘ୍ରପରି ସଙ୍ଗେ ସଙ୍ଗେ ସେଠାରୁ ପଳାଇ ଆସିଲା ।

 

ଏଣେ ଦେବତାମାନେ ଉଦ୍‌ଗ୍ରୀବ ହୋଇ ତାଙ୍କୁ ଅପେକ୍ଷା କରି ବସିଥିଲେ; କିନ୍ତୁ ତାଙ୍କର ଏଭଳି ଶୋଚନୀୟ ପରାଭବ ଶୁଣି ବଡ଼ ଦୁଃଖିତ ହେଲେ । ତହୁଁ ସେମାନେ ନିଜ ମଧ୍ୟରୁ ଆଉ ଜଣକୁ ପଠାଇବା ପାଇଁ ବିଚାର କଲେ ।

 

ଏଥର ସମସ୍ତଙ୍କର ଦୃଷ୍ଟି ପଡ଼ିଲା ବାୟୁଦେବତାଙ୍କ ଉପରେ । ସେମାନେ ବାୟୁଙ୍କୁ ବହୁତ ଟେକାଟେକି କରି କହିବାରୁ ତାଙ୍କ ଛାତି କୁଣ୍ଢେମୋଟ ହୋଇଗଲା । ତାଙ୍କ ମନର ଗର୍ବ ମଧ୍ୟ ଶହେ ଗୁଣ ବଢ଼ିଗଲା । ସେ ସଦମ୍ଭରେ ଯାଇ ଦିବ୍ୟପୁରୁଷଙ୍କ ସମ୍ମୁଖରେ ଉପସ୍ଥିତ ହେଲେ ।

 

ଦିବ୍ୟମୂର୍ତ୍ତି ତାଙ୍କୁ ଦେଖି ପଚାରିଲେ :

“ତୁମେ ପୁଣି କିଏ ଆସିଲ, ମହାତ୍ମା !”

ବାୟୁ ଗର୍ବରେ ଗ୍ରୀବା ତୋଳି କହିଲେ :

 

“ମୋର ନାମ ବାୟୁଦେବ । ମତେ ନ ଚିହ୍ନି ବ୍ରହ୍ମାଣ୍ଡରେ କେହି ନାହିଁ । ମୋର ପ୍ରଚଣ୍ଡ ଶକ୍ତି ନିକଟରେ ସମସ୍ତେ ନତମସ୍ତକ । ମୁଁ ଇଚ୍ଛା କଲେ କ୍ଷଣକ ମଧ୍ୟରେ ସାରା ସୃଷ୍ଟିରେ ପ୍ରଳୟ ଘଟାଇ ପାରେ । ଯେତେ ଯେତେ ପ୍ରକାଣ୍ଡ ପର୍ବତ ଆକାଶକୁ ସ୍ପର୍ଶ କରି ଚତୁର୍ଦ୍ଦିଗରେ ଦଣ୍ଡାୟମାନ, ମୁଁ ସେ ସମସ୍ତଙ୍କୁ ଏକସଙ୍ଗରେ ପଲକମାତ୍ରେ କାହିଁ ଉଡ଼ାଇଦେଇ ପାରେ । ନିଜ ବିଷୟରେ ଆଉ ଅଧିକ ପରିଚୟ ଦେବା ଅନାବଶ୍ୟକ ।”

 

ଏ ଆସ୍ଫାଳନ ଶୁଣି ବିରାଟପୁରୁଷ କୁଟିଳ ସ୍ମିତହାସ୍ୟରେ କହିଲେ :

 

“ବାୟୁଦେବ ! ତୁମ ମୁହଁରୁ ତୁମର ଶକ୍ତି ବିଷୟ ଶୁଣିଲି; ମାତ୍ର ଆଖି ଆଗରେ ତା’ର ପ୍ରମାଣ ନ ଦେଖିବା ପର୍ଯ୍ୟନ୍ତ ବିଶ୍ୱାସ କରିବି କିପରି ?”

 

କଥା ଶେଷ ନ ହେଉଣୁ ବାୟୁ କହି ଉଠିଲେ :

 

“ଗୋଟିଏ କାହିଁକି, ସହସ୍ର ପ୍ରମାଣ ଦେବାକୁ ମୁଁ ପ୍ରସ୍ତୁତ । ତୁମେ ଅକ୍ଳେଶରେ ଏଠାରେ ମୋ ଶକ୍ତିର ପରୀକ୍ଷା ନେଇପାର ।”

 

ଜ୍ୟୋତିଃପୁରୁଷ କହିଲେ :

 

“ତୁମେ ତ ଶହ ଶହ ପର୍ବତକୁ ଦଣ୍ଡକେ ଉଡ଼ାଇ ଦେବା କଥା କହିସାରିଛ । ଏଡେ ବଡ଼ ପରୀକ୍ଷା ମୋର ଦରକାର ନାହିଁ । ଆଗ ଏଇ ଶୁଖିଲା ତୃଣଗୁଚ୍ଛଟିକୁ ଏଠାରୁ ଉଡ଼ାଇଦିଅ ତ ! ସେଇଥିରୁ ତୁମ ଶକ୍ତିର ପରିଚୟ ବେଶ୍ ମିଳିଯିବ ଯେ ।”

 

ବାୟୁଦେବ ବଡ଼ ମନୋଦୁଃଖରେ କହିଲେ :

 

“ଶେଷକୁ ଏଇ ସାମାନ୍ୟ ଘାସକେରାକୁ ଉଡ଼ାଇ ମୋର ବିରାଟ ଶକ୍ତି ଦେଖାଇବାକୁ ପଡ଼ିବ ! କି ଅପମାନ ଦେଲେ ସତେ ! ହେଉ, ଏବେ ଦେଖ ।”

 

ଏହା କହି ବାୟୁ ସେହି ତୃଣଗୁଚ୍ଛଟିକୁ ଉଡ଼ାଇଦେବାକୁ ବସିଲେ; କିନ୍ତୁ କି ବିଡ଼ମ୍ବନା, କାହିଁ ଗୋଟିଏ ସୁଦ୍ଧା ଘାସ ତ ଉଡ଼ିଲା ନାହିଁ ! ଏ କଣ ହେଲା ! ବାୟୁ ନିଜର ସକଳ ଶକ୍ତି ବାରମ୍ବାର ପ୍ରୟୋଗ କରି ମଧ୍ୟ ଶେଷରେ ବ୍ୟର୍ଥମନୋରଥ ହେଲେ । ତହୁଁ ନିଜର ନିର୍ଲଜ୍ଜ ମୁଖ ଆଉ ନ ଦେଖାଇ ସେ ସେଠାରୁ କ୍ଷିପ୍ରଗତିରେ ପଳାଇଆସିଲେ ଦେବତାଙ୍କ ପାଖକୁ ।

 

ବାୟୁଙ୍କର ମଧ୍ୟ ଗର୍ବ, ଅହମିକା ସମସ୍ତ ଚୂର୍ଣ୍ଣୀଭୂତ ହେଲା ।

 

ଏବେ ଉପାୟ କଣ ? ଦେବତାଙ୍କ ମଧ୍ୟରେ ଭାଳେଣି ପଡ଼ିଲା । ପୁଣି କାହାକୁ ପଠାଇବେ ? କିଏ ଗଲେ ସଫଳକାମ ହୋଇ ଉକ୍ତ ଦିବ୍ୟପୁରୁଷଙ୍କର ସମସ୍ତ ତଥ୍ୟ ବୁଝି ଆସିପାରିବ ?

 

ସେପରି ଶକ୍ତିମନ୍ତ ଆଉ କେହି ଆଖିରେ ପଡ଼ିଲେ ନାହିଁ, ତେଣୁ ସମସ୍ତ ଦେବତା ଏକତ୍ର ମିଳି ଇନ୍ଦ୍ରଦେବଙ୍କୁ ଉକ୍ତ ଦୁରୂହ କାର୍ଯ୍ୟର ଭାର ନେବାକୁ ନିବେଦନ କଲେ ।

 

ନିଜ ପ୍ରଜାଗଣଙ୍କ ପ୍ରାର୍ଥନା ଏଡ଼ି ନ ଦେଇ ଦେବରାଜ ବାହାରିଲେ ଜ୍ୟୋତିର୍ମୟ ପୁରୁଷଙ୍କ ନିକଟକୁ । ସେଠାରେ ପହଞ୍ଚିବାମାତ୍ରେ ଏକ ଅଦ୍ଭୁତ ବ୍ୟାପାର ତାଙ୍କ ଚକ୍ଷୁସମକ୍ଷରେ ସଂଘଟିତ ହେଲା । ସେହି ଦିବ୍ୟ ତେଜୋମୟ ମୂର୍ତ୍ତି ଚାହୁଁ ଚାହୁଁ କେଉଁଆଡ଼େ ଅନ୍ତର୍ହିତ ହୋଇଗଲେ-। ସ୍ତବ୍‌ଧଚକିତ ନୟନରେ ଇନ୍ଦ୍ର ଆକାଶମାର୍ଗକୁ ଅନାଇରହିଛନ୍ତି । ଏଇ ସମୟରେ ଦିବ୍ୟାଭରଣ ଭୂଷିତା ଏକ ଲାବଣ୍ୟମୟୀ ନାରୀମୂର୍ତ୍ତିଙ୍କର ସହସା ଆବିର୍ଭାବ ହେଲା ! ତାହାଙ୍କର କମନୀୟ କନକ–ଆଭାରେ ଦେବଲୋକ ଆଲୋକମୟ ହୋଇଉଠିଲା ।

 

ବିସ୍ମୟବିମୂଢ଼ ହୋଇ ଇନ୍ଦ୍ର ତାହାଙ୍କୁ କିଛିକ୍ଷଣ ପରେ ପଚାରିଲେ :

 

“ଦେବୀ ! କିଏ ତୁମେ ? କାହିଁକି ବା ଦେବସଭା ମଣ୍ଡପକୁ ଅବତରଣ କଲ ? ଆଉ, ଏଥିପୂର୍ବରୁ ଯେଉଁ ଦିବ୍ୟପୁରୁଷ ଏଠାରେ ଆବିର୍ଭୂତ ହୋଇଥିଲେ, ସେ ବା କିଏ ?”

 

ଦେବୀ ଉତ୍ତର କଲେ :

 

“ହେ ଇନ୍ଦ୍ର ! ଦେବରାଜ୍ୟ ତା’ର ସମସ୍ତ ମହତ୍ତ୍ୱ, ସମସ୍ତ ମର୍ଯ୍ୟାଦା ଏବେ ହରାଇ ବସିଛି-। ଦେବତା–ଦେବତା ମଧ୍ୟରେ କଳହ–ଦ୍ୱନ୍ଦ; ବାଦ–ବିସମ୍ବାଦ କ୍ରମେ ବଢ଼ିବାରେ ଲାଗିଛି । ପ୍ରତ୍ୟେକେ ଗର୍ବରେ ନିଜକୁ ବଡ଼ ବୋଲି ଭାବିବା ଦ୍ୱାରା ସ୍ୱର୍ଗର ବଡ଼ପଣ ଚାଲିଯାଉଛି । ତୁମେମାନେ ନିଜ ନିଜକୁ ସର୍ବଶକ୍ତିମାନ୍ ବୋଲି ବୃଥା ଭାବୁଛ । ବୁଝିପାରୁ ନାହଁ ଯେ, ଭଗବାନଙ୍କ ଦୟାରୁ ତୁମେ ସବୁ ଶକ୍ତିଶାଳୀ ଏବଂ ତାଙ୍କରି ଅନୁଗ୍ରହରୁ ତୁମେମାନେ ଅସୁରଙ୍କୁ ପରାସ୍ତ କରୁଛ । ତୁମମାନଙ୍କୁ ଉଚିତ ଶିକ୍ଷା ଦେବାପାଇଁ ଏଥିପୂର୍ବରୁ ସ୍ୱୟଂ ଭଗବାନ ଦିବ୍ୟମୂର୍ତ୍ତି ଧରି ଏଠାରେ ପ୍ରକାଶିତ ହୋଇଥିଲେ । ଅଗ୍ନି ଓ ବାୟୁ ଯେ ଅପଦସ୍ତ ହୋଇ ଏଠାରୁ ଫେରିଗଲେ, ସେହି ଘଟନାରୁ ତୁମ୍ଭମାନଙ୍କର ଚେତନା ଆସିବା ଉଚିତ ଥିଲା । ତାପରେ ମୁଁ...ମୁଁ ହେଉଛି ଭଗବାନଙ୍କ ଆଶ୍ରିତା ‘ଶକ୍ତି’ । ଆମ ଦୁହିଙ୍କ ଅଭାବରେ ତୁମେମାନେ ପାଦେ ହେଲେ ଅଗ୍ରସର ହୋଇପାରିବ ନାହିଁ । ଏବେ ନିଜ ନିଜର ଅହଙ୍କାର, ବଡ଼ିମା ଓ ଗର୍ବ ଦୂରକୁ ଫିଙ୍ଗିଦିଅ । ତାହାହେଲେ ଯାଇ ସ୍ୱର୍ଗପୁରୀର ଗୌରବ ପୁଣି ଫେରିଆସିବ ।”

 

ଚାହୁଁ ଚାହୁଁ ‘ଶକ୍ତି’ ଦେବୀ ଆକାଶ ଦେହରେ ମିଳାଇଗଲେ । ଆନନ୍ଦୋତ୍‌ଫୁଲ୍ଲ ଚିତ୍ତରେ ଇନ୍ଦ୍ରଦେବ ଦେବସଭାକୁ ପ୍ରତ୍ୟାବୃତ୍ତ ହୋଇ ସମସ୍ତ ବୃତ୍ତାନ୍ତ ଦେବତାମାନଙ୍କୁ ବୁଝାଇ କହିଲେ । ଏବେ ଦେବତାମାନେ ନିଜ ନିଜର ଭ୍ରମ ବୁଝିପାରି ମନରୁ ଗର୍ବଭାବ ଦୂର କଲେ ।

Image

 

ଯଜ୍ଞସଭାରେ ଜ୍ଞାନପରୀକ୍ଷା

 

–୧–

 

ରାଜା ଆଉ ରାଜର୍ଷି...

 

ପୂର୍ବେ ରାଜାମାନେ ସାଧାରଣତଃ ମନ୍ତ୍ରିମଣ୍ଡଳ ସାହାଯ୍ୟରେ ରାଜ୍ୟ ପାଳନ କରି ସର୍ବଦା ଭୋଗବିଳାସରେ ମତ୍ତ ରହୁଥିଲେ । ମୃଗୟାଦ୍ୱାରା ଚିତ୍ତବିନୋଦନ ଓ ରାଜ୍ୟରକ୍ଷାପାଇଁ ଶତ୍ରୁ ସହ ସଂଗ୍ରାମ–ଏ ଦୁଇଟିକୁ ମଧ୍ୟ ଅନେକେ ବିଳାସ ମଧ୍ୟରେ ପରିଗଣିତ କରୁଥିଲେ । ଏହି ସମସ୍ତ ଗତାନୁଗତିକତା ମଧ୍ୟଦେଇ ତତ୍‌କାଳୀନ ରାଜଗୋଷ୍ଠୀର ଜୀବନ ଅତିବାହିତ ହେଉଥିଲା ।

 

ତେବେ କେତେକ ରାଜାଙ୍କଠାରେ ଏକ ବିଶିଷ୍ଟ ଗୁଣ ପରିଲକ୍ଷିତ ହେଉଥିଲା । ତାହା ହେଉଛି, ସେମାନଙ୍କର ଧର୍ମମୟ ଜୀବନ । ପ୍ରକୃତିରଞ୍ଜନକୁ ପରମ ବ୍ରତରୂପେ ଗ୍ରହଣ କରିଥିଲେହେଁ ସେମାନେ ଭୋଗବିଳାସାଦି ରାଜସିକ ବ୍ୟାପାରରୁ ନିଜକୁ ମୁକ୍ତ ରଖୁଥିଲେ ଏବଂ ଯାବତୀୟ ବିକାରର ବେଷ୍ଟନୀ ମଧ୍ୟରେ ରହିଥିଲେ ହେଁ ନିର୍ଲିପ୍ତ ଓ ନିର୍ବିକାର ରହୁଥିଲେ । ସେମାନଙ୍କ ହୃଦୟକୁ ସାଂସାରିକ ମାୟା, ମୋହ, ପ୍ରଲୋଭନ ପ୍ରଭୃତି ଆଦୌ ସ୍ପର୍ଶ କରିପାରୁ ନ ଥିଲା । ‘ରାଜା’ ହୋଇ ମଧ୍ୟ ସେମାନେ ‘ଋଷି’ ପରି ଯାଗଯଜ୍ଞାଦି ପବିତ୍ର କାର୍ଯ୍ୟଦ୍ୱାରା ଜୀବନ ଯାପନ କରୁଥିଲେ । ଏଥିପାଇଁ ସେମାନଙ୍କୁ କୁହାଯାଉଥିଲା ‘ରାଜର୍ଷି’ ।’

 

ଏହି କାରଣରୁ ବିଦେହ ରାଜ୍ୟର ରାଜା ଜନକଙ୍କୁ ସେକାଳର ଲୋକେ ରାଜର୍ଷି ଆଖ୍ୟା ଦେଇଥିଲେ । ରାଜର୍ଷି ଜନକଙ୍କ ରାଜସଭାରେ ବଡ଼ ବଡ଼ ପଣ୍ତିତ, ଜ୍ଞାନୀ, ଯୋଗୀ, ଋଷି ସ୍ଥାନ ପାଇଥିଲେ । ନିଜେ ଅଗାଧ ଜ୍ଞାନର ଅଧିକାରୀ ହେଲେ ହେଁ ଜନକ ପ୍ରତ୍ୟହ ଜ୍ଞାନଚର୍ଚ୍ଚା କରୁଥିଲେ । କହିବା ବାହୁଲ୍ୟ ଯେ, ସେହି ଚର୍ଚ୍ଚାରେ ଯେଉଁମାନେ ଯୋଗ ଦେଉଥିଲେ, ସେମାନେ ତହିଁରୁ ବହୁ ମୂଲ୍ୟବାନ୍ ଜ୍ଞାନ ଆହରଣ କରିପାରୁଥିଲେ ।

 

ଥରେ ଜନକ ଏକ ବିରାଟ ଯଜ୍ଞ ଆରମ୍ଭ କଲେ । ଯଜ୍ଞର ବିରାଟତା ଅନୁରୂପ ଅଜସ୍ର ଦକ୍ଷିଣାର ମଧ୍ୟ ବ୍ୟବସ୍ଥା ହେଲା । ଏଥିପାଇଁ ତା’ର ନାମ ଦିଆଗଲା ‘ବହୁ–ଦକ୍ଷିଣା ଯଜ୍ଞ’ । ବିଦେହ, କୁରୁ, ପଞ୍ଚାଳ ପ୍ରଭୃତି ଦେଶର ସହସ୍ର ସହସ୍ର ପଣ୍ତିତ ଓ ମୁନିଋଷି ଆମନ୍ତ୍ରଣ ପାଇ ସେହି ଯଜ୍ଞସଭାରେ ଯୋଗ ଦେଇଥାନ୍ତି ।

 

ମହାସମାରୋହରେ ଯଜ୍ଞକାର୍ଯ୍ୟର ଉଦ୍‌ଯାପନ ହେବାକୁ ବସିଲା । ଏହି ସମୟରେ ରାଜର୍ଷି ଜନକ ସମବେତ ଋଷି ଓ ପଣ୍ତିତ ମଣ୍ତଳୀକୁ ସମ୍ବୋଧନ କରି କହିଲେ :

 

“ଯଜ୍ଞ ଶେଷପ୍ରାୟ ! ବର୍ତ୍ତମାନ ଦକ୍ଷିଣାଦାନର ସମୟ ଉପସ୍ଥିତ । ଏକ ସହସ୍ର ଦୁଗ୍‌ଧବତୀ ଧେନୁ ହିଁ ଏହି ଯଜ୍ଞର ଦକ୍ଷିଣା ରୂପେ ସ୍ଥିର ହୋଇଛି । ଆପଣମାନଙ୍କ ମଧ୍ୟରେ ଯେ ସର୍ବାପେକ୍ଷା ଶ୍ରେଷ୍ଠ ଜ୍ଞାନୀ ବୋଲି ବିବେଚିତ ହେବେ, ଉକ୍ତ ଦକ୍ଷିଣା କେବଳ ତାଙ୍କରି ପ୍ରାପ୍ୟ ।”

 

ଏହା ଘୋଷଣା କରିସାରି ରାଜର୍ଷି ଜନକ ଯଜ୍ଞସଭାର ଏକ ପାର୍ଶ୍ୱକୁ ଅଙ୍ଗୁଳି ନିର୍ଦ୍ଦେଶ କଲେ । ଉପସ୍ଥିତ ସର୍ବଜନର ଦୃଷ୍ଟି ସଙ୍ଗେ ସଙ୍ଗେ ସେହି ଦିଗକୁ ସଞ୍ଚାଳିତ ହେଲା । ସମସ୍ତେ ଦେଖିଲେ–ସୁସ୍ଥ ସବଳ ଏକ ହଜାର ସବତ୍ସା ଧେନୁ ସେଠାରେ ଶ୍ରେଣୀବଦ୍ଧ ଭାବରେ ରଖାହୋଇଛନ୍ତି । ପ୍ରତ୍ୟେକ ଧେନୁର ଶୃଙ୍ଗ ଓ ଖୁରା ବିଶୁଦ୍ଧ ସ୍ୱର୍ଣ୍ଣରେ ଛାଉଣୀ ହୋଇ ଅତି ରମଣୀୟ ଦେଖାଯାଉଛି ।

 

ସେ ସମୟରେ ଗୋଧନ ହିଁ ଶ୍ରେଷ୍ଠ ଧନ ରୂପେ ବିବେଚିତ ହେଉଥିଲା । ତେଣୁ ଏତେ ଧେନୁ, ଏତେ ସ୍ୱର୍ଣ୍ଣ ଦେଖି ଯେ କେହି ବ୍ୟକ୍ତି ସେଗୁଡ଼ିକୁ ଲାଭ କରିବା ପାଇଁ ଲାଳାୟତ ହେବା ସ୍ୱାଭାବିକ । ଏଠାରେ କିନ୍ତୁ ତାହାର ବ୍ୟତିକ୍ରମ ଦେଖାଗଲା । ଜନକଙ୍କ ପରି ପରମଜ୍ଞାନୀ ରାଜର୍ଷିଙ୍କ ନିକଟରେ ନିଜକୁ ସର୍ବଶ୍ରେଷ୍ଠ ଜ୍ଞାନୀ ବୋଲି ପ୍ରମାଣିତ କରିବା ସହଜ ବ୍ୟାପାର ନୁହେଁ । ଏଥିପାଇଁ ପ୍ରତ୍ୟେକେ ପ୍ରତ୍ୟେକର ମୁଖକୁ କେବଳ ଅନାଇ ରହିଲେ, କେହି ହେଲେ ନିଜକୁ ଉକ୍ତ ଦକ୍ଷିଣାର ଯୋଗ୍ୟ ବୋଲି କହିବାକୁ ସାହସୀ ହୋଇପାରିଲେ ନାହିଁ । ସମଗ୍ର ସଭା କିଛିକାଳ ପାଇଁ ନୀରବ ଓ ନିସ୍ତବ୍‌ଧ ହୋଇରହିଲା ।

 

ଏହା ଦେଖି ରାଜର୍ଷି ଜନକ ସେହି ବିରାଟ ଜନତାକୁ ପୁଣି ଥରେ ନିବେଦନ କଲେ :

 

“ଆଉ ବିଳମ୍ବ ଘଟାଇବା ଉଚିତ ନୁହେଁ । ଆପଣମାନଙ୍କ ମଧ୍ୟରୁ ପ୍ରକୃତ ଶ୍ରେଷ୍ଠ ଜ୍ଞାନୀ ଶୀଘ୍ର ଅଗ୍ରସର ହୁଅନ୍ତୁ ।”

 

ଏଥର ଜ୍ଞାନୀପ୍ରବର ଯାଜ୍ଞବଳ୍‌କ୍ୟ ଯଜ୍ଞସଭାର ଏକ ପ୍ରାନ୍ତରୁ ଧୀରେ ଦଣ୍ଡାୟମାନ ହେଲେ । ଆଜାନୁଲମ୍ବିତ ଭୁଜ, ଦୀପ୍ତ ପ୍ରଶାନ୍ତ ଚକ୍ଷୁ, ସୌମ୍ୟ, ଶ୍ମଶ୍ରୁଳ ମୁଖ, ଉନ୍ନତ ଉଜ୍ଜ୍ୱଳ ଲଲାଟ, ଜଟାଶୋଭିତ ମସ୍ତକ, ଦୀର୍ଘବପୁ ବ୍ରାହ୍ମଣ–ଋଷି । ସହସା ସମସ୍ତଙ୍କ ଦୃଷ୍ଟି ତାଙ୍କରି ଉପରେ ନିବଦ୍ଧ ହେଲା । ନୀରବତା ଭଙ୍ଗ କରି ଯାଜ୍ଞବଳ୍‌କ୍ୟ ତାଙ୍କର ପ୍ରିୟ ଶିଷ୍ୟ ସାମଶ୍ରବଙ୍କୁ ଆଦେଶ ଦେଲେ :

 

“ସାମଶ୍ରବ । ଏହି ସମସ୍ତ ଧେନୁ ମୋର ପ୍ରାପ୍ୟ । ତୁମେ ଏମାନଙ୍କୁ ବନ୍ଧନମୁକ୍ତ କରି ସତ୍ୱର ଆଶ୍ରମକୁ ଘେନିଯାଅ ।”

 

କ୍ଷଣକମଧ୍ୟରେ ସଭାମଣ୍ଡପରେ ଘୋର ଚାଞ୍ଚଲ୍ୟ ଉପସ୍ଥିତ ହେଲା । ଯାଜ୍ଞବଳ୍‌କ୍ୟ ସମସ୍ତଙ୍କର କ୍ରୋଧ ଓ ଈର୍ଷାର ଶରବ୍ୟ ହେଲେ । କି ଆସ୍ପର୍ଦ୍ଧା ଏ ବ୍ରାହ୍ମଣର ! ଏତେ ଋଷି, ଏତେ ବ୍ରାହ୍ମଣ ଥାଉ ଥାଉ ଏ ପୁଣି ଜନକ ରାଜର୍ଷିଙ୍କ ଅପରିମତି ଦକ୍ଷିଣାକୁ ବଳାତ୍କାରରେ ଅପହରଣ କରିନେବ ! ନିଜକୁ ନିଜେ ଶ୍ରେଷ୍ଠ ଜ୍ଞାନୀ ବୋଲି ପରିଚୟ ଦେବାରେ କି ଦୁଃସାହସ !

 

ବାତ୍ୟାନ୍ଦୋଳିତ ମହାସମୁଦ୍ରର ବିକ୍ଷୁବ୍‌ଧ ବକ୍ଷ ପରି ସେହି ବିଶାଳ ସଭାମଧ୍ୟରେ କୋଳାହଳର ଉତ୍ତାଳ ତରଙ୍ଗ ଛୁଟିଗଲା ।

 

ଜନତାର ଉତ୍ତେଜିତ କଣ୍ଠ ଚିତ୍କାର କରିଉଠିଲେ :

“ଯାଜ୍ଞବଳ୍‌କ୍ୟ ! ତୁମେ କି ନିଜକୁ ଏ ସଭାରେ ସର୍ବଶ୍ରେଷ୍ଠ ଜ୍ଞାନୀ ବୋଲି ଗର୍ବ କର ?”

ଯାଜ୍ଞବଳ୍‌କ୍ୟ ଅତି ବିନୟ ନମ୍ର ସ୍ୱରରେ କହିଲେ :

“ଜ୍ଞାନୀଶ୍ରେଷ୍ଠଙ୍କ ଚରଣତଳେ ମୋର ମସ୍ତକ ଚିରଦିନ ଅବନତ ।”

ଏହା ଶୁଣି ଉପସ୍ଥିତ ଋଷିବୃନ୍ଦ କହିଲେ :

 

“ହେ ଦାମ୍ଭିକ ଯାଜ୍ଞବଳ୍‌କ୍ୟ ! ତୁମକୁ ଏଠାରେ ନିଜ ଜ୍ଞାନର ପରିଚୟ ଦେବାକୁ ହେବ । ଯଦି ଆମମାନଙ୍କ ପ୍ରଶ୍ନର ଉଚିତ ଉତ୍ତର ଦେଇପାରିବ, ତାହାହେଲେ ଯାଇ ତୁମକୁ ଆମେ ପ୍ରକୃତ ଜ୍ଞାନୀ ବୋଲି ସ୍ୱୀକାର କରିବୁଁ । ଜ୍ଞାନ-ଆଲୋଚନାରେ ସମସ୍ତଙ୍କୁ ପରାସ୍ତ ନ କରିବା ପର୍ଯ୍ୟନ୍ତ ତୁମେ କଦାପି ଏ ଅପରିମିତ ଦକ୍ଷିଣାର ଅଧିକାରୀ ହୋଇପାରିବ ନାହିଁ ।”

 

ଯାଜ୍ଞବଳ୍‌କ୍ୟ ପୂର୍ବପରି ଶାନ୍ତ ସ୍ୱରରେ ଉତ୍ତର ଦେଲେ :

 

“ପ୍ରକୃତ ବ୍ରହ୍ମଜ୍ଞାନୀଙ୍କ ଚରଣରେଣୁ ମୋର ସର୍ବଦା କାମ୍ୟ । ମୋର ଆଶ୍ରମପାଇଁ ଗୁଡ଼ିଏ ଧେନୁ ଆବଶ୍ୟକ । ସେଥିଯୋଗୁ ଏହି ଦକ୍ଷିଣା ଗ୍ରହଣରେ ମୁଁ ସ୍ୱତଃ ଆଗ୍ରହୀ ହୋଇଛି । ତେବେ ଆପଣମାନେ ଇଚ୍ଛାନୁସାରେ ପ୍ରଶ୍ନ ପଚାରନ୍ତୁ । ମୁଁ ଯଥୋଚିତ ଉତ୍ତର ଦେଇ ଆପଣମାନଙ୍କୁ ସନ୍ତୁଷ୍ଟ କରିବାକୁ ପ୍ରସ୍ତୁତ ଅଛି ।”

 

–୨–

 

ଆରମ୍ଭ ହେଲା ପ୍ରଶ୍ନୋତ୍ତର...

ଋତୁଭାଗ ଋଷିଙ୍କ ପୁତ୍ର ଆର୍ତ୍ତଭାଗ ପ୍ରଥମ ପ୍ରଶ୍ନକର୍ତ୍ତାରୂପେ ଦଣ୍ଡାୟମାନ ହେଲେ :

“ଯାଜ୍ଞବଳ୍‌କ୍ୟ ! କହିପାରିବ, ମୃତ୍ୟୁର ମୃତ୍ୟୁ ଅଛି କି ନାହିଁ ?”

ପ୍ରାଜ୍ଞ ଯାଜ୍ଞବଳ୍‌କ୍ୟ ଅତି ସରଳଭାଷାରେ ବୁଝାଇଦେଲେ :

 

“ଯେଉଁ ମନୁଷ୍ୟ ସାଂସାରିକ ବିଷୟ-ବିଷରେ ଲିପ୍ତ ହୁଏ, ମୃତ୍ୟୁ ପରେ ସେ ପୁଣି ପୃଥିବୀରେ ଜନ୍ମଗ୍ରହଣ କରେ, ତେଣୁ ଏଭଳି ବ୍ୟକ୍ତିର ମୃତ୍ୟୁର ମୃତ୍ୟୁ ନାହିଁ । ମାତ୍ର ଯେଉଁ ବ୍ୟକ୍ତି ସଂସାରରେ ନିର୍ଲିପ୍ତ ରହି ସୃଷ୍ଟିର ପ୍ରତ୍ୟେକ ବସ୍ତୁରେ ବ୍ରହ୍ମସତ୍ତା ଉପଲବ୍‌ଧି କରେ, ମୃତ୍ୟୁ ପରେ ତା’ର ମୁକ୍ତି ହୁଏ, ତେଣୁ ଏଭଳି ବ୍ୟକ୍ତିର ମୃତ୍ୟୁର ମୃତ୍ୟୁ ଘଟେ, ଅର୍ଥାତ୍‍ ମୃତ୍ୟୁ ପରେ ତାକୁ ଆଉ ପୁନର୍ଜନ୍ମ ଗ୍ରହଣ କରିବାକୁ ପଡ଼େ ନାହିଁ ।”

 

ଆର୍ତ୍ତଭାଗ ଉତ୍ତରରେ ସନ୍ତୁଷ୍ଟ ହୋଇ ନୀରବ ରହିଲେ । ଅଧିକ ପ୍ରଶ୍ନ ପଚାରିବାକୁ ତାଙ୍କର ଆଉ ସାହସ ହେଲା ନାହିଁ ।

 

ଅଶ୍ୱଳ ହେଉଛନ୍ତି ଜନକଙ୍କର ଯଜ୍ଞପୁରୋହିତ । ଏପରି ସମ୍ମାନଜନକ କାର୍ଯ୍ୟରେ ନିଯୁକ୍ତ ହୋଇଛନ୍ତି ବୋଲି ସେ ଗର୍ବ ଓ ଅହଂକାରରେ ଧରାକୁ ସରା ଜ୍ଞାନ କରୁଥିଲେ । ତାଙ୍କ ବିଚାରରେ ସେହି ହେଉଛନ୍ତି ସମସ୍ତଙ୍କଠାରୁ ବଡ଼ ଜ୍ଞାନୀ, ତେଣୁ ସେହି ସହସ୍ର ଧେନୁ ଶେଷରେ ତାଙ୍କରି ଗୋଶାଳା ମଣ୍ଡନ କରିବେ ବୋଲି ସେ ମନେ ମନେ ଧରିନେଇଥିଲେ । ଏବେ ଯାଜ୍ଞବଳ୍‌କ୍ୟ ତହିଁରେ ପ୍ରତିବନ୍ଧକ ହେବାରୁ ହିସାଂରେ ତାଙ୍କର ଧୈର୍ଯ୍ୟଚ୍ୟୁତି ହେଲା । ସେ ପୂର୍ବ ପ୍ରଶ୍ନର ସୂତ୍ର ଧରି କ୍ରୋଧଜର୍ଜର ଚିତ୍ତରେ ପଚାରିଲେ :

 

“କହିପାରିବ ଯାଜ୍ଞବଳ୍‌କ୍ୟ ! କେଉଁ ଯଜ୍ଞକର୍ତ୍ତାମାନେ ମୃତ୍ୟୁକବଳରୁ ଚିରଦିନ ପାଇଁ ମୁକ୍ତିଲାଭ କରନ୍ତି ?”

 

ଯାଜ୍ଞବଳ୍‌କ୍ୟ ସଙ୍ଗେ ସଙ୍ଗେ କହିଲେ :

 

“ଏହାର ଉତ୍ତର ଅତି ସହଜ । ଆପଣମାନେ ଜାଣନ୍ତି ଯଜ୍ଞ, ଦ୍ୱିବିଧ-ସକାମ ଯଜ୍ଞ ଓ ନିଷ୍କାମ ଯଜ୍ଞ । ଯେଉଁମାନେ ଧନ ବା ସ୍ୱର୍ଗାଦି କାମନା କରି ଯଜ୍ଞ ସାଧନ କରନ୍ତି, ସେମାନଙ୍କ ପକ୍ଷରେ ମୁକ୍ତିଲାଭ ଅସମ୍ଭବ । ମୃତ୍ୟୁର ଅଧୀନ ହୋଇ ପୁନଶ୍ଚ ସେମାନଙ୍କୁ ଜନ୍ମ ପରିଗ୍ରହ କରିବାକୁ ପଡ଼େ । ମାତ୍ର ଯେଉଁମାନେ ମନରେ କୌଣସି କାମନା ନ ରଖି କେବଳ ପରଂବ୍ରହ୍ମ ଭଗବାନଙ୍କ ଉଦ୍ଦେଶ୍ୟରେ ଯଜ୍ଞାନୁଷ୍ଠାନ କରନ୍ତି, ସେମାନେ ମୃତ୍ୟୁକୁ ଅକ୍ଳେଶରେ ଜୟ କରିପାରନ୍ତି । ଏଣୁ ନିଷ୍କାମ ଯଜ୍ଞକାରୀମାନେ ହିଁ ପୁନର୍ଜନ୍ମଦୁଃଖରୁ ଅବ୍ୟାହତି ପାଇ ମୃତ୍ୟୁବନ୍ଧନରୁ ମୁକ୍ତ ହୁଅନ୍ତି ।”

 

ଏହି ସମସ୍ତ ଜଟିଳ ଆଧ୍ୟାତ୍ମିକ ତତ୍ତ୍ୱର ଏପରି ପ୍ରାଞ୍ଜଳ ବ୍ୟାଖ୍ୟା ଶୁଣି ସମସ୍ତେ ତଟସ୍ଥ ହୋଇଗଲେ । ଅଶ୍ୱଳ ଆଉ ପ୍ରଶ୍ନ ପଚାରିବାକୁ ସାହସୀ ନ ହୋଇ ପରାଜୟର ଅପମାନରେ ଚୁପ୍ ହୋଇ ବସିଲେ । ଜନକ ରାଜର୍ଷି ଯାଜ୍ଞବଳ୍‌କ୍ୟଙ୍କର ଗଭୀର ବ୍ରହ୍ମଜ୍ଞାନ ଓ ଅଗାଧ ପାଣ୍ଡିତ୍ୟର ପରିଚୟ ପାଇ ଅତ୍ୟନ୍ତ ମୁଗ୍‌ଧ ହୋଇଗଲେ । ସେ ସର୍ବଦା ଜ୍ଞାନାଲୋଚନା ପ୍ରିୟ, ତେଣୁ ସେ ଏହି ସକଳ ତଥ୍ୟର ବିଶଦ ଚର୍ଚ୍ଚାଯୋଗୁ ଯଜ୍ଞର ଉଦ୍ଦେଶ୍ୟ ସାର୍ଥକ ହୋଇଛି ବୋଲି ମନେ ମନେ ଭାବିଲେ ।

 

ଏଣେ ଯାଜ୍ଞବଳ୍‌କ୍ୟ ପରାସ୍ତ ନ ହେବାରୁ ଋଷି ଓ ବ୍ରାହ୍ମଣମାନେ ଆହୁରି ଉତ୍ତେଜିତ ହୋଇଗଲେ । ଏହି ସମୟରେ ଭୁଜ୍ୟୁ ଋଷି ଏକ କଠିନ ପ୍ରଶ୍ନର ଅବତାରଣା କଲେ । ସେ ଗନ୍ଧର୍ବଲୋକକୁ ଯାଇ ସେଠାରୁ କେତକ ଜ୍ଞାନ ଆହରଣ କରିଥିଲେ । ଉକ୍ତ ଜ୍ଞାନ ଯେ ସଭାସ୍ଥ ସମସ୍ତ ବ୍ୟକ୍ତିଙ୍କର ଅଜ୍ଞାତ, ଏଥିରେ ସନ୍ଦେହ କଣ ? ତେଣୁ ଯାଜ୍ଞବଳ୍‌କ୍ୟ ଏଥର ଉତ୍ତର ଦେବାକୁ ନିଶ୍ଚୟ ଅସମର୍ଥ ହେବେ, ଏହା ଭାବି ସେ ମନେ ମନେ ଶ୍ରେଷ୍ଠ ଜ୍ଞାନୀର ଗୌରବ ଅନୁଭବ କରିବାକୁ ଲାଗିଲେ ।

 

ଅଳ୍ପ ସମୟ ମଧ୍ୟରେ ଭୁଜ୍ୟୁଙ୍କର ଏହି କୂପମଣ୍ଡୁକତ୍ୱ ପ୍ରମାଣ କରି ତାଙ୍କ ପ୍ରଶ୍ନନିହିତ ସାରମର୍ମକୁ ଯାଜ୍ଞବଳ୍‌କ୍ୟ ଅତି ବିସ୍ତାରିତ ଭାବରେ ବୁଝାଇଦେଲେ । ଭୁଜ୍ୟୁଙ୍କର ଔଦ୍ଧତ୍ୟ ବିଲୟପ୍ରାପ୍ତ ହେଲା । ସେ ଅବନତ ମୁଖରେ ଆସନ ଗ୍ରହଣ କଲେ ।

 

ଏହାପରେ ଉଷନ୍ତ ଓ କହୋଳ ଋଷି ପଛକୁ ପଛ ଉଠି ଯଥାକ୍ରମେ ଆତ୍ମାର ସ୍ୱରୂପ ଓ ଶୋକମୋହାଦିରୁ ଉଦ୍ଧାରର ଉପାୟ ସମ୍ବନ୍ଧରେ କେତେକ ପ୍ରଶ୍ନ ପଚାରିଲେ । ଯାଜ୍ଞବଳ୍‌କ୍ୟ ସେଗୁଡ଼ିକର ଯଥାଯଥ ଉତ୍ତର ଦେଇ ସମସ୍ତଙ୍କୁ ଶାନ୍ତ କରିଦେଲେ ।

 

ଏଥର ଉଠିଲେ ଉଦ୍ଦାଳକ ଋଷି । ସେ ଏକ ଗୁରୁତର ପ୍ରଶ୍ନ ଜିଜ୍ଞାସା କରିବାକୁ ଯିବା ପୂର୍ବରୁ ଯାଜ୍ଞବଳ୍‌କ୍ୟଙ୍କୁ ଭୟତ୍ରସ୍ତ କରିବାର ଉଦ୍ୟମ କଲେ :

 

“ମନେରଖ ଯାଜ୍ଞବଳ୍‌କ୍ୟ ! ମୁଁ ଯେଉଁ ପ୍ରଶ୍ନ ପଚାରିବି, ତୁମେ ଯଦି ତା’ର ଉତ୍ତର ଦେଇ ନ ପାରିବ, ତାହାହେଲେ ରାଜର୍ଷି ଜନକଙ୍କର ଗୋଧନ ଅପହରଣ ଅପରାଧ ଯୋଗୁ ନିଶ୍ଚୟ ତୁମର ମସ୍ତକ ଦେହଚ୍ୟୁତ ହେବ । ଏବେ ଉତ୍ତମ ରୂପେ ବିଚାର କରି କହ, ମୋର ପ୍ରଶ୍ନ ପାଇଁ ତୁମେ ପ୍ରସ୍ତୁତ କି ନା ।”

 

ଯାଜ୍ଞବଳ୍‌କ୍ୟ କହିଲେ :

 

“ମୁଁ ତ ସର୍ବପ୍ରଥମରୁ କହିଛି, ମୋପରି ଅକିଞ୍ଚନର ସ୍ଥାନ ସର୍ବଦା ବ୍ରହ୍ମିଷ୍ଠଙ୍କ ପବିତ୍ର ଚରଣତଳେ । ତେଣୁ ଶିରଃପାତ ପାଇଁ ମୋର ଭୟ ନାହଁ । ଆପଣ ପ୍ରଶ୍ନ ପଚାରନ୍ତୁ ।”

 

“ଉଦ୍ଦାଳକ ଭାବିଲେ, ଏଥର ଯାଜ୍ଞବଳ୍‌କ୍ୟଙ୍କର ପରାଜୟ ଓ ଶିରଃପାତ ସୁନିଶ୍ଚିତ । ତହୁଁ ସେ ଦୃଢ଼କଣ୍ଠରେ ପ୍ରଶ୍ନଟି ପ୍ରକାଶ କଲେ; ମାତ୍ର ଯାଜ୍ଞବଳ୍‌କ୍ୟଙ୍କର ମୁଣ୍ଡପାତ ହେଲା ନାହିଁ । ଉଦ୍ଦାଳକ ଯେଉଁ ବିଷୟ ପଚାରିଲେ, ତାହା ଯାଜ୍ଞବଳ୍‌କ୍ୟଙ୍କର ଜ୍ଞାନର ଅଗୋଚର ନ ଥିଲା, ତେଣୁ ସେ ଅତି ଅନାୟାସରେ ସମସ୍ତ ବିଷୟ ବୁଝାଇଦେଲେ ।

 

–୩–

 

ବିଷମ ପରିସ୍ଥିତି...

 

ଜଣକ ପରେ ଜଣେ ଏହିରୂପେ ପରାଜିତ ହେବା ଫଳରେ ସଭାରେ ଗୋଟାଏ ହତାଶାର ଛାୟା ଖେଳିଗଲା । ତାହାହେଲେ ଜଣେ ଯାଜ୍ଞବଳ୍‌କ୍ୟ ସତକୁ ସତ ସହସ୍ର ଗୋଧନ ଘେନିଯିବେ ? ଏହି ଚିନ୍ତାରେ ସମସ୍ତଙ୍କ ମୁଖରେ ଅପ୍ରସନ୍ନତାର ଗୋଟାଏ କୃଷ୍ଣଛାୟା ଘୋଟିଗଲା ।

 

ହଠାତ୍ ଏତିକିବେଳେ ଦଣ୍ଡାୟମାନ ହେଲେ ନାରୀଋଷି ଗାର୍ଗୀ । ସେ ସମୟରେ ନାରୀମାନେ ପୁରୁଷଙ୍କ ପରି ବେଦବିଦ୍ୟାଦି ସକଳ ବିଷୟରେ ପାରଦର୍ଶୀ ଥିଲେ । ଅନେକ ବିଦୂଷୀ ନାରୀ ମନ୍ତ୍ରାନୀ ମଧ୍ୟ ରଚନା କରିଥିଲେ । ଗାର୍ଗୀ ଏହିପରି ଜଣେ ଜ୍ଞାନବତୀ ନାରୀଋଷି ତାଙ୍କୁ ସଭା ମଧ୍ୟରେ ଠିଆ ହେବାର ଦେଖି ସମସ୍ତଙ୍କ ହୃଦୟରେ ପୁଣି ଆଶାର ସଞ୍ଚାର ହେଲା । ସେମାନେ ଭାବିଲେ, ଗାର୍ଗୀ ନିଶ୍ଚୟ ଯାଜ୍ଞବଳ୍‌କ୍ୟଙ୍କୁ ପରାଜିତ କରିଦେବେ ।

 

ପ୍ରକୃତରେ ଗାର୍ଗୀଉପର୍ଯ୍ୟୁପରି ବହୁ ପ୍ରଶ୍ନ ଜିଜ୍ଞାସା କରିବାକୁ ଲାଗିଲେ । ଯାଜ୍ଞବଳ୍‌କ୍ୟ ତାଙ୍କ ପ୍ରତି ବାତ୍ସଲ୍ୟ ପ୍ରକାଶ କରି ଗୋଟି ଗୋଟି କରି ସମସ୍ତ ପ୍ରଶ୍ନର ଉତ୍ତର ଦେଲେ । ଶେଷରେ ଗାର୍ଗୀ ଗୋଟିଏ ଅତି ଭୀଷଣ ପ୍ରଶ୍ନ ପଚାରିବାକୁ ଆସିଲେ । ତାହା ଦେଖି ଯାଜ୍ଞବଳ୍‌କ୍ୟ ତାଙ୍କୁ ସାବଧାନ କରିଦେବାକୁ ଯାଇ କହିଲେ :

 

“ଦେଖ ମା ଗାର୍ଗୀ, ତୁମେ ବେଦ ବିଧାନ ଉପରେ ପଦାଘାତ କରିବାକୁ ଯାଉଛ । ଏହା ମହାପାପ । ଯଦି ନିଜର ମଙ୍ଗଳ ଇଚ୍ଛା କର, ତାହାହେଲେ ଆଉ ଅଧିକ ଅଗ୍ରସର ହୁଅ ନାହିଁ । ଅବଶ୍ୟ ମୁଁ ଉତ୍ତର ଦେବାକୁ ପ୍ରସ୍ତୁତ ଅଛି–ଭାବ ନାହିଁ ଯେ, ମୁଁ ଅସମର୍ଥ ବୋଲି ଏଭଳି ଛଳନାରେ ଆଶ୍ରୟ ନେଉଛି । ଯାହା ହେଉ, ତୁମେ ଯେବେ ମୋ ଉପଦେଶ ନ ମାନି ପୁଣି ବେଦବିଧି ଲଙ୍ଘନ କର, ତେବେ ତୁମର ଶିର ନିଶ୍ଚୟ ଦେହରୁ ଖସିପଡ଼ିବ ।”

 

ଗାର୍ଗୀଙ୍କର ଜ୍ଞନୋଦୟ ହେଲା । ସେ ନିଜର ଭ୍ରମ ବୁଝିପାରି ନୀରବ ହୋଇଗଲେ ଏବଂ ଯାଜ୍ଞବଳ୍‌କ୍ୟଙ୍କୁ ଭକ୍ତିଭରେ ପ୍ରମାଣ କରି ଆସନରେ ଯାଇ ବସିଲେ ।

 

ନିର୍ବାଣୋନ୍ମୁଖ ପ୍ରଦୀପର ଶେଷ ଶିଖା ପରି ସର୍ବଶେଷରେ ଆସ୍ଫାଳନ କରି ଉଠିଲେ ‘ଶକଳ’ ଋଷିଙ୍କ ପୁତ୍ର ବ୍ରାହ୍ମଣ ବିଦଗ୍‌ଧ ।

 

ତାଙ୍କର ବାଚାଳତା ଦେଖି ଯାଜ୍ଞବଳ୍‌କ୍ୟ ମନେ ମନେ ଟିକିଏ ବ୍ୟସ୍ତ ହେଲେ । ପ୍ରକୃତ ଜ୍ଞାନରୁ ବିଦଗ୍‌ଧ ବହୁ ଦୂରରେ–କେବଳ ନିଜର ଅଳ୍ପ ଜ୍ଞାନରେ ସେ ଅନ୍ଧ । ଯାହା ହେଉ, ସେ ଯାହା ପ୍ରଶ୍ନ କଲେ, ତାହା ଏତେ ଅବାନ୍ତର ଯେ, ପ୍ରଶ୍ନ କରିବା ସଙ୍ଗେ ସଙ୍ଗେ ସେ ନିଜେ ଅପଦସ୍ଥ ହୋଇ ଚୁପ୍ ରହିଗଲେ ।

 

ଏହା ଦେଖି ଯାଜ୍ଞବଳ୍‌କ୍ୟ ତାଙ୍କୁ ଏକ ପ୍ରଶ୍ନ ପଚାରି କହିଲେ :

 

ବିଦଗ୍‌ଧ ! ତୁମେ ଯେବେ ଏହାର ଉତ୍ତର ଦେଇ ନ ପାରିବ ତାହାଲେ ଏହିକ୍ଷଣି ତୁମର ଶିରଃପାତ ଘଟିବ ।”

 

ବିଦଗ୍‌ଧ ସେହି ପ୍ରଶ୍ନର ଉତ୍ତର ଜାଣି ନ ଥିଲେ; ତେଣୁ ମୁହୂର୍ତ୍ତକ ମଧ୍ୟରେ ତାଙ୍କର ମସ୍ତକ ଛିନ୍ନ ହୋଇ ଭୂଲୁଣ୍ଠିତ ହୋଇଗଲା ।

 

ଏହି ଭୟାବହ ବ୍ୟାପାରରେ ସଭା ନିଶ୍ଚଳତା ଭଜିଲା । ତହୁଁ ଯାଜ୍ଞବଳ୍‌କ୍ୟ ଉପସ୍ଥିତ ସଭାଜନମାନଙ୍କୁ ଲକ୍ଷ୍ୟ କରି କହିଲେ :

 

“ଆଉ କାହାରି ଯଦି ପ୍ରଶ୍ନ ପଚାରିବାର ଥାଏ, ଏବେ ନିଃସଂକୋଚରେ ପଚାରନ୍ତୁ ।”

 

ବିଦଗ୍‌ଧଙ୍କ ଶୋଚନୀୟ ପରିଣତି ଦେଖି କାହାରି ମୁହଁରୁ ଆଉ ଗୋଟିଏ ସୁଦ୍ଧା ପ୍ରଶ୍ନ ବାହାରିଲା ନାହିଁ । ଯାଜ୍ଞବଳ୍‌କ୍ୟଙ୍କ ଶ୍ରେଷ୍ଠତ୍ୱ ସ୍ୱୀକାର କରିବା ଛଡ଼ା ଅନ୍ୟ ଉପାୟ ରହିଲା ନାହିଁ । ସମସ୍ତେ ସମସ୍ୱରରେ ତାଙ୍କର ଜୟଗାନ କରିବାକୁ ଲାଗିଲେ :

 

“ହେ ବ୍ରହ୍ମଜ୍ଞ ଯାଜ୍ଞବଳ୍‌କ୍ୟ । ଆପଣ ହିଁ ଏ ଯଜ୍ଞସଭାର ସର୍ବଶ୍ରେଷ୍ଠ ଜ୍ଞାନୀ । ଆମେମାନେ ସ୍ୱାର୍ଥ, ଲୋଭ, ଗର୍ବ ଓ ଅହମିକାରେ ଅନ୍ଧ ହୋଇ ଆପଣଙ୍କୁ ବହୁ ଅପମାନ ଦେଇଥିଲେ ହେଁ ଆପଣ ସ୍ୱୀୟ ଧୈର୍ଯ୍ୟ ଓ ଉଦାରତା ଗୁଣରେ ସେ ସମସ୍ତ ନୀରବରେ ସହିଯାଇଛନ୍ତି । ଏଭଳି ମହତ୍ତ୍ୱ କେବଳ ମହାଜ୍ଞାନୀର ଲକ୍ଷଣ । ଆମେମାନେ ଆପଣଙ୍କର ଅସୀମ ଜ୍ଞାନସାଗର ନିକଟରେ ଗୋଟିଏ ଗୋଟିଏ ଜଳବୁଦ୍‌ବୁଦ୍ ମାତ୍ର । ଏବେ ଦୟା କରି ନିଜର ସ୍ୱାଭାବିକ କ୍ଷମାଗୁଣରେ ଆମମାନଙ୍କର ଅପରାଧ କ୍ଷାଳନ କରନ୍ତୁ ।”

 

ଚିରଜ୍ଞାନପିପାସୁ ରାଜର୍ଷି ଜନକଙ୍କ ପ୍ରାଣ ଅପାର ଆନନ୍ଦରେ ନାଚିଉଠିଲା । ପ୍ରକୃତ ଜ୍ଞାନଗୁରୁଙ୍କର ସନ୍ଧାନ ପାଇଥିବାରୁ ସେ ସଭାକୁ ଚାହିଁ କହିଲେ :

 

“ହେ ସମାଗତ ଋଷିବ୍ରାହ୍ମଣମଣ୍ଡଳି ! ବର୍ତ୍ତମାନ ସ୍ପଷ୍ଟ ପ୍ରମାଣିତ ହେଲା–ବ୍ରାହ୍ମଣଋଷି ଯାଜ୍ଞବଳ୍‌କ୍ୟ ହିଁ ସର୍ବଶ୍ରେଷ୍ଠ ଜ୍ଞାନଗୁରୁ । ଆପଣମାନେ ତାଙ୍କୁ ନମସ୍କାର କରି ତାଙ୍କର ଗୁରୁତ୍ୱ ସ୍ୱୀକାର କରନ୍ତୁ । ଏବେ ମୋର ଉଦ୍ଦେଶ୍ୟ ସଫଳ ହୋଇଛି । ଯାଜ୍ଞବଳ୍‌କ୍ୟ ସ୍ୱର୍ଣ୍ଣଶୋଭିତ ସହସ୍ର ସବତ୍ସା ଧେନୁ ଗ୍ରହଣ କରି ମତେ ଅନୁଗୃହୀତ କରନ୍ତୁ ।”

 

ସମ୍ମତିସୂଚକ ହର୍ଷଧ୍ୱନିରେ ବିଶାଳ ସଭାମଣ୍ଡପ ପୂର୍ଣ୍ଣ ହେଲା । ସମସ୍ତେ ଯାଜ୍ଞବଳ୍‌କ୍ୟଙ୍କୁ ନତମସ୍ତକରେ ପ୍ରଣତି ଜଣାଇଲେ । ଶିଷ୍ୟ ସାମଶ୍ରବ ଧେନୁବୃନ୍ଦ ସହ ସଭାସ୍ଥଳ ତ୍ୟାଗ କରି ଆଶ୍ରମ ଅଭିମୁଖରେ ଗତି କରିବାକୁ ଲାଗିଲେ ।

Image

 

ପ୍ରାଣ ହିଁ ଶ୍ରେଷ୍ଠ

 

–୧–

 

ପ୍ରାଣ ଆଉ ଦେହ...

 

ପ୍ରାଣ ଥିବାରୁ ଜୀବନକୁ ‘ପ୍ରାଣୀ’ କୁହାଯାଏ । ଏହି ପ୍ରାଣ ଦେହ ମଧ୍ୟରେ ଥାଏ; ତେଣୁ ପ୍ରାଣୀର ଅନ୍ୟ ନାମ ‘ଦେହୀ’ ।

 

ପ୍ରାଣ ଦେହ ଭିତରେ ଥିବା ପର୍ଯ୍ୟନ୍ତ ପ୍ରାଣୀ ଜୀଇଥାଏ । ପ୍ରାଣ ଚାଲିଗଲେ ଦେହୀର ଦେହ ଜଡ଼ ଓ ଅଚଳ ହୋଇ ପଡ଼ି ରହେ । କୌଣସି କାର୍ଯ୍ୟ କରିବାକୁ ତାହାର ଆଉ ଶକ୍ତି ରହେ ନାହିଁ ।

 

ଦେହ ମଧ୍ୟରେ ଚଉଦଟି ଇନ୍ଦିୟ । ଏହି ଇନ୍ଦ୍ରିୟମାନଙ୍କ ଉପରେ ଦେହୀର ଭଲ ମନ୍ଦ ନିର୍ଭର କରେ । ପ୍ରତ୍ୟେକ ଇନ୍ଦ୍ରିୟ ଠିକ୍ ରୂପେ ତା’ର କାର୍ଯ୍ୟ କରୁଥିବା ପର୍ଯ୍ୟନ୍ତ ଦେହର କିଛି ହାନି ଘଟେ ନାହିଁ । ଯଦି ଗୋଟିଏ ଇନ୍ଦ୍ରିୟ ଶକ୍ତିହୀନ ହୋଇଯାଏ, ତାହାହେଲେ ସଙ୍ଗେ ସଙ୍ଗେ ଦେହର ଗୋଟାଏ ଅଭାବ ଘଟେ । ଫଳରେ ପ୍ରାଣୀର ସ୍ୱଚ୍ଛନ୍ଦ କ୍ରିୟାକଳାପ ସାଧନରେ ଆଂଶିକ ବ୍ୟାଘାତ ଜନ୍ମେ । ତେଣୁ ସୁଖରେ ଗତିବିହାର ଓ କାର୍ଯ୍ୟସମ୍ପାଦନ କରିବାପାଇଁ ମନୁଷ୍ୟ ପକ୍ଷରେ ସମସ୍ତ ଇନ୍ଦ୍ରିୟର ସାହାଯ୍ୟ ଏକାନ୍ତ ଆବଶ୍ୟକ ।

 

ମନ ହିଁ ଇନ୍ଦ୍ରିୟମାନଙ୍କର ନିୟାମକ । ତାହାରି ନିଦ୍ଦେର୍ଶରେ ଅନ୍ୟ ତେରଟି ଇନ୍ଦ୍ରିୟ କାର୍ଯ୍ୟ କରିଥାନ୍ତି । ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟ ନିର୍ବାହରେ ସେମାନଙ୍କ ମଧ୍ୟରୁ ବାକ୍, ଚକ୍ଷୁ ଓ କର୍ଣ୍ଣର ଗୁରୁତ୍ୱ ସର୍ବାପେକ୍ଷା ଅଧିକ । ଏହି ହେତୁ ଏ ତିନୋଟି ଇନ୍ଦ୍ରିୟ ମୁଖ୍ୟ ଓ ଅନ୍ୟ ଦଶଟି ଗୌଣ-

 

ମନୁଷ୍ୟକୁ ବେଶୀ ସହାୟତା କରୁଥିବାରୁ ଏକଦା ଏହି ବାକ୍, ଚକ୍ଷୁ ଓ କର୍ଣ୍ଣ ନିଜ ନିଜକୁ ଅତ୍ୟନ୍ତ ବଡ଼ ମନେ କଲେ । ସେମାନେ ଗର୍ବ ଓ ଅହଙ୍କାରରେ ସ୍ଫୀତ ହୋଇ ମନ ଓ ପ୍ରାଣକୁ ମଧ୍ୟ ଖାତିର କଲେ ନାହିଁ ।

 

ଫଳରେ ବାକ୍, ଚକ୍ଷୁ, କର୍ଣ୍ଣ, ମନ ଓ ପ୍ରାଣ ଏମାନଙ୍କର ମଧ୍ୟରେ ଭୀଷଣ କଳହର ସୂତ୍ରପାତ ହେଲା । ସମସ୍ତେ ଆତ୍ମବଡ଼ିମାରେ ବୁଦ୍ଧି ହୁଡ଼ି ନିଜ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବାକୁ ବାହାରିଲେ । ପ୍ରତ୍ୟେକ ଭାବିଲା, ତା ବ୍ୟତିରେକେ ଦେହ ଅଚଳ ପାଲଟିଯିବ–ଦେହୀର ଯାବତୀୟ କାର୍ଯ୍ୟ ବନ୍ଦ ହୋଇଯିବ ।

 

ବେଳୁ ବେଳ ବିବାଦ ବଢ଼ିବାକୁ ଲାଗିଲା । ଧୈର୍ଯ୍ୟର ସହିତ ବିଚାର କରିବାକୁ କେହି ହେଲେ ପ୍ରସ୍ତୁତ ହେଲେ ନାହିଁ । ଫଳରେ ସେମାନଙ୍କ ମଧ୍ୟରେ କିଏ ଶ୍ରେଷ୍ଠ, ଏହା କୌଣସିମତେ ସ୍ଥିର ହୋଇପାରିଲା ନାହିଁ । ଶେଷରେ ସେମାନେ ଏହି ବିବାଦରେ ନିଷ୍ପତ୍ତି କରିବାପାଇଁ ଜଣେ ମଧ୍ୟସ୍ଥ ନିର୍ବାଚନ କରିବାକୁ ବିଚାର କଲେ ।

 

ମଧ୍ୟସ୍ଥ ପୁଣି କିଏ ହେବ ? ଇନ୍ଦ୍ର, ବରୁଣ, କୁବେର ପ୍ରଭୃତିଙ୍କ ନାମ ପ୍ରସ୍ତାବକୁ ଆସିଲା; ମାତ୍ର ଏମାନେ ଠିକ୍ ନିରପେକ୍ଷ ଭାବରେ ମତଦେବେ ବୋଲି କାହାରି ପୂର୍ଣ୍ଣବିଶ୍ୱାସ ହେଲାନାହିଁ । ସର୍ବଶେଷରେ ସୃଷ୍ଟିକର୍ତ୍ତା ପ୍ରଜାପତିଙ୍କ ଉପରେ କଳହ-ମୀମାଂସାର ଭାର ଦେବାକୁ ଏକମତ ହୋଇ ସମସ୍ତେ ତାଙ୍କର ନିକଟକୁ ବାହାରିଲେ ।

 

ପ୍ରଜାପତି ସମସ୍ତଙ୍କୁ ସୃଷ୍ଟି କରିଛନ୍ତି । ତାଙ୍କୁ କାହାର କେଉଁ କଥା ବା ଅଗୋଚର ? ବିବାଦ ବିଷୟ ଶୁଣିଲାମାତ୍ରେ ସେ ନିଶ୍ଚୟ ଉଚିତ ବିଚାର କରିଦେବେ; ତେଣୁ ଚକ୍ଷୁ, କର୍ଣ୍ଣ ଆଦି ତାଙ୍କ ପାଖରେ ପହଞ୍ଚି ଅଭିଯୋଗ ଆଗତ କଲେ :

 

“ଭଗବାନ୍ ! ଆମମାନଙ୍କ ମଧ୍ୟରେ କିଏ ଶ୍ରେଷ୍ଠ, ତାହା ଆପଣ କହିଦିଅନ୍ତୁ । ଆପଣଙ୍କ ନିଷ୍ପକ୍ଷପାତ ନିଷ୍ପତ୍ତି ଆମ ସମସ୍ତଙ୍କର ଗ୍ରହଣୀୟ ।”

 

ପ୍ରଜାପତି ନୀରବରେ ବସି ସବୁ ଶୁଣିଲେ । ସେ ତ ସବୁରି ପିତା–ସମସ୍ତେ ତାଙ୍କରି ସନ୍ତାନ; ଏବେ କାହାକୁ ଛୋଟ କହିବେ, କାହାକୁ ବା ବଡ଼ କହିବେ ? କିଏ ପ୍ରକୃତରେ ଶ୍ରେଷ୍ଠ, ସେ ଭଲକରି ଜାଣିଥିଲେ ସୁଦ୍ଧା ନିଜ ମୁହଁରେ ତାହା ସେମାନଙ୍କ ଉପସ୍ଥିତିରେ ପ୍ରକାଶ କରିବାକୁ ଉଚିତ ମଣିଲେ ନାହିଁ । ସେମାନଙ୍କ ମଧ୍ୟରେ କିଏ ବଡ଼, ତାହା ତାଙ୍କରି ମୁହଁରୁ ବାହାର କରାଇବା ପାଇଁ ସେ ଅତି ଚତୁରତାର ସହିତ ନିଜର ମତ ବ୍ୟକ୍ତ କଲେ । ସେମାନଙ୍କୁ ଚାହିଁ ସେ କହିଲେ :

 

“ଏ ତ ଗୋଟାଏ ଅତି ସାମାନ୍ୟ କଥା । ଏହାର ସମାଧାନରେ କିଛି ମାତ୍ର ଜଟିଳତା ନାହିଁ । ତୁମେମାନେ ନିଜେ ହିଁ କହିଦେବ, ତୁମ ମଧ୍ୟରେ କିଏ ବଡ଼ ।”

 

ଅଭିଯୋଗକାରୀମାନେ ଏକସ୍ୱରରେ କହିଉଠିଲେ :

 

“କିପରି, ଭଗବାନ୍ ! ଆମେ ତ ନିଷ୍ପତ୍ତି କରିପାରିଲୁ ନାହିଁ ବୋଲି ଆପଣଙ୍କ ସାହାଯ୍ୟ ନେଲୁ । ଆମଦ୍ୱାରା ଯଦି ଏହାର ସମାଧାନ ହୋଇପାରିଥାନ୍ତା; ତାହାହେଲେ ଆପଣଙ୍କ ନିକଟକୁ ଆସିଥାନ୍ତୁ କାହିଁକି ?”

 

ପ୍ରଜାପତି କହିଲେ :

 

“ସେ ଯାହା ହେଉ, ମୋର ମତାମତ ଏବେ ଶୁଣ । ତୁମମାନଙ୍କ ମଧ୍ୟରୁ ଯାହାର ଅଭାବରେ ଦେହରେ ସର୍ବାପେକ୍ଷା ଅଧିକ ଶୋଚନୀୟ ଅବସ୍ଥା ଘଟିବ, ସେହି ହେଉଛି ସବୁଠାରୁ ଶ୍ରେଷ୍ଠ । ଏବେ ନିଜେ ନିଜେ ତୁମେ ଏହା ପରୀକ୍ଷା କରି ଦେଖ । ବଳେ ପ୍ରକୃତ କଥା ଜାଣିପାରିବ-।”

 

–୨–

 

ନିଷ୍ପତ୍ତିର ସୁନ୍ଦର ଉପାୟ...

 

ପ୍ରଜାପତିଙ୍କ ନିର୍ଦ୍ଦେଶ ଶୁଣି ବାକ୍ ଆନନ୍ଦରେ ଉତ୍‌ଫୁଲ୍ଲ ହୋଇ ଉଠିଲା । ତା’ର ସ୍ପଷ୍ଟ ଧାରଣା ହେଲା, ସେ ଦେହ ଛାଡ଼ି ଚାଲିଗଲେ ଦେହୀ ମୋଟେ କଥା କହିପାରିବ ନାହିଁ । କଥା ଯଦି ନାହିଁ, ଆଉ ସୁଖ କାହିଁ ? ଧନଦୌଲତ, ଜମିବାଡ଼ି ସବୁ ତ ମଣିଷ କମାଏ କଥା କାର ବାରଦ୍ୱାରା; ତା’ର ଅଭାବରେ ମଣିଷର ନିଶ୍ଚୟ ସବୁ ଆଶା ବ୍ୟର୍ଥ ହୋଇଯିବ । ତାହାହେଲେ ତା ନିଜ ଛଡ଼ା ଆଉ ବଡ଼ କିଏ ? ଏହି କଥା ଭାବି ବାକ୍ ସାଥୀମାନଙ୍କୁ କହିଲା :

 

“ମୁଁ ଏବେ ଚାଲିଲି-ଦେଖିବ, ମୋ ଯିବା ପରେ ପରେ ଦେହର ଅବସ୍ଥା କିପରି ସଙ୍ଗିନ୍ ହୋଇଉଠିବ ।”

 

ବାକ୍ ଦେହ ଛାଡ଼ି ଚାଲିଗଲା । ଏଣିକି ଦେହୀର କେବଳ କଥା କହିବା ବନ୍ଦ ହୋଇଗଲା ସିନା, ଅନ୍ୟ କିଛି ଅସୁବିଧା ରହିଲା ନାହିଁ । କଥାଦ୍ୱାରା ଯେଉଁ କାର୍ଯ୍ୟ ସବୁ ହେଉଥିଲା, ତାହା ସେ ଠାର ବା ଇଙ୍ଗିତଦ୍ୱାରା ଅକ୍ଳେଶରେ ଚଳାଇନେଲା ।

 

ବର୍ଷକ ପରେ ବାକ୍ ଫେରିଆସିଲା । ସେ ଦେହକୁ କହିଲା :

“ମୁଁ ନ ଥିବାରୁ ବହୁତ କଷ୍ଟ ଅସୁବିଧା ଭୋଗିଥିବ–ନା ?”

ଦେହ ଉତ୍ତର କଲା :

 

“କାହିଁ, ମୁଁ ତ ବେଶ୍ ଭଲରେ ଅଛି—ତୁମର ଅଭାବ ମୋଟେ ଜାଣିପାରି ନାହିଁ ! ଚକ୍ଷୁରେ ଦେଖୁଛି, କାନରେ ଶୁଣୁଛି, ମନ ଯୋଗୁ ଅନୁଭବ କରୁଛି, ପ୍ରାଣ ଯୋଗୁ ବଞ୍ଚିଛି–ଆଉ ମୋର କଷ୍ଚ ଅସୁବିଧା ରହିଲା କେଉଁଠି ? ସଂସାରରେ ଘୁଙ୍ଗାମାନେ ଯେପରି ଜୀବନ କଟାନ୍ତି, ତୁମେ ଚାଲିଯିବାରୁ ମୁଁ ସେହିପରି ଚଳୁଛି–ଆଗଠାରୁ ଏତିକିମାତ୍ର ତଫାତ୍ ।”

 

ବାକ୍ ଦେଖିଲା, ପ୍ରକୃତରେ ଦେହର ସେପରି କିଛି ଅସୁବିଧା ହେଉନାହିଁ । ଏଥିରେ ବାକ୍‌ର ଗର୍ବ ଭାଙ୍ଗିଗଲା । ସେ ଆଉ ବାହାରେ ନ ରହି ସଙ୍ଗେ ସଙ୍ଗେ ଯାଇ ଦେହରେ ପଶିଗଲା ।

 

ବାକ୍‌ର ପରାଜୟ ଦେଖି ଚକ୍ଷୁର ଦୃଢ଼ ଆଶା ହେଲା, ସେ ନିଶ୍ଚୟ ଜୟଲାଭ କରିବ । ଏହା ଭାବି ସେ ସଙ୍ଗୀମାନଙ୍କୁ ଡାକି କହିଲା :

 

“ଭାଇ, ଏଥର ବାହାରିଲି ! ମୁଁ ଥିଲି ବୋଲି ଦେହକୁ କିଛି ଆଞ୍ଚ ଲାଗୁ ନ ଥିଲା । ତୁମେ ତ ଅଛ, ଏଥର ଦେଖିବ, ସେ କି ଦୁଃଖ ଭୋଗ କରିବ ।

 

ଚକ୍ଷୁ ଦେହ ଛାଡ଼ି ଚାଲିଗଲା । ସଙ୍ଗେ ସଙ୍ଗେ ଦେହୀ ଅନ୍ଧ ପାଲଟିଗଲା-କୌଣସି ପଦାର୍ଥ ଦେଖିବାର ଶକ୍ତି ତା’ର ରହିଲା ନାହିଁ; କିନ୍ତୁ ଏଥିରେ ତା’ର ସେପରି କିଛି ବିଶେଷ କ୍ଷତି ହେଲା ନାହିଁ । କର୍ଣ୍ଣ, ମନ, ବାକ୍, ପ୍ରାଣ ଏମାନଙ୍କ ସାହାଯ୍ୟରେ ସେ ଚକ୍ଷୁର ଅନୁପସ୍ଥିତି ଭୁଲିଗଲା ।

 

ଏକ ବର୍ଷ ପରେ ଚକ୍ଷୁ ଫେରି ଆସିଲା । ସେ ଭାବିଥିଲା, ଏଥିମଧ୍ୟରେ ଦେହ ତାକୁ ବହୁତ ଝୁରି ହୋଇଥିବ; ତେଣୁ ସେ ସଙ୍ଗୀମାନଙ୍କୁ ଉପହାସବ୍ୟଞ୍ଜକ ସ୍ୱରରେ ପଚାରିଲା :

 

“କି ଭାଇ ! ଦେହର ଅବସ୍ଥା ଭଲ ଅଛି ତ ! କିଛି ବିପଦ-ଆପଦ ଘଟି ନାହିଁ ତ ।”

 

ଚକ୍ଷୁର ଏପରି ଉପହାସର ଉଦ୍ଦେଶ୍ୟ ଅନ୍ୟମାନେ ବେଶ୍ ବୁଝିପାରିଲେ । ସେମାନେ ମଧ୍ୟ ବିଦ୍ରୂପ କଲାପରି ଏକସଙ୍ଗେ ଉତ୍ତର ଦେଲେ :

 

“ନା ଭାଇ ! ତୁମ ଅଭାବରୁ ଦେହରେ କିଛି ହିଁ ଅନିଷ୍ଟ ହୋଇ ନାହିଁ । ଗୋଟିଏ ହେଲେ କାର୍ଯ୍ୟ ଏପର୍ଯ୍ୟନ୍ତ ଅଟକ ରହିଯାଇ ନାହିଁ । ପୂର୍ବପରି ସବୁ ସୁରୁଖୁରୁରେ ଚାଲିଛି ।”

 

ଏହି ସମୟରେ ଦେହ କହିଲା :

 

ଚକ୍ଷୁ ତୁମେ ଆସିଲାବେଳକୁ ମୁଁ ଆଉ ନ ଥିବି ବୋଲି ଭାବିଥିଲ ନା କଣ ! ଦିନକପାଇଁ ସୁଦ୍ଧା ମୁଁ ତୁମର ଅଭାବ ବୋଧ କରି ନାହିଁ । ଦୁନିଆରେ ଯେଉଁ ସହସ୍ର ସହସ୍ର ଅନ୍ଧ ଅଛନ୍ତି, ସେମାନେ ପୁଣି ତାଙ୍କର ଜୀବନ ନିର୍ବାହ କରୁଛନ୍ତି ତ ? ସେହିପରି ଏ କେତେଟା ଦିନ ଚଳିଯିବାକୁ ପଡ଼ିଲା । ଏଥିରେ ଗୋଟାଏ ଅସୁବିଧା ବା ହଇରାଣ କଣ ?”

 

ଏସବୁ କଥା ଶୁଣି ଚକ୍ଷୁ ଲଜ୍ଜାରେ ସଂକୁଚିତ ହୋଇପଡ଼ିଲା । ତା’ର ଅହଂକାର ତୁଟିଗଲା-। ସେ ତତ୍‍କ୍ଷଣାତ୍ ଯାଇ ଦେହମଧ୍ୟରେ ଆଶ୍ରୟ ଗ୍ରହଣ କଲା ।

 

ଚକ୍ଷୁର ଏଭଳି ଶୋଚନୀୟ ପରାଭବ ଦେଖି କର୍ଣ୍ଣ ଧାଇଁଆସି କହିଲା :

 

“ଭାଇମାନେ ! ଏଥର ମୁଁ ଦେହ ଛାଡ଼ୁଛି । ମୋ ଅଭାବରେ ଦେହର ଅବସ୍ଥା ଯେ ଅତି ସାଂଘାତିକ ହେଇଉଠିବ, ମୁଁ ଯିବା ସଙ୍ଗେ ସଙ୍ଗେ ଏହା ତୁମେମାନେ ବେଶ୍ ଜାଣିପାରିବ ।”

 

ଏହା କହି କର୍ଣ୍ଣ ଦେହ ଛାଡ଼ି ଚାଲିଗଲା । ବର୍ଷେକାଳ ପରେ ଯେତେବେଳେ ସେ ଫେରିଆସିଲା, ଦେଖିଲା, ଦେହ ପୂର୍ବପରି ସତେଜ ଓ ସବଳ ରହିଛି । ତଥାପି ସେ ପଚାରିଲା :

 

“ଦେହ । ସତ କରି କହ ତ, ମୁଁ ଗଲାପରେ ତୁମେ କିପରି ଚଳିଲ ? କି କି ଅସୁବିଧାର ସମ୍ମୁଖୀନ ହେଲ ?”

 

ଦେହ ଉତ୍ତର କଲା :

 

“ଏଥିରେ ଲୁଚାଇବାର କଥା କଣ ଅଛି କର୍ଣ୍ଣ ? ଯେଉଁମାନେ ଜନ୍ମରୁ ବଧିର, ସେମାନେ ଚକ୍ଷୁଦ୍ୱାରା ଦେଖି, ବାକ୍‌ଦ୍ୱାରା କହି, ମନଦ୍ୱାରା ଭାବି ଓ ପ୍ରାଣ ସାହାଯ୍ୟରେ ବଞ୍ଚି ସୁଖରେ ଦିନ କଟାନ୍ତି । ତୁମେ ନ ଥିବା ସମୟତକ ମୁଁ ମଧ୍ୟ ସେହିପରି କଟାଇ ଦେଇଛି–କୌଣସି ଅସୁବିଧା ଭୋଗି ନାହିଁ ।”

 

କର୍ଣ୍ଣ ବଡ଼ ଅପ୍ରତିଭ ହୋଇଗଲା । ତା’ର ସମସ୍ତ ଦମ୍ଭ, ଅଭିମାନ କ୍ଷଣକ ମଧ୍ୟରେ ଜଳ ବୁଦ୍‌ବୁଦ୍ ଭଳି କେଉଁଆଡ଼େ ଉଭେଇଗଲା । ସେ ଦୋଷୀଟି ପରି ନୀରବରେ ଯାଇ ଦେହମଧ୍ୟରେ ପ୍ରବେଶ କଲା ।

 

ଏଥର ପଡ଼ିଲା ମନର ପାଳି । ସେ ଦେହ ଛାଡ଼ି ଚାଲିଯିବା ପୂର୍ବରୁ ଗର୍ବରେ ଉନ୍ମତ୍ତ ହୋଇ ନିଜର ପ୍ରଶଂସା ଗାଇଲା । ସଙ୍ଗୀମାନଙ୍କୁ ଚାହିଁ କହିଲା :

 

“ମୁଁ ହେଲି ତୁମମାନଙ୍କର ରାଜା । ମୋର ନିର୍ଦ୍ଧାରଣ ଅନୁସାରେ ତୁମେମାନେ ପରିଚାଳିତ ହେଉଥିଲ, ତେଣୁ ଦେହରେ କୌଣସି ବିଭ୍ରାଟ ଘଟି ନ ଥିଲା । ମୁଁ ଏବେ ଚାଲିଯାଉଥିବାରୁ ତୁମମାନଙ୍କର କୌଣସି କରାମତି ଆଉ ରହିବ ନାହିଁ । ଫଳରେ ଦେହ ମୁହୂର୍ତ୍ତ ମଧ୍ୟ ସୁଖ ବା ସୁବିଧାରେ ଚଳିପାରିବ ନାହିଁ । ମୁଁ ଯାହା କହୁଛି ଏହା ଯେ ନିରାଟ ସତ୍ୟ, ଜାଣିବାକୁ ତୁମମାନଙ୍କୁ ବେଶୀ ସମୟ ଲାଗିବ ନାହିଁ ।”

 

ଏତକ କହି ଇନ୍ଦ୍ରିୟରାଜ ମନ ଦେହରୁ ବାହାରି ଚାଲିଗଲା । ସେ ବର୍ଷକ ପରେ ଫେରିଆସି ଦେହକୁ ପ୍ରଶ୍ନ କଲା :

 

“କିପରି ଅଛ ?”

ଦେହ କହିଲା :

“ଭଲ ଅଛି ।”

ମନ ପଚାରିଲା :

“ମୁଁ ଯିବାପରେ ତୁମର କଣ କିଛି ଅସୁବିଧା ହୋଇନାହିଁ ? ନିଶ୍ଚୟ ହୋଇଥିବ ।”

ଦେହ ଉତ୍ତର କଲା :

 

“କୌଣସି ଅସୁବିଧା ହୋଇ ନାହିଁ, ବିଶ୍ୱାସ କର । ଜଗତରେ ଯେତେ ଅଜ୍ଞାନ ଶିଶୁ ଅଛନ୍ତି, ସେମାନଙ୍କର ତ ମନ ନାହିଁ–ସେମାନେ ପୁଣି ବଞ୍ଚୁଛନ୍ତି କିପରି ? ସୃଷ୍ଟିରେ ଶିଶୁ ହିଁ ସବୁଠାରୁ ସୁଖୀ । ତୁମେ ଚାଲିଯିବା ପରେ ମୁଁ ସେହି ଶିଶୁଙ୍କ ପରି ସୁଖରେ କାଳ ଅତିବାହିତ କରିଛି । ଦୁଃଖ କଣ, ଜଞ୍ଜାଳ କଣ, କିଛି ଜାଣି ନାହିଁ ।

 

ପରାଜୟର ଅପମାନରେ ସଢ଼ିଯାଇ ମନ ଆଉ ଦଣ୍ଡେ ପଦାରେ ରହିପାରିଲା ନାହିଁ, ସଙ୍ଗେ ସଙ୍ଗେ ଦେହ ମଧ୍ୟରେ ଯାଇ ଆଶ୍ରୟ ନେଲା ।

 

–୩–

 

ପରୀକ୍ଷାର ଶେଷ ଦୃଶ୍ୟ...

 

ପ୍ରାଣ ଏପର୍ଯ୍ୟନ୍ତ ନୀରବ ହୋଇ ଦେହରେ ରହିଥିଲା । ସମସ୍ତେ ପରାସ୍ତ ହୋଇ ନିରସ୍ତ ହେଲା ପରେ ସେ ଅନ୍ୟମାନଙ୍କୁ ସମ୍ବୋଧନ କରି କହିଲା :

 

“ତାହା ହେଲେ ମତେ ଏବେ ଦେହ ଛାଡ଼ିଯିବାକୁ ପଡ଼ିବ ଦେଖୁଛି । ହେଉ, ତୁମେମାନେ ସୁଖରେ ରହ ।”

 

ଏତକ କହି ପ୍ରାଣ ଦେହ ତ୍ୟାଗ କରିବାକୁ ଉଦ୍ୟତ ହେଉ ନ ହେଉଣୁ ଦେହ ଉପରକୁ ଘୋର ବିପଦ ମାଡ଼ିଆସିଲା । ବାକ୍, ଚକ୍ଷୁ, କର୍ଣ୍ଣ, ମନ, ସମସ୍ତେ ଅଥୟ ହୋଉ ଉଠିଲେ । ପ୍ରତ୍ୟେକରୁ ଶକ୍ତି ଚାଲିଯିବାକୁ ବସିଲା । ଦେହଟି ନିଶ୍ଚଳ ହୋଇ ପଡ଼ିରହିଲା । ଏହିରୂପେ ଚାହୁଁ ଚାହୁଁ ସମସ୍ତଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଗଲା ।

 

ଏହା ଦେଖି କାତର ସ୍ୱରରେ ସମସ୍ତେ କହିଉଠିଲେ :

 

“ହେ ପ୍ରାଣ । ତୁମେ ହିଁ ଆମମାନଙ୍କ ମଧ୍ୟରେ ଶ୍ରେଷ୍ଠ । ତୁମ ଛଡ଼ା କାହାରି ଗତ୍ୟନ୍ତର ନାହିଁ । ତୁମେ ଥିବା ପର୍ଯ୍ୟନ୍ତ ଆମମାନଙ୍କର ଅସ୍ତିତ୍ୱ ଅଛି–ତୁମ ବିନା ଆମର ସତ୍ତା ନାହିଁ । ତୁମ ଯୋଗୁ ଦେହର କ୍ରିୟା, ଦେହର ଶୋଭା । ଆମେମାନେ ଗର୍ବରେ ଅନ୍ଧ ହୋଇ ତୁମର ଅବମାନନା କରିଛୁଁ; ସେଥିପାଇଁ କ୍ଷମା ଦିଅ । ଆମେ ଆମର ଭ୍ରମ ଏବେ ବେଶ୍ ହୃଦୟଙ୍ଗମ କରିପାରିଛୁଁ । ଦୟା କରି ତୁମେ ଦେହ ଛାଡ଼ି କୁଆଡେ ଯାଅ ନାହିଁ ।”

 

ଏକା କହି ସେମାନେ ପ୍ରାଣର ଜୟଗାନ କରିବାକୁ ଲାଗିଲେ ।

Image

 

ଋଷି-ପଦେ ନତ ଇନ୍ଦ୍ର–ଶିର

 

–୧–

 

ଉଷା-ମଉଳିଲେ ସିନ୍ଦୂର-ଟିକା....

 

କ୍ରମେ ପ୍ରାଚୀ-ତୋରଣ ଡେଉଁ ସୂର୍ଯ୍ୟଦେବ ଊର୍ଦ୍ଧ୍ୱକୁ ଉଠିଲେ । କନକ କିରଣରେ ପୃଥିବୀପୃଷ୍ଠ ରଞ୍ଜିତ ହେଲା । ମୃଦୁମଧୁର ଶୀତଳ ସମୀରଣ, ନଦୀବକ୍ଷର କଳକଳ–ଛଳଛଳ କ୍ଷୁଦ୍ର ଊର୍ମିମାଳା, ମଧୁସ୍ୱନ ବିହଗଦଳ, ଗୁଞ୍ଜନରତ ଭ୍ରମରପୁଞ୍ଜ ଏବଂ ପଲ୍ଲବ-ସମାଚ୍ଛନ୍ନ କୁସୁମିତ ତରୁଲତାବଳି ନବୀନ ପୁଲକରେ ପ୍ରଭାତର ସ୍ୱାଗତ ବନ୍ଦନା କଲେ ।

 

କୁଳପତି ଆଥର୍ବଣ ନିଜ ବିଶାଳ ଆଶ୍ରମ-ଉପକଣ୍ଠର ନଦୀତଟରେ ଏକାକୀ ବସି ପ୍ରଭାତ-ଉତ୍ସବର ଏହି ମନୋରମ ଦୃଶ୍ୟ ଉପଭୋଗ କରୁଥାନ୍ତି, ହଠାତ୍ ଜଣେ ଅପରିଚିତ ସୁଶ୍ରୀ ଯୁବକ ତାହାଙ୍କ ସମ୍ମୁଖରେ ଆସି ଉପସ୍ଥିତ ହେଲେ ।

 

ମହର୍ଷି ଆଥର୍ବଣ ଆଗନ୍ତୁକଙ୍କୁ ଚାହିଁ ଶାନ୍ତ ଗମ୍ଭୀର ସ୍ୱରରେ ପଚାରିଲେ :

“ପରିଚୟ ଜାଣିପାରେଁ କି ?”

ଯୁବକ ଉତ୍ତର ଦେଲେ :

“ମୁଁ ଜଣେ ଜିଜ୍ଞାସୁ ଅତିଥି ।”

“ଏ ତପୋବନକୁ ଆସିବାର ପ୍ରୟୋଜନ ?”

 

“ଉତ୍ତର ପାଇବାକୁ ଆଶା କରିବା ପୂର୍ବରୁ କହିବେ କି ଆପଣ ମୋର ମନୋବାଞ୍ଛା ପୂର୍ଣ୍ଣ କରିବେ କି ନାହିଁ ?”

 

ଆଗନ୍ତୁକଙ୍କ ପ୍ରଶ୍ନବାକ୍ୟରେ ଉତ୍କଣ୍ଠା ସଙ୍ଗେ ଉଷ୍ମାର ଲକ୍ଷଣ ଦେଖି ମହର୍ଷି ଜାଣିଲେ, ଏ ନିଶ୍ଚୟ ଜଣେ ଅଭିଜାତ ଓ ଉଚ୍ଚପଦାସୀନ ବ୍ୟକ୍ତି । ଆଶ୍ୱାସ ଦେଇ କହିଲେ :

 

“ନୈରାଶ୍ୟରେ କୌଣସି କାରଣ ନାହିଁ, ଯୁବକ ।”

ପ୍ରତିଶ୍ରୁତି ପାଇ ଆଗନ୍ତୁକ ପରିଚୟ ଦେଲେ :

 

“କୁଳପତି । ମୁଁ ଦେବରାଜ ଇନ୍ଦ୍ର । ଦଶ ସହସ୍ର ବିଦ୍ୟାର୍ଥୀଙ୍କ ଶିକ୍ଷାପୀଠ ଏହି ପୁଣ୍ୟାଶ୍ରମ ମତେ ଭୋଗଭୂମି ସ୍ୱର୍ଗରାଜ୍ୟରୁ ଆଜି ଟାଣିଆଣିଛି । ଆପଣଙ୍କର ବ୍ରହ୍ମଜ୍ଞାନ ତ୍ରିଲୋକବିଦିତ । ସେହି ଗୂଢ଼ ଜ୍ଞାନଲାଭର ଆକାଙ୍‌କ୍ଷା ମୋର ପ୍ରାଣରେ ପ୍ରବଳ ରୂପେ ଜାଗରିତ ହୋଇଛି । ହେ ମହର୍ଷି ! ଏବେ ମତେ ସେହି ବ୍ରହ୍ମତତ୍ତ୍ୱର ରହସ୍ୟ ବୁଝାଇଦେଇ ନିଜର ପ୍ରତିଜ୍ଞା ରକ୍ଷା କରନ୍ତୁ ।”

 

ଆଥର୍ବଣଙ୍କ ହୃଦୟ କିଛିକ୍ଷଣ ପାଇଁ ଚଞ୍ଚଳ ହୋଇ ଉଠିଲା । ତାଙ୍କ ସମ୍ମୁଖରେ ଏକ ବିଷମ ସମସ୍ୟା ଦେଖାଦେଲା । ଆଗନ୍ତୁକଙ୍କର ମନୋରଥ ପୂରଣ କରିବେ ବୋଲି ପ୍ରଥମରୁ ସେ ବଚନ ଦେଇ ସାରିଛନ୍ତି; ତେଣୁ ତହିଁରେ ବ୍ୟତିକ୍ରମ କଲେ ସତ୍ୟଭଙ୍ଗ ଦୋଷରେ ଭାଗୀ ହେବାକୁ ପଡ଼ିବ । ଏଣେ ଇନ୍ଦ୍ରଦେବଙ୍କର ବ୍ରହ୍ମତତ୍ତ୍ୱ ଶିକ୍ଷାଲାଗି ଯୋଗ୍ୟତା ନାହିଁ । ଶାସ୍ତ୍ର କହେ, ଯୋଗ୍ୟ ବ୍ୟକ୍ତିଠାରେହିଁ ବିଦ୍ୟାଦାନ ସୁଫଳ ପ୍ରସବ କରେ । ଅଯୋଗ୍ୟ ଲୋକକୁ ବିଦ୍ୟା ଦେଲେ ତାହା ଉସରରେ ବୀଜବପନ ସଦୃଶ ନିଷ୍ଫଳ ହୁଏ । ପୁଣି ସେହି ଶିକ୍ଷା ଅପାତ୍ରସ୍ଥ ହେବା ଫଳରେ ଲାଭ ଅପେକ୍ଷା କ୍ଷତିର ସମ୍ଭାବନା ମଧ୍ୟ ଅଧିକ ।

 

ଇନ୍ଦ୍ର ପ୍ରକୃତରେ ବ୍ରହ୍ମଜ୍ଞାନ ଉପଦେଶ ପାଇବାପାଇଁ ଅଧିକାରୀ ନ ଥିଲେ । ଭୋଗଲାଳସାରେ ତାହାଙ୍କ ମନ ନିତ୍ୟ ବିଜଡ଼ିତ । ଇନ୍ଦ୍ରିୟସେବା ତାଙ୍କର ଚରମ ଲକ୍ଷ୍ୟ । ଏଗୁଡ଼ିକ ହେଉଛି ଜ୍ଞାନଲାଭର ପ୍ରତିକୂଳ । ଯେଉଁ ବ୍ୟକ୍ତି ଜିତେନ୍ଦ୍ରିୟ, ଭୋଗବିଳାସର ବାସନା ଯାହାଙ୍କ ହୃଦୟକୁ ଚଞ୍ଚଳ ବା ବିଚଳିତ କରେନାହିଁ, ସେହି କେବଳ ବ୍ରହ୍ମବିଦ୍ୟା ଲାଭ କରିବାର ଅଧିକାରୀ । ଏଣୁ ଇନ୍ଦ୍ରଦେବଙ୍କୁ କିପରି ତତ୍ତ୍ୱଜ୍ଞାନର ଶିକ୍ଷା ଦିଆଯିବ ?

 

ଏ ସମସ୍ତ ବିଚାର କରି ମଧ୍ୟ ଆଥର୍ବଣ ସଂକଳ୍ପଚ୍ୟୁତ ହେବାକୁ ଇଛା କଲେ ନାହିଁ । ସେ ନିଜର ସତ୍ୟ ରକ୍ଷାକରି ଶେଷରେ ଦେବରାଜକୁ ‘ମଧୁବିଦ୍ୟା’ର ଉପଦେଶ ଦେବାକୁ ଆରମ୍ଭ କଲେ :

 

“ହେ ଇନ୍ଦ୍ର ! ଏହି ବିଦ୍ୟା ଆୟତ୍ତ କରିବାରେ ଆଗ୍ରହ ଥିଲେ ପ୍ରଥମେ ଯୋଗାଭ୍ୟାସ କରିବାକୁ ହେବ । ଭୋଗ ହେଉଛି ଯୋଗମାର୍ଗର ପ୍ରଧାନ ଅନ୍ତରାୟ, ତେଣୁ ତାହା ସର୍ବାଦୌ ବର୍ଜନୀୟ । ପୁଷ୍ପଶଯ୍ୟାରେ ଲୁକ୍‌କାୟିତ ସର୍ପିଣୀ ପରି ଅନ୍ତର୍ନିହିତ ଭୋଗଲିପ୍‌ସା ଅତ୍ୟନ୍ତ ଅନର୍ଥକାରିଣୀ ଦେବତା ବା ମନୁଷ୍ୟମାନେ କ୍ଷଣିକ ସୁଖର ଅନ୍ୱେଷଣରେ ଜୀବନର ବହୁ ସମୟ କ୍ଷୟ କରନ୍ତି । ଏହି ଅଳୀକ ସୁଖର ନାମ ‘ପ୍ରେୟ’ । ମାତ୍ର ଭୋଗବାସନାହୀନ ଜ୍ଞାନୀ ଯେଉଁ ଚିରନ୍ତନ ସୁଖ ପାଇଁ ଆତ୍ମବଳି ଦେବାକୁ ସୁଦ୍ଧା ପଶ୍ଚାତ୍‌ପଦ ହୁଅନ୍ତି ନାହିଁ, ତାହାର ନାମ ‘ଶ୍ରେୟ” । ଭୋଗଲିପ୍‍ସା ବା ‘ପ୍ରେୟ’ ନିକଟରେ ସ୍ୱର୍ଗର ଇନ୍ଦ୍ର ଓ ମର୍ତ୍ତ୍ୟର କୁକୁର ଏ ଉଭୟ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ତେଣୁ ହେ ଜିଜ୍ଞାସୁ ! ମନେ ରଖ, ଏହି ସର୍ବଗ୍ରାସୀ ଭୋଗସ୍ପୃହାର ବିନାଶ ହିଁ ବ୍ରହ୍ମଜ୍ଞାନ ଲାଭର ପ୍ରଥମ ସୋପାନ ।”

 

ମହର୍ଷିଙ୍କ ଉକ୍ତି ଶୁଣି ଇନ୍ଦ୍ର କ୍ରୋଧରେ ଉତ୍‌କ୍ଷିପ୍ତ ହୋଇ ଉଠିଲେ । ପୃଥିବୀରେ ଘୃଣ୍ୟ କୁକୁର ସହିତ ସ୍ୱର୍ଗାଧିପତି ଦେବରାଜର ସାବୃଶ୍ୟ ! କି ଜଘନ୍ୟ ଏ ମଧୁବିଦ୍ୟା ! ଆଥର୍ବଣ ଆଜି ତାଙ୍କର ମର୍ଯ୍ୟାଦା, ପ୍ରତିପତ୍ତି ଓ ଆଭିଜାତ୍ୟରେ ପଦାଘାତ କରିଛନ୍ତି-ପୁଣି ତାଙ୍କରି ସମ୍ମୁଖରେ ! ଏ ଅପମାନ କି ସହିବାର କଥା !

 

ଉତ୍‌ଫଣ ସର୍ପ ପରି ଇନ୍ଦ୍ର କମ୍ପିଗଲେ ଏବଂ ତର୍ଜନୀ ଦେଖାଇ ମନ୍ଦ୍ର ସ୍ୱରରେ ଗର୍ଜନ କରି ଉଠିଲେ :

 

“ହେ ଜ୍ଞାନଗର୍ବୀ ଋଷି ! ତୁମର ଔଦ୍ଧତ୍ୟ ଅକ୍ଷମଣୀୟ । ଦେବବନ୍ଦିତ ଶଚୀପତିର ଉନ୍ନତ ଗୌରବ-ମୁକୁଟକୁ ତୁମେ ଆଜି କି ସାହସରେ ଭୂତଳଶାୟୀ କରିଛ ? ଏହି ଗୁରୁ ଦୋଷର ଯେଉଁ ଭୟାବହ ପରିଣାମ, ତାହା ଭାବିପାରୁଛ ତ ? ମନେ ରଖ ଋଷି ! ଯଦି ଆଉ କାହାରି ଆଗରେ ତୁମେ ମଧୁବିଦ୍ୟାର ଏଭଳି ବ୍ୟାଖ୍ୟାନ କର, ତାହାହେଲେ ସେହି ମୁହୂର୍ତ୍ତରେ ତୁମର ମସ୍ତକ ଶରୀରରୁ ଛିନ୍ନ ହୋଇ ଭୁଲୁଣ୍ଠିତ ହେବ । ଜଗତ ସେତେବେଳେ ଦେଖିବ, ତ୍ରିଦିବେଶ୍ୱର ଇନ୍ଦ୍ରର କି ଶକ୍ତି !”

 

କ୍ରୋଧଜିତ୍ ମହର୍ଷିଙ୍କ ଅନ୍ତରକୁ ଏ ଦାରୁଣ ଅଭିଶାପ ତିଳେ ହେଲେ ବିଷତ କରିପାରିଲା ନାହିଁ । ମସୃଣ ପଦ୍ମପତ୍ରରେ ଜଳକଣା ପଡ଼ିଲାମାତ୍ରେ ତଳକୁ ପଡ଼ିଗଲା ଭଳି ଇନ୍ଦ୍ରଙ୍କ କ୍ରୂର ବାକ୍ୟ ଆଥର୍ବଣଙ୍କ ମନକୁ ସ୍ପର୍ଶ କଲେ ହେଁ ତାହାଙ୍କୁ ଅଭିଭୂତ କରିପାରିଲା ନାହିଁ । ଋଷିଙ୍କର ଅଦ୍ଭୁତ ସହନଶୀଳତା, ଉଦାର ପ୍ରଶାନ୍ତ ମୂର୍ତ୍ତି ଓ ଅବିଚଳିତ ମନୋଭାବ ଦେଖି ଇନ୍ଦ୍ର ତଟସ୍ଥ ହୋଇଗଲେ । ତତ୍ପରେ ସେ ତପୋବନ ଛାଡ଼ି ଦର୍ପିତ ପଦକ୍ଷେପରେ ସ୍ୱର୍ଗପୁରୀକୁ ପ୍ରତ୍ୟାବର୍ତ୍ତନ କଲେ ।

 

–୨–

 

କିଛିଦିନ ପରେ...

 

ଅଶ୍ୱିନୀକୁମାରଦ୍ୱୟ ଆଶ୍ରମରେ ଆସି ପହଞ୍ଚିଲେ । ଭକ୍ତିଜଡ଼ିତ କଣ୍ଠରେ ଆଥର୍ବଣଙ୍କୁ ଅନୁନୟ କରି କହିଲେ :

 

“ଋଷିବର ! ଆପଣଙ୍କ ଅଭିପ୍ରାୟ ଅନୁସାରେ ଆମେ ନିଜକୁ ଯୋଗ୍ୟ ଅଧିକାରୀ କରିଛୁ-। ଏବେ ମଧୁବିଦ୍ୟାର ଉପଦେଶ ଦିଅନ୍ତୁ-।”

 

ଋଷି ପଚାରିଲେ :

“ସାଧନାଦ୍ୱାରା କଣ କଣ ଆୟତ୍ତ କରି ଆସିଛ, କହିଲ ?”

ଅଶ୍ୱିନୀକୁମାର ଉତ୍ତର ଦେଲେ :

 

“ଯୋଗାଭ୍ୟାସଦ୍ୱାରା ଆତ୍ମାରେ ପବିତ୍ରତା ଆଣିଛୁ; କଠିନ ବ୍ରହ୍ମଚର୍ଯ୍ୟ ପାଳନ କରି ତପସ୍ୟା ସାଧିଛୁ ଏବଂ ତାହାରି ବଳରେ ହିଂସା, ଭୋଗଲାଳସା ବର୍ଜନପୂର୍ବକ ସତ୍ୟ, ଅହିଂସା ଗୁଣ ଅର୍ଜ୍ଜନ କରିଛୁଁ । ଆମେ ଏଣିକି ପରକଲ୍ୟାଣ ସାଧନାକୁ ଜୀବନର ଏକମାତ୍ର ବ୍ରତ ରୂପେ ଗ୍ରହଣ କରିଛୁଁ ।

 

ଆଥର୍ବଣ ଜାଣିଲେ, ଅଶ୍ୱିନୀକୁମାର ଦୁହେଁ ଏବେ ପ୍ରକୃତରେ ମଧୁବିଦ୍ୟା ଶିକ୍ଷା କରିବାର ଅଧିକାରୀ ହୋଇଛନ୍ତି, କିନ୍ତୁ ସେ ଯେ ଇନ୍ଦ୍ରଙ୍କ ଅଭିଶାପ ଅନୁସାରେ ଅନ୍ୟକୁ ତାହା ଶିଖାଇପାରିବେ ନାହିଁ, ଏଥିପାଇଁ ଅତ୍ୟନ୍ତ ଦୁଃଖିତ ହୋଇ କହିଲେ :

 

“ଅଶ୍ୱିନୀକୁମାର । ମୁଁ ବର୍ତ୍ତମାନ ବଡ଼ ସଂକଟରେ ପଡ଼ିଛି । ଇନ୍ଦ୍ର ଆତ୍ମବଡ଼ିମା ଯୋଗୁ ଜ୍ଞାନଶୂନ୍ୟ ହୋଇ ମୋର ଉପଦେଶକୁ ଠିକ୍ ରୂପେ ବୁଝିପାରିଲେ ନାହିଁ । ଶେଷରେ ରୋଷଦୀପ୍ତ ଚକ୍ଷୁରେ ମତେ ଅଭିଶାପ ଦେଇଗଲେ–ଯଦି ଅନ୍ୟ କାହାରିକି ମୁଁ ମଧୁବିଦ୍ୟାର ଉପଦେଶ ଦେବି, ତେବେ ସଙ୍ଗେ ସଙ୍ଗେ ମୋର ଶିର ସ୍କନ୍ଧଚ୍ୟୁତ ହୋଇଯିବ । ଏପରି ଅବସ୍ଥାରେ ମୁଁ କିପରି ତୁମକୁ ତାହା ଶିକ୍ଷା ଦେବି, ବୁଝିପାରୁ ନାହିଁ ।”

 

ଇନ୍ଦ୍ରଙ୍କର ଏପରି ଗର୍ହିତ ଆଚରଣରେ ଦେବବୈଦ୍ୟ ଅଶ୍ୱିନୀକୁମାର ଦ୍ୱୟ ବଡ଼ ବ୍ୟଥିତ ହେଲେ; କିନ୍ତୁ ଆଥର୍ବଣଙ୍କୁ ଉପାୟ ବତାଇ କହିଲେ :

 

ଋଷି ! ଆମେ ସଂଜୀବନୀ ବିଦ୍ୟା ଜାଣୁଁ । ଏହି ବିଦ୍ୟାବଳରେ ଆପଣଙ୍କ ମସ୍ତକକୁ କାଢ଼ିନେଇ ତା ସ୍ଥାନରେ ଏକ ଅଶ୍ୱମସ୍ତକ ଲଗାଇଦେବୁଁ । ସେହି ମସ୍ତକଯୁକ୍ତ ହୋଇ ଆପଣ ଆମକୁ ମଧୁବିଦ୍ୟା ଦାନ କରନ୍ତୁ । ଇନ୍ଦ୍ରଙ୍କ ଅଭିଶାପ ଫଳରେ ଯେତେବେଳେ ଉକ୍ତ ଅଶ୍ୱଶିରଟି ଛିନ୍ନ ହୋଇଯିବ, ଆମେ ପୁଣି ଆପଣଙ୍କର ପୂର୍ବ ମସ୍ତକଟି ଆଣି ସ୍କନ୍ଧରେ ଯୋଡିଦେବୁଁ ।”

 

ଅଶ୍ୱିନୀକୁମାର ଶକ୍ତି ଓ ଚତୁରତା ବୁଝି ଋଷି ସମ୍ମତ ହେଲେ ଏବଂ ଶେଷରେ ଅଶ୍ୱମସ୍ତକବିଶିଷ୍ଟ ହୋଇ ତାଙ୍କୁ ମଧୁବିଦ୍ୟା ପ୍ରଦାନ କଲେ । ସତକୁ ସତ ସେହି ଅଶ୍ୱଶିରଟି ସଙ୍ଗେ ସଙ୍ଗେ ଛିଡ଼ିପଡ଼ିଲା । ଅଶ୍ୱିନୀକୁମାର ତାହାକୁ ନେଇ କୁରୁଷେତ୍ର ନିକଟସ୍ଥ ଶର୍ଯଣା ନାମକ ଜଳାଶୟରେ ନିଷେପ କରିଦେଲେ ଏବଂ ଋଷିଙ୍କ ମସ୍ତକ ଆଣି ସଞ୍ଜୀବନୀ ମନ୍ତ୍ରଦ୍ୱାରା ଯଥାସ୍ଥାନରେ ସଂଯୋଗ କରିଦେଲେ । ଏହିରୂପେ ଆଥର୍ବଣ ନିଜର ମସ୍ତକ ଫେରିପାଇଲେ ।

 

ଦେବବୈଦ୍ୟ ଦୁହିଁଙ୍କର ଆଶା ଚରିତାର୍ଥ ହେଲା । ସେମାନେ ପ୍ରଫୁଲ୍ଲ ଚିତ୍ତରେ ଋଷିଙ୍କର ଚରଣ ବନ୍ଦନା କରି ସ୍ୱପୁରକୁ ବାହୁଡ଼ିଗଲେ ।

 

–୩–

 

ଇନ୍ଦ୍ରଙ୍କର ପରାଜୟ ହେଲା...

 

ଅଶ୍ୱିନୀକୁମାର ଦ୍ୱୟ ସାଧନାଦ୍ୱାରା ଯୋଗ୍ୟତା ଅର୍ଜନ କରି ଋଷିଙ୍କଠାରୁ ମଧୁବିଦ୍ୟା ଶିଖିବା କଥା ଇନ୍ଦ୍ର ଶୁଣିପାରିଲେ । ତାହା ସଙ୍ଗେ ସଙ୍ଗେ ତାଙ୍କ ଅଭିଶାପରୁ ଋଷି କିପରି ସଞ୍ଜୀବନୀ ମନ୍ତ୍ର ଯୋଗେ ରକ୍ଷା ପାଇଲେ, ତାହା ମଧ୍ୟ ଜାଣିଲେ । ଏଥିରେ ତାଙ୍କ କ୍ଷମତାର ଗର୍ବ, ମନର ଦାମ୍ଭିକତା ସମୂଳେ ଚୂର୍ଣ୍ଣୀଭୂତ ହେଲା । ସେ ନିଜର ଦୋଷ ନିଜେ ବୁଝିପାରିଲେ ଏବଂ କିଛି ଦିନ ପରେ ସହିଷ୍ଣୁତାର ହିମାଚଳ ଆଥର୍ବଣଙ୍କ ନିକଟରେ ଉପସ୍ଥିତ ହୋଇ ଯୁକ୍ତହସ୍ତରେ ପ୍ରାର୍ଥନା କଲେ :

 

“ମହର୍ଷି ! ମୁଁ ଆପଣଙ୍କ ପାଖରେ ଉତ୍କଟ ଅପରାଧ କରିଛି । ଏବେ ତାହାରି ବିଷ ମୋ ହୃଦୟକୁ ଘାରୁଛି । ଦୟା କରି ମୋ ପ୍ରତି ପ୍ରସନ୍ନ ହୁଅନ୍ତୁ ଏବଂ ପୂର୍ବ ରୋଷ ମନରୁ ପାସୋରିଦେଇ ନିଜ ସ୍ୱଭାବସୁଲଭ ଗୁଣରେ ମତେ କ୍ଷମା ଦାନ କରନ୍ତୁ, ଏତିକି ଶ୍ରୀଚରଣରେ ଭିକ୍ଷା ।”

 

ଆଥର୍ବଣ ଈଷତ୍‌ ହସି ମଧୁର ବାକ୍ୟରେ କହିଲେ :

 

“ଦେବରାଜ ! ମୁଁ ଆପଣଙ୍କ ପ୍ରତି ଅଣୁମାତ୍ର କ୍ରୋଧଭାବ ପୋଷଣ କରି ନାହିଁ । ନିଜକୃତ ଅନୁଚିତ କର୍ମ ପାଇଁ ବୋଧହୁଏ ଆପଣଙ୍କ ମନରେ ଏଭଳି ଧାରଣା ରହିଯାଇଛି । ଏ କ୍ଷେତ୍ରରେ କ୍ଷମାର ପ୍ରଶ୍ନ ମୋଟେ ଉଠୁ ନାହିଁ । ଏବେ ନିର୍ମଳଚିତ୍ତରେ ଆଶୀର୍ବାଦ କରୁଛି, ଆପଣଙ୍କ ହୃଦୟରୁ ଆବିଳତା ଦୂର ହେଉ-ଜଗତର ହିତରେ ଆପଣ ନିଜର ଶକ୍ତି ବ୍ୟୟ କରନ୍ତୁ ।”

 

ମହର୍ଷିଙ୍କର ସର୍ବଂସହା ପୃଥିବୀ ପରି ଅତୁଳ ସହନଶୀଳତା, ଅନନ୍ତ ଆକାଶ ପରି ପରମ ଉଦାରତା ଓ ପ୍ରଜାପତି ବ୍ରହ୍ମାଙ୍କ ପରି ଅପୂର୍ବ ସ୍ନେହଶୀଳତା ସମକ୍ଷରେ ଇନ୍ଦ୍ରଙ୍କର ଶ୍ରେଷ୍ଠତ୍ୱ ମଳିନ ପଡ଼ିଗଲା । ସେ ନିଜକୁ ଅତିକ୍ଷୁଦ୍ର ବୋଲି ବିବେଚନା କଲେ ଏବଂ ଲଜ୍ଜାନମ୍ର ହୋଇ ଆଥର୍ବଣଙ୍କଠାରୁ ବିଦାୟ ଘେନି ଚାଲିଗଲେ ।

 

–୪–

 

କାଳସ୍ରୋତ ବହିଚାଲିଲା...

 

ବୃତ୍ତ ଓ ସମ୍ବର ଅସୁରଦ୍ୱୟଙ୍କ ଉତ୍ପାତ କ୍ରମେ ବୃଦ୍ଧିଲାଭ କଲା । ଇନ୍ଦ୍ର ସେମାନଙ୍କ ଦୌଗାତ୍ମ୍ୟରୁ ଦେବରାଜ୍ୟକୁ ରକ୍ଷା କରିବାର ଉପାୟ ନ ପାଇ ଆଥର୍ବଣଙ୍କର ଶରଣାପନ୍ନ ହେଲେ । ଋଷି ଦୈତ୍ୟବିନାଶର କୌଶଳ ବତାଇ ଦେଲେ । ତାଙ୍କରି ଆଦେଶାନୁସାରେ ଶର୍ଯ୍ୟଣା ଜଳାଶୟରେ ନିକ୍ଷିପ୍ତ ଅଶ୍ୱମସ୍ତକଟି ଉଦ୍ଧାର କରି ଇନ୍ଦ୍ର ତାହାରି ଅସ୍ଥିରେ ବିବିଧ ଅସ୍ତ୍ରଶସ୍ତ୍ର ନିର୍ମାଣ କଲେ । ଋଷିଙ୍କ ସ୍କନ୍ଧରେ ନ୍ୟସ୍ତ ଥିଲାବେଳେ ସେହି ମୁଖରୁ ବ୍ରହ୍ମବିଦ୍ୟାର ବାଣୀ ନିଃସୃତ ହୋଇଥିଲା ବୋଲି ଉକ୍ତ ଅସ୍ତ୍ରଶସ୍ତ୍ର ଅତି ଅଦ୍ଭୁତ ଶକ୍ତିସମ୍ପନ୍ନ ହେଲା ।

 

ଏହାଛଡ଼ା ଆଥର୍ବଣ ଜଗତକୁ ତ୍ୟାଗର ଅତୁଳ ଆଦର୍ଶ ଦେଖାଇ ଅସୁରନିଧନ ଉଦ୍ଦେଶ୍ୟରେ ନିଜ ଦେହର ଅସ୍ଥି ମଧ୍ୟ ଦାନ କଲେ । ଇନ୍ଦ୍ରଦେବ ସେହି ପବିତ୍ରତମ ଅସ୍ଥିରେ ଅମୋଘ ବଜ୍ରାସ୍ତ୍ର ପ୍ରସ୍ତୁତ କରି ତାହାରି ପ୍ରୟୋଗରେ ବୃତ୍ରାଦି ଦାନବଙ୍କୁ ସଂହାର କଲେ ।

 

ଆଥର୍ବଣ ଜଗତର କଲ୍ୟାଣ ପାଇଁ ଆତ୍ମଦାନ କରି ଅମର ହେଲେ । ଯୁଗେ ଯୁଗେ ପୁଣ୍ୟଗାଥା କୋଟି ମୁଖରେ ଘୋଷିତ ହୋଇଆସୁଛି । ଏହି ବିଶ୍ୱପୂଜ୍ୟ ମହର୍ଷିଙ୍କ ଲୋକପ୍ରିୟ ନାମ ‘ଦଧୀଚି’ ।

Image

 

ତପସ୍ୟାରୁ ସତ୍ୟଲାଭ

 

–୧–

 

ଜଣେ ଆଚାରନିଷ୍ଠ ବ୍ରହ୍ମଜ୍ଞ ଋଷି...

 

ନାମ ବରୁଣ । ତାଙ୍କ ପାଣ୍ଡିତ୍ୟର ଖ୍ୟାତି ଚତୁର୍ଦ୍ଦିଗରେ ପରିବ୍ୟାପ୍ତ ହୋଇଥିଲା । ଭୃଗୁ ତାଙ୍କରି ପୁତ୍ର ।

 

ବାଳକ ଭୃଗୁର ବୁଦ୍ଧି ଓ ମେଧାର ପରିଚୟ ଅତି ଶୈଶବରୁ ଜଣାପଡ଼ିଥିଲା । ପୁତ୍ର ଯେ ଦିନେ ପରମ ଜ୍ଞାନବଳରେ ଚରମ ପ୍ରତିପତ୍ତି ଲାଭ କରି ଲୋକସମାଜର ପ୍ରଭୂତ ମଙ୍ଗଳ ସାଧନ କରିବ, ଏହା ବରୁଣ ଋଷି ବେଶ୍ ଉପଲବ୍‌ଧ କରିପାରିଲେ; ତେଣୁ ସେ ଭୃଗୁର ପ୍ରାଥମିକ ଶିକ୍ଷାଭାର ଜଣେ ବ୍ରାହ୍ମଣ ଋଷିଙ୍କ ହସ୍ତରେ ନ୍ୟସ୍ତ କଲେ ।

 

ଅଳ୍ପକାଳ ମଧ୍ୟରେ ଭୃଗୁର ବେଦାଧ୍ୟୟନ ସମାପ୍ତ ହୋଇଗଲା; ମାତ୍ର ମନରେ ତା’ର ଆଦୌ ଶାନ୍ତି ନାହିଁ–ବ୍ରହ୍ମ କଣ, ସେ କିପରି, ଏହା ଅନୁଭବ କରିବାକୁ ତା’ର ପ୍ରବଳ ଆଗ୍ରହ । ତା ହୃଦୟର ଏ କଠିନ ପ୍ରଶ୍ନ ଉତ୍ତର ଦେବ କିଏ ?

 

ଦିନେ ଭୃଗୁ ଗୁରୁଙ୍କୁ ପଚାରିଲା :

 

“ଗୁରୁଦେବ ! ଆପଣଙ୍କ ଅନୁଗ୍ରହରୁ ବ୍ରହ୍ମତତ୍ତ୍ୱ ଶିକ୍ଷା କଲି ସତ; କିନ୍ତୁ ଏପର୍ଯ୍ୟନ୍ତ ବ୍ରହ୍ମଙ୍କୁ ଚିତ୍ତ ମଧ୍ୟରେ ଧାରଣା କରିପାରିଲି ନାହିଁ । ଦୟା କରି ତାଙ୍କୁ ଚିହ୍ନିବାର ଉପାୟ ମତେ ବତାଇ ଦିଅନ୍ତୁ ।”

 

ଗୁରୁ ଉତ୍ତର କଲେ :

 

“ବତ୍ସ ! ତୁମର ବିଦ୍ୟା ଶେଷ ହୋଇଛି । ଏବେ ତୁମେ ନିଜ ଗୃହକୁ ଫେରିଯାଅ । ତୁମର ପିତା ବରୁଣ ଶ୍ରେଷ୍ଠ ବ୍ରହ୍ମଜ୍ଞାନୀ ବୋଲି ସର୍ବତ୍ର ବିଦିତ । ବ୍ରହ୍ମଜ୍ଞାନ ବିଷୟକ ତୁମର ଏହି କୌତୁହଳ ତାଙ୍କରଦ୍ୱାରା ଚରିତାର୍ଥ ହେବ । ଆଶୀର୍ବାଦ କରୁଛି, ତୁମର ମନୋବାଞ୍ଛା ଅଚିରେ ସିଦ୍ଧ ହେଉ ।’’

 

ଭୃଗୁ ଗୁରୁଙ୍କ ଆଦେଶକ୍ରମେ ଗୃହରେ ଆସି ଉପସ୍ଥିତ ହେଲା ଏବଂ ପିତୃଚରଣରେ ପ୍ରଣିପାତ କରି ପ୍ରଶ୍ନ କଲା :

 

“ପିତା ! ମୁଁ ବେଦବିଦ୍ୟା ଓ ବ୍ରହ୍ମତତ୍ତ୍ୱ ଆୟତ୍ତ କରିଥିଲେ ହେଁ ବ୍ରହ୍ମଙ୍କୁ ମନ ମଧ୍ୟରେ ଉପଲବ୍‌ଧି କରିବାର ପଥ ଏ ପର୍ଯ୍ୟନ୍ତ ପାଇ ନାହିଁ । ଗୁରୁଙ୍କୁ ପଚାରିବାରୁ ସେ କହିଲେ–ଆପଣ ଏ ବିଷୟରେ ମୋତେ ପ୍ରକୃତ ଜ୍ଞାନ ଦେବେ । ତେଣୁ ବ୍ରହ୍ମଙ୍କୁ ଅନୁଭବ କରିବାର ଉପାୟ ଏବେ କହିଦିଅନ୍ତୁ ।”

 

ପିତାମାତା ଯେ ପୁତ୍ରକନ୍ୟାଙ୍କ ପକ୍ଷରେ ଆଦର୍ଶ ଜ୍ଞାନଦାତା, ସେହି ବୈଦିକ ଯୁଗରୁ ଋଷିମାନେ ଏହା ପ୍ରଚାର କରି ଆସିଛନ୍ତି । ପିତାମାତାଙ୍କ ପ୍ରଦତ୍ତ ଶିକ୍ଷା ଯେପରି ସନ୍ତାନ-ମନରେ ପଥର-ଗାର ଭଳି ଆଜୀବନ ସ୍ଥାୟୀ ହୋଇ ରହେ, ଗୁରୁ ବା ଆଚାର୍ଯ୍ୟଙ୍କ ପ୍ରଦତ୍ତ ଶିକ୍ଷା ସେତେ ପରିମାଣରେ ହୋଇପାରେ ନାହିଁ । ଏଣୁ ବାଳକ-ବାଳିକାଙ୍କ ଚରିତ୍ରଗଠନରେ ପିତାମାତାଙ୍କ ଆଦର୍ଶ ଓ ଉପଦେଶ ହିଁ ସର୍ବାପେକ୍ଷା ଅଧ୍ୟକ ସାହାଯ୍ୟକାରୀ । ବାଳକ ଭୃଗୁର ଜୀବନ କାହାଣୀ ଏହି ସତ୍ୟର ପ୍ରକୃଷ୍ଟ ଉଦାହରଣ ।

 

ପୁତ୍ରର ଉତ୍କଣ୍ଠାପୂର୍ଣ୍ଣ ଜ୍ଞାନଲିପ୍‌ସା ଦେଖି ବରୁଣ ଉତ୍ତର କଲେ :

 

“ବତ୍ସ ! ଯାହାଙ୍କଠାରୁ ଜୀବ ଜନ୍ମଲାଭ କରେ, ଯାହାଙ୍କ ବଳରେ ପ୍ରାଣୀମାନେ ବଞ୍ଚି ରହନ୍ତି ଓ ଯାହାଙ୍କ ନିକଟକୁ ଦିନେ ପୁଣି ଫେରିଯିବାକୁ ହେବ, ସେଇ ହେଉଛନ୍ତି ବ୍ରହ୍ମ । ତାଙ୍କୁ ଅନୁଭବ କରିବାର ଉପାୟ କେହି ବାକ୍ୟରେ ବୁଝାଇପାରେ ନାହିଁ–ନିଜେ କେବଳ ନିଜ ଜ୍ଞାନବଳରେ ଧାରଣା କରିବା ଛଡ଼ା ଅନ୍ୟ ଉପାୟ ନାହିଁ । ଜ୍ଞାନଲାଭର ଏକମାତ୍ର ପନ୍ଥା ହେଉଛି ତପସ୍ୟା । ତୁମେ କଠୋର ସାଧନ ସହ ତପସ୍ୟା କଲେ ଏହି କଠିନ ପ୍ରଶ୍ନର ଉତ୍ତର ବଳେ ପାଇ ପାରିବ ।”

 

ତପସ୍ୟା କହିଲେ କଣ ବୁଝାଏ, ଭୃଗୁ ଠିକ୍ ରୂପେ ଜାଣି ନ ଥିଲା । ତେଣୁ ପଚାରିଲା :

ପିତା ! କିପରି ତପସ୍ୟା କରିବାକୁ ହୁଏ, ମତେ ଶିଖାଇ ଦିଅନ୍ତୁ ।”

ବରୁଣ ବୁଝାଇ କହିଲେ :

 

“ଏକାଗ୍ରତା ହିଁ ତପସ୍ୟାର ପ୍ରଧାନ ଅସ୍ତ୍ର । ଆହାରନିଦ୍ରାଦି ପରିହାର କରି ଏକାଗ୍ର ମନରେ କୌଣସି ବିଷୟ ଅନବରତ ଚିନ୍ତା କରିବାକୁ ତପସ୍ୟା ବୋଲାଯାଏ । କି ଗୃହସ୍ଥ, କି ସନ୍ନ୍ୟାସୀ, କି ଛାତ୍ର, କି ବୈଜ୍ଞାନିକ, କି ସଙ୍ଗୀତଜ୍ଞ, ସମସ୍ତଙ୍କ ଜୀବନରେ ତପସ୍ୟାର ପ୍ରୟୋଜନ । ସନ୍ନ୍ୟାସୀର ଗଭୀର ଈଶ୍ୱରିଚିନ୍ତା, ବୈଜ୍ଞାନିକର ଅହୋରାତ୍ର ତଥ୍ୟ ଅନ୍ୱେଷଣ, ସଙ୍ଗୀତଜ୍ଞର ସ୍ୱରଗବେଷଣା, ଛାତ୍ରର ଅଧିକତର ବିଦ୍ୟାନୁଶୀଳନ ଏ ସମସ୍ତ ଗୋଟିଏ ଗୋଟିଏ ତପସ୍ୟା ।”

 

–୨–

 

କି ସୁନ୍ଦର ବ୍ୟାପକ ବ୍ୟାଖ୍ୟାନ...

 

ପିତାଙ୍କଠାରୁ ତପସ୍ୟାର ସଂଜ୍ଞା ଓ ସ୍ୱରୂପ ଜାଣିପାରି ଭୃଗୁ ତପଶ୍ଚରଣ କରିବାକୁ ଗଲା । ଦୀର୍ଘକାଳ କଠୋର ତପସ୍ୟାରେ ମଗ୍ନ ରହିଲା ପରେ ଦିନେ ତା ମନରେ ବ୍ରହ୍ମ ସମ୍ବନ୍ଧରେ ଗୋଟିଏ ଧାରଣା ଆସିଲା । ସେ ପ୍ରକୃତ ସତ୍ୟ ଲାଭ କରିଛି ଭାବି ବରୁଣଙ୍କ ନିକଟକୁ ଆସି କହିଲା :

 

ପିତା ! ତପସ୍ୟା ଦ୍ୱାରା ମୁଁ ଜାଣିଲି–ଅନ୍ନହିଁ ବ୍ରହ୍ମ, କାରଣ ଜୀବ ଅନ୍ନରୁ ଜନ୍ମ ପାଏ, ଅନ୍ନଯୋଗୁ ବଞ୍ଚେ ଓ ଶେଷରେ ଅନ୍ନରେ ବିଲୀନ ହୁଏ ।”

 

ଭୃଗୁର ଏ ବିଶ୍ୱାସ ପୂର୍ଣ୍ଣଜ୍ଞାନ ଉପରେ ପ୍ରତିଷ୍ଠିତ ହୋଇ ନ ଥିବାରୁ ଭ୍ରାନ୍ତିପୂର୍ଣ୍ଣ ହେଲେହେଁ ବରୁଣ ତା’ର ସାଧନାରେ ସନ୍ତୁଷ୍ଟ ହେଲେ । ସେ ତାକୁ ବୁଝାଇ ବସିଲେ :

 

“ବତ୍ସ ! ଅନ୍ନ କହିଲେ ଖାଦ୍ୟବସ୍ତୁ ବୁଝାଏ । ଏହି ଖାଦ୍ୟବସ୍ତୁ ଜନ୍ମେ, ବଢ଼େ ପୁଣି ମରିଯାଏ । ଏ ପ୍ରକାର ଅନ୍ନ ଛଡ଼ା ଅନ୍ୟ ଏକପ୍ରକାର ଅନ୍ନ ମଧ୍ୟ ଅଛି । ତାହା ହେଉଛି କ୍ଷିତି, ଅପ୍‍, ତେଜ, ମରୁତ୍‌, ବ୍ୟୋମ–ଅର୍ଥାତ୍ ମାଟି, ପାଣି, ଆଲୁଅ, ପବନ ଓ ଶୂନ୍ୟ । ଏହି ପଞ୍ଚମହାଭୂତରୁ ଦେହର ଜନ୍ମ, ଏହି ପଞ୍ଚମହାଭୂତ ଯୋଗୁ ପ୍ରାଣୀର ଦେହଧାରଣ ଏବଂ ଶେଷରେ ଏହି ପଞ୍ଚମହାଭୂତରେ ଦେହର ବିଲୟ । ଏହିରୂପେ ଯେତେ ଅନ୍ନ ଅଛି, ସେଗୁଡିକର ଆକାରପ୍ରକାର ଭିନ୍ନ ଭିନ୍ନ ଏବଂ ତାହା ପରିବର୍ତ୍ତନଶୀଳ; ମାତ୍ର ତୁମେ ବେଦରୁ ଜାଣିଛ; ବ୍ରହ୍ମଙ୍କର କୌଣସି ପରିବର୍ତ୍ତନ ନାହିଁ । ତାହାହେଲେ ଅନ୍ନ କିପରି ବ୍ରହ୍ମ ହେବ ?

 

ଜ୍ଞାନପିପାସୁ ଭୃଗୁ ବ୍ୟଗ୍ରକଣ୍ଠରେ ପଚାରି ଉଠିଲା :

“ତେବେ ବ୍ରହ୍ମ ପୁଣି କଣ, ପିତା ?”

ବରୁଣ ଧୀର ସ୍ୱରରେ କହିଲେ :

 

“ତପସ୍ୟା ବଳରେ ହିଁ ତୁମେ ଏ ପ୍ରଶ୍ନର ଉତ୍ତର ନିଜେ ନିଜେ ପାଇପାରିବ; ତେଣୁ ପୁଣି ଯାଇ କଠିନ ତପସ୍ୟା କର ।”

 

ଭୃଗୁ ପିତାଙ୍କଠାରୁ ବିଦାୟ ଘେନି ଚାଲିଗଲା ଏବଂ ବହୁକାଳ ତପଃସାଧନ ପରେ ଫେରିଆସି ଜଣାଇଲା :

 

“ପିତା ! ଏବେ ତପସ୍ୟାରୁ ବୁଝିଲି–ମନ ହିଁ ବ୍ରହ୍ମ । ମନ କହିଲେ ସଂକଳ୍ପ । ଏହି ସଂକଳ୍ପ ବା ମନ ନ ଥିଲେ କୌଣସି କାର୍ଯ୍ୟର ଜନ୍ମ ହୋଇପାରେ ନା । ଏହାରି ଯୋଗୁ ଜୀବନଧାରଣ ଏବଂ ଏଇଥିରେ ହିଁ ମୃତ୍ୟୁ ।”

 

ପିତା ପୁଣି ବୁଝାଇଲେ :

 

“ବତ୍ସ ! ମନ ଏକ ବା ଅଖଣ୍ଡ ନୁହେଁ । ବିଭିନ୍ନ ସମୟରେ ଏହାର ବିଭିନ୍ନ ପରିବର୍ତ୍ତନ ଘଟେ, ମାତ୍ର ବ୍ରହ୍ମ ଏକ ଓ ଅଦ୍ୱିତୀୟ-ତାହାର କୌଣସି ପରିବର୍ତ୍ତନ ନାହିଁ । ଏଣୁ ମନ କଦାପି ବ୍ରହ୍ମ ହୋଇ ନ ପାରେ । ଭୃଗୁ ! ତୁମେ ଅଧିକ ତପଃସାଧନ କଲେ ବ୍ରହ୍ମର ପ୍ରକୃତ ସ୍ୱରୂପ ଜାଣିପାରିବ ।”

 

ଭୃଗୁ ପିତାଙ୍କ କଥାରେ ମର୍ମ ବୁଝିପାରି ପୁଣି ତପସ୍ୟାରେ ନିମଗ୍ନ ରହିଲା । କିଛିକାଳ ପରେ ସେ ଯେଉଁ ସତ୍ୟ ପାଇଲା, ତାହା ଆସି ପିତାଙ୍କୁ ଜଣାଇଲା !

 

“ପିତା ! ପ୍ରାଣ ହିଁ ବ୍ରହ୍ମ ବୋଲି ମୋର ଏଥର ଧାରଣା ହୋଇଛି; କାରଣ ଏହି ପ୍ରାଣରୁ ବିଶ୍ୱ ଜନ୍ମିଛି, ଏହି ପ୍ରାଣଦ୍ୱାରା ସମସ୍ତେ ଜୀବିତ ରହୁଛନ୍ତି ଏବଂ ଏହି ପ୍ରାଣରେ ପରିଶେଷରେ ସମସ୍ତେ ବିଲୟପ୍ରାପ୍ତ ହେଉଛନ୍ତି ।”

 

ବରୁଣ ଦେଖିଲେ, ଗଭୀର ତପସ୍ୟା ଯୋଗୁ କ୍ରମେ କ୍ରମେ ସୂକ୍ଷ୍ମ ଜଗତର ଦ୍ୱାର ପୁତ୍ର ଆଗରେ ଉନ୍ମୋଚିତ ହେଉଛି । ତେଣୁ ସେ ତାହାକୁ ଅଧିକ ଉତ୍ସାହିତ କରିବାପାଇଁ କହିଲେ :

 

“ବତ୍ସ ! ପ୍ରାଣ ମଧ୍ୟ ବ୍ରହ୍ମ ନୁହେଁ । ମୁଁ ଦେଖୁଛି, ବ୍ରହ୍ମ ବିଷୟରେ ପ୍ରକୃତ ସତ୍ୟ ପାଇବାର ସମୟ ତୁମର ନିକଟ ହୋଇ ଆସୁଛି । ପୁଣି ଯାଅ, ଦୁଶ୍ଚର ତପସ୍ୟାରେ ନିମଜ୍ଜିତ ରହ ।”

 

–୩–

 

ସାଧନା ହିଁ ସିଦ୍ଧିର ସୋପାନ...

 

ଭୃଗୁ ଆହୁରି ଥରେ କଠିନ ତପସ୍ୟାରେ ବସିଲା । ତାହାରି ଫଳରେ ତା’ର ଧାରଣା ହେଲା–ଜ୍ଞାନ ହିଁ ବ୍ରହ୍ମ । କିନ୍ତୁ ଏହି ସତ୍ୟକୁ ସେ ଯେତେବେଳେ ଆଲୋଚନା କଲା, ନିଜେ ନିଜେ ଜାଣିପାରିଲା ଯେ, ଜ୍ଞାନ ମଧ୍ୟ ବ୍ରହ୍ମ ନୁହେଁ । ପ୍ରକୃତ ସତ୍ୟଲାଭ ପାଇଁ ଏକାଗ୍ର ନିଷ୍ଠା; ଅସାଧାରଣ ଚିତ୍ତବଳ ଓ ଗଭୀର ଆତ୍ମପ୍ରତ୍ୟୟ ଥିବାରୁ ଭୃଗୁ ଏହି ଲବ୍‌ଧ ସତ୍ୟର ଅସାରତା ନିଜେ ନିଜେ ଉପଲବ୍‌ଧ କରିପାରିଲା । ତା’ର ସ୍ପଷ୍ଟ ମନେ ହେଲା, ଜ୍ଞାନ ସମସ୍ତଙ୍କଠାରେ ସମାନ ପରିମାଣରେ ଦେଖାଯାଏ ନାହିଁ–କାହାଠାରେ ଅଳ୍ପ, କାହାଠାରେ ବା ଅଧିକ; ମାତ୍ର ବ୍ରହ୍ମ ତ ଏପରି ବସ୍ତୁ ନୁହେଁ-ତାହା ଯେ ଏକ ଓ ଅଖଣ୍ଡ ।

 

ଏହି ଅନୁଭୂତି ଲାଭ କରିବା ପରେ ଭୃଗୁର ଅନ୍ତର୍ଦୃଷ୍ଟି ପ୍ରସାରିତ ହୋଇଗଲା । ସେ ପୁଣି ତପସ୍ୟାରେ ବସିରହିଲା । ଏହାହିଁ ହେଲା ତା’ର ଶେଷ ତପସ୍ୟା । ଏହିଥର ତା’ର ମନସ୍କାମନା ପୂର୍ଣ୍ଣ ହେଲା–ସାଧନାରେ ସିଦ୍ଧି ଆସିଲା ।

 

ତପସ୍ୟା ଶେଷରେ ଭୃଗୁ ଦେଖିଲା, ତା’ର ହୃଦୟ ମଧ୍ୟରେ ସତେ, ଯେପରି କୋଟି ସୂର୍ଯ୍ୟର ଉଜ୍ଜ୍ୱଳ ରଶ୍ମି ଖେଳିଯାଇଛି । ଅପାର ଆନନ୍ଦରେ ପାଗଳ ହୋଇ ସେ କହି ଉଠିଲା :

 

“ଆନନ୍ଦ ହିଁ ବ୍ରହ୍ମ–ଆନନ୍ଦ ହିଁ ବ୍ରହ୍ମ ।”

 

ଏହା ହିଁ ପ୍ରକୃତ ସତ୍ୟ । ଏହି ସତ୍ୟର ଅଧିକାରୀ ହେବା ସଙ୍ଗେ ସଙ୍ଗେ ତାକୁ ସମଗ୍ର ବିଶ୍ୱ ବ୍ରହ୍ମମୟ ଦେଖାଗଲା । ଜଳ–ସ୍ଥଳ, ପୃଥିବୀ-ଆକାଶ, ଜଡ଼-ଚେତନ, ସ୍ଥାବର-ଜଙ୍ଗମ, ପଶୁ-ପକ୍ଷୀ, କୀଟ-ପତଙ୍ଗ, ତରୁ-ଲତା, ଅଣୁ-ପରମାଣୁ, ସର୍ବତ୍ର ସେହି ପରମ ଜ୍ୟାୋତିର୍ମୟ ପରଂବ୍ରହ୍ମଙ୍କର ତେଜୋମୟ ସତ୍ତା ସେ ପ୍ରତ୍ୟକ୍ଷ କରିବାକୁ ଲାଗିଲା ।

 

ଏତେଦିନ ତା’ର ଚର୍ମଚକ୍ଷୁ ଦିବ୍ୟଚକ୍ଷୁରେ ପରିଣତ ହେଲା । ସେ ପରିପୂର୍ଣ୍ଣରୂପେ ମନ ମଧ୍ୟରେ ଅନୁଭବ କଲା–ବ୍ରହ୍ମ ଆନନ୍ଦମୟ, ଏହି ଆନନ୍ଦରୁ ସକଳ ଜୀବର ସୃଷ୍ଟି, ଏହି ଆନନ୍ଦ ଯୋଗେ ସକଳ ଜୀବର ସ୍ଥିତି ଏବଂ ଏହି ଆନନ୍ଦରେ ପୁଣି ସକଳ ଜୀବର ଲୟ ।

 

ବାଳକ ଭୃଗୁ ଆତ୍ମତପସ୍ୟା ବଳରେ ଏହି ଯେଉଁ ସତ୍ୟ ଉପଲବ୍‌ଧି କଲା; ତାହା ପରବର୍ତ୍ତୀ ଲକ୍ଷ ଲକ୍ଷ ସାଧକଙ୍କ ସାଧାନାର ପଥ ଆଲୋକିତ କରିଦେଲା ।ଏଥିପାଇଁ ଭୃଗୁ ଏ ବିଶ୍ୱରେ ଚିର ଅମର ।

Image